Is your child skipping lessons?

ଅଧିକାଂଶ ବାପାମାଆ ସେମାନଙ୍କ ପିଲାମାନଙ୍କଠାରୁ ବହୁତ ଆଶା କରନ୍ତି। ଯେଉଁଥିପାଇଁ ପିଲାମାନଙ୍କ ଉପରେ ଭଲ କରିବା ପାଇଁ ଚାପ ବଢ଼ଥାଏ। ଯେତେବେଳେ ପିଲାମାନେ ସେହି ଆଶା ପୂରଣ କରିବାକୁ ଅସମର୍ଥ ହୁଅନ୍ତି, ସେମାନେ ପାଠପଢ଼ାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାର ଦକ୍ଷତା ମାପି ତା’ଠାରୁ ସେତିକି ଆଶା କରନ୍ତୁ।

ଅନ୍ୟମାନଙ୍କ ସାମ୍ନାରେ ପିଲାମାନଙ୍କୁ ଗାଳି ଦେବା ବନ୍ଦ କରନ୍ତୁ। ଏହିପରି କଥାଗୁଡ଼ିକ ସେମାନଙ୍କ ଆତ୍ମବିଶ୍ୱାସକୁ ଆଘାତ ଦେଇଥାଏ। ବାପାମାଆ ଏ ଦିଗ ପ୍ରତି ଦୃଷ୍ଟି ଦେଲେ ପିଲାଟିର ଆତ୍ମବିଶ୍ୱାସ ବୃଦ୍ଧି ପାଏ। ଅନ୍ୟଥା ପିଲାଟି ଭିତରେ ଭିତରେ ପ୍ରତିକ୍ରିୟାଶୀଳ ହୋଇ ପାଠରୁ ଦୂରେଇଯାଏ।

ଯଦି ପିଲା କୌଣସି ବିଷୟ ପ୍ରତି ଆଗ୍ରହୀ ନୁହଁନ୍ତି, ତେବେ ସେମାନେ ପାଠପଢ଼ା ଠାରୁ ଦୂରେଇ ଯାଆନ୍ତି। ସେହି ବିଷୟରେ ଜ୍ଞାନ କମ୍ ହେଲେ ଆଗ୍ରହ କମିଯାଏ। ପିଲାଟିର ଆଗ୍ରହକୁ ବୁଝିବା ଏବଂ ସେହି ଅନୁସାରେ ତାଙ୍କୁ ପାଠ ପଢ଼ାଇବା ପ୍ରତି ବାପାମାଆ ଦୃଷ୍ଟି ଦେବା ଆବଶ୍ୟକ।

ଯଦି ଘରେ ଉପଯୁକ୍ତ ପାଠପଢା ପରିବେଶ ନ ଥାଏ, ତେବେ ପିଲା ପାଠପଢ଼ାରେ ଧ୍ୟାନ ଦେଇପାରିବ ନାହିଁ। ଅଧ୍ୟୟନ କରିବା ସମୟରେ ଏକ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରନ୍ତୁ ଏବଂ ତାଙ୍କୁ ତାଙ୍କ ପାଠପଢାରେ ସାହାଯ୍ୟ କରନ୍ତୁ।

କୌଣସି ପରସ୍ଥିତିରେ ବି ନିଜ ପିଲାକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ। କାରଣ ଆପଣଙ୍କୁ ବୁଝିବାକୁ ହେବଯେ, ପାଞ୍ଚ ଆଙ୍ଗୁଠି ସମାନ ନୁହଁନ୍ତି। ତୁଳନା କଲେ ପିଲାଟି ନିଜକୁ ଛୋଟ ଭାବିବା ଆରମ୍ଭ କରେ ଏବଂ ପାଠପଢ଼ାରେ ଏହାର ନକରାତ୍ମକ ପ୍ରଭାବ ପଡ଼େ।

ପିଲାସାମ୍ନାରେ ତା’ବିରୋଧରେ ଶିକ୍ଷକଙ୍କୁ ଅଭିଯୋଗ କରନ୍ତୁ ନାହିଁ। ଏହା ଦ୍ୱାରା ଶିକ୍ଷକଙ୍କ ପ୍ରତି ତା’ର ଭୟ ବଢ଼ିବ ଏବଂ ପାଠ ବୁଝିନପାରିଲେ ବି ସେ ଚୁପ୍ ରହିବ। ଯଦି ଶିକ୍ଷକଙ୍କୁ ପିଲା ବିଷୟରେ କିଛି କହିବାକୁ ଚାହୁଁଛନ୍ତି ଏକାନ୍ତରେ କୁହନ୍ତୁ।

ପିଲାଟି ଯଦି ମୋବାଇଲ ମାୟାରେ ପଡ଼ି ପାଠରୁ ଦୂରେଇ ଯାଉଛି, ତେବେ ସଂଗେ ସଂଗେ ତା’ଠାରୁ ମୋବାଇଲ୍ ଛଡ଼ାଇ ଆଣନ୍ତୁ ନାହିଁ। ବରଂ ତାକୁ ଫାଙ୍କା ସମୟରେ ମୋବାଇଲ୍ ପାଇଁ କିଭଳି ସମୟ ନଷ୍ଟ ହେଉଛି, ସେ ବାବଦରେ ବୁଝାନ୍ତୁ।