ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ଜଣାପଡ଼ିଛି। ବ୍ଲାକ୍ ଫଙ୍ଗସ୍ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
କରୋନା ପରେ ଡ଼ରାଇଲାଣି ବ୍ଲାକ ଫଙ୍ଗସ୍। ତେବେ ଏହି ରୋଗ କେମିତି ନବ୍ୟାପିବ ବା କେମିତି ଆପଣମାନେ ସାବଧାନ ରହିବେ ସେନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର। ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ। ଏହାସହ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ। ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି। ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ।
ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବା ଆବଶ୍ୟକ ବୋଲି କହିଲେ ଡାକ୍ତର ମିଶ୍ର। ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ। ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା ଆବଶ୍ୟକ। ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ। ଡେରି କଲେ ଫୁସଫୁସ ଓ ବ୍ରେନକୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଡାକ୍ତର ମିଶ୍ର। ଏହା ସଂକ୍ରାମକ ନୁହେଁ, ଠିକ ସମୟରେ ଚିକିତ୍ସା କଲେ ସୁସ୍ଥ ହେବେ।