• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କେନ୍ଦୁଝର/ତେଲକୋଇ : କର୍ମ ସଂସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଆଦିବାସୀ ଅଚଂଳର ଯୁବକ ଯୁବତୀ। ତାପରେ ଦଲାଲ୍‌ର ପ୍ରଲୋଭନରେ ପଡି ଠକାମୀର ଶିକାର ହୋଇ ପୁଣି ଗାଁକୁ ଫେରୁଛନ୍ତି। ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଉଛି ଏବଂ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ପ୍ରଶାସନ, ହେଲେ ଏହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି।

ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ନିପୋ ଗାଁରେ ବସବାସ କରନ୍ତି ପ୍ରାୟ ୬୫ଟି ଭୂୟାଁ ଜନଜାତି ପରିବାର। ବେଉଷା କହିଲେ ପୋଡୁଚାଷ ଯାହାକି ପରିବାରର ଆବଶ୍ୟକତା ମେଣ୍ଟାଇ ପାରେନି। ଫଳରେ ପରିବାର ଚଳାଇବା ପାଇଁ ଗାଁର ୧୨ ଝିଅ ଗୋଡ଼ କାଢ଼ିଥିଲେ ବାହାରକୁ। ସେମାନଙ୍କ ମଧ୍ୟରେ ଥିଲେ ଏହି ଚିନି, କାନ୍ଦ, ଓ କଇଁ। ମିଠା ଦୋକାନରେ କାମ କରାଇବା କଥା କହି ଦଲାଲ ଏମାନଙ୍କୁ ଦିଲ୍ଲୀରେ ବିକି ଦେଇଥିଲା। ସେଠାରେ ବାସନ ମାଜିବା କାମ କରୁଥିଲେ। ସେପଟେ ଝିଅମାନଙ୍କ ସଂପର୍କରେ ଖୋଜଖବର ନ ମିଳିବାରୁ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

ଶେଷରେ ଏମାନଙ୍କୁ ଉଦ୍ଧାର କରାଗଲା। ହେଲେ ଉଦ୍ଧାର ପରେ ଜୀବନ ଆହୁରି ଦୁର୍ବିସହ। ପ୍ରଶାସନ ତରଫରୁ ମନରେଗାରେ ନା କାମ ମିଳୁଛି ନା ସରକାରୀ ସହାୟତା। ଫଳରେ ଦୁଖ କଷ୍ଟରେ ବିତୁଛି ଜୀବନ।

କେବଳ ଚିନି, କାନ୍ଦ ଓ କଇଁ ନୁହେଁ, ମିଠେଇ, ଦେହୁରୀ ଓ ସୁନ୍ଦରୀ ପ୍ରଧାନଙ୍କର ମଧ୍ୟ ସେହି ସମାନ ଅବସ୍ଥା। ସରକାରୀ କାମ ଗାଁରେ ହେଲେ ଦୁଇ ପଇସା ମିଳୁଛି, ନହେଲେ ନାହିଁ।

ଦକ୍ଷତା ବିକାଶ ଯୋଜନା ମାଧ୍ୟମରେ ଗରିବ ଯୁବକ ଯୁବତୀ ରୋଜଗାରକ୍ଷମ ହୋଇପାରିବେ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟର ବାସ୍ତବ ସ୍ଥିତି କିନ୍ତୁ ଅଲଗା ଏବେ ଦେଖିବାର କଥା ଏହି ଭୂୟାଁ ଜନଜାତିଙ୍କୁ ସରକାର କେବେ ରୋଜଗାରକ୍ଷମ କରୁଛନ୍ତି ଏବଂ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି।

(ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ)

Other Stories