• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ରେମୁଣା ବ୍ଲକ୍‌ ଇଞ୍ଚୁଡିର ନୂଅାନଈ ଉପରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ତିଅାରି ହୋଇଥିବା ଦୁଇଟି ସେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ଉଦ୍‌ଘାଟନ ହେବା ପୂର୍ବରୁ ଏହାର ଦୁଇ ପାଖକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ୍‌ରେ ଦେଖାଦେଇଛି ଫାଟ । ଅାପ୍ରୋଚ ରୋଡ୍‌ରେ ବାଲି ବଦଳରେ ମାଟି ଦିଅାଯାଇ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲ କାମ କିଛି ମାସ ତଳେ ଶେଷ ହୋଇଛି । କେଉଁଠି କଂକ୍ରିଟ୍ ଢଳେଇ ଫାଟିଗଲାଣି ତ ଅାଉ କେଉଁଠି ବ୍ରିଜ୍‌କୁ ସଂଯୋଗ କରୁଥିବା ଓ୍ୱାଲ୍‌ରେ ଫାଙ୍କ ରହିଥିବା ଦେଖିବାକୁ ମିଳିଛି । ଫାଟିଯାଇଥିବା ଢଳେଇ ତଳେ ବାଲି ପରିବର୍ତ୍ତେ ମାଟି ଦିଅାଯାଇ କାମ ହୋଇଛି । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଞ୍ଚୁଡିର ବହୁମୁଖୀ ବାତ୍ୟା ଅଶ୍ରୟ ସ୍ଥଳକୁ ସଂଯୋଗ କରୁଥିବା ଏହି ଗ୍ରାମ୍ୟ ରାସ୍ତାରେ ଦୁଇଟି ପୋଲ ନିର୍ମାଣ ପାଇଁ ୭ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଫିୟୁଚର୍‌ ଗ୍ରୁପ ନାମକ ଏକ ସଂସ୍ଥା ଏହି ପୋଲ ନିର୍ମାଣ କାମ ନେଇଥିଲା । କାମ ସରିବାର ମାସେ ନ ପୂରୁଣୁ ପୋଲକୁ ସଂଯୋଗ କରୁଥିବା ରାସ୍ତା ଏବଂ ସାଇଡ୍‌ ଓ୍ୱାଲ୍‌ରେ ଫାଟ ଦେଖା ଦେବାରୁ ସ୍ଥାନୀୟ ଲୋକେ ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ନିମ୍ନ ମାନର କାମ ହୋଇଥିବା କଥାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦ ଦୁଲାଲ ଘଡ଼େଇ ପରୋକ୍ଷରେ ସ୍ୱୀକାର କରଛନ୍ତି । ସେ କହିଛନ୍ତି ଯେ, ‘କମ୍ପାକ୍ସନ୍‌ ଠିକ୍ ଭାବେ ହୋଇ ନ ଥିବାରୁ ଗୋଟିଏ ଦୁଇଟି ଜାଗାରେ ଦବି ଯାଇଥିଲା, ତେଣୁ କମ୍ପାକ୍ସନ୍ କରି ପୁଣି କଂକ୍ରିଟ୍‌ କରିବାକୁ ସଂପୃକ୍ତ ଠିକାଦରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । 

( ବାଲେଶ୍ୱରରୁ ରଶ୍ମିରଂଜନ ଦାସଙ୍କ ରିପୋର୍ଟ)

Other Stories