ବେଜିଂ: ପ୍ୟାକେଟ୍ ଗୋମାଂସ ଓ ଚିଙ୍ଗୁଡ଼ିରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଚାଇନା ସତର୍କତା ଦେଖାଇଛି। ବ୍ରାଜିଲ୍ରୁ ଆସିଥିବା ବିଫ୍ ଓ ସାଉଦି ଆରବରୁ ଆସିଥିବା ଚିଙ୍ଗୁଡ଼ିରେ ଏହି ଭାଇରସ ଥିବା ଜଣାପଡ଼ିଛି। ଯଦିଓ ଥଣ୍ଡା ଖାଦ୍ୟରେ କରୋନା ବିପଦ କମ୍ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ତେବେ ବିଦେଶରୁ ଶୀତଳ ଯନ୍ତ୍ରରେ ରହି ଆସୁଥିବା ମାଂସରେ ପଜିଟିଭ୍ ଚିହ୍ନଟ ହୋଇଛି।
ରୟଟର୍ସର ଖବର ଅନୁସାରେ ବ୍ରାଜିଲ୍ରୁ ଉହାନ ସହରକୁ ଆସିଥିବା ବରଫ ଦିଆ ଗୋମାଂସ ପ୍ୟାକେଟ୍ରୁ ପ୍ରଥମ ଘଟଣା ପଜିଟିଭ୍ ଘଟଣା ଜଣାପଡ଼ିଥିଲା। ବୋନ୍ଲେସ୍ ତିନିଟି ପକେଟ୍ ସାମ୍ପଲ ପଜିଟିଭ ଥିବା ନେଇ ଉହାନ ମ୍ୟୁନିସିପାଲ୍ ହେଲ୍ଥ କମିଶନ ୱେବ୍ସାଇଟ୍ରେ ସୂଚନା ଦିଆଯାଇଥିଲା।
ଉହାନ ମ୍ୟୁନିସିପାଲ୍ ହେଲ୍ଥ କମିଶନଙ୍କ ରିପୋର୍ଟ ଅନୁସାରେ ଅଗଷ୍ଟ ୭ ତାରିଖରେ ବ୍ରାଜିଲ୍ରୁ ବିଫ୍ ପ୍ୟାକେଟ୍ ଜାହାଜ ଚୀନ୍ କ୍ୱିଂଡାଓ ପୋର୍ଟରେ ଲାଗିଥିଲା। ସେଠାରୁ ଅଗଷ୍ଟ ୧୭ରେ ଉହାନ ସହରକୁ ଅଣାଯାଇଥିଲା। ଉହାନରେ ମାଂସକୁ ଶୀତଳ ଭଣ୍ଡାରରେ ରଖାଯାଇଥିଲା। ଏବେ ସେଥିରେ କରୋନା ଭାଇରସ୍ ଥିବା ଜଣାପଡ଼ିଛି।
ତେବେ ଏନେଇ ଚାଇନା ପକ୍ଷରୁ ବ୍ରାଜିଲକୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ବ୍ରାଜିଲ୍ କହିଛି। ଏହି ଘଟଣା ଜଣାପଡ଼ିବା ପରେ ଉହାନ ଶୀତଳଭଣ୍ଡାରରେ କାର୍ଯ୍ୟରତ ୧୦୦ ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ୨୦୦ ଅଧିକ ସାମ୍ପଲ ନିଆଯାଇଛି। ନିକଟରେ ଆର୍ଜେଣ୍ଟିନାରୁ ବି ଆସିଥିବା ଗୋମାଂସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଚୀନ କହିଥିଲା। ଭାରତରୁ ଯାଉଥିବା ମାଛରେ ବି ଭାଇରସ ଥିବା କହିଥିଲା ଚାଇନା। ଏଥିପାଇଁ ସପ୍ତାହକ ପାଇଁ ଭାରତ ମାଛ ଆମଦାନୀ ଉପରେ ରୋକ୍ ଲଗାଇଛି ଚୀନ। ସୂଚନା ଥାଉକି ଗୋମାଂସ ଆମଦାନୀ କରୁଥିବା ରାଷ୍ଟ୍ର ମଧ୍ୟରେ ଚାଇନା ଏକ ନମ୍ବରରେ ଥିବା ବେଳେ ବ୍ରାଜିଲ ଓ ଆର୍ଜେଣ୍ଟିନା ବିଶ୍ୱରେ ଅଧିକ ଗୋମାଂସ ରପ୍ତାନୀ କରନ୍ତି।