• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଆଜି ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର କରିଛି ୭ ସହରର ତାପମାତ୍ରା । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡା ୪୩.୮ ଡିଗ୍ରୀ ସହ ସର୍ବୋଚ୍ଚ ରହିଛି । ଅନ୍ୟ ସହର ମଧ୍ୟରେ ସମ୍ବଲପୁର ୪୨.୪, କେନ୍ଦୁଝର ୪୨.୨, ଚାନ୍ଦବାଲି ୪୨.୨, ହୀରାକୁଦ ୪୨, ରାଉରକେଲା ୪୧.୮, ଭୁବନେଶ୍ୱର ୪୧.୪, ବାଲେଶ୍ୱର ୩୯.୪, ପାରାଦ୍ୱୀପ ୩୪.୮, ପୁରୀ ୩୪.୪, ଗୋପାଳପୁରରେ ୩୩.୬ ଡିଗ୍ରୀ ରେକର୍ଡ ।

ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ପାର କରିଛି ୮ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱର ଓ କେନ୍ଦୁଝରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୩୯.୬, ଚାନ୍ଦବାଲି ୩୯, ସମ୍ବଲପୁର ୩୮.୯, ବାଲେଶ୍ୱର ୩୮.୬ ଓ ହୀରାକୁଦରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ: ତାତିରେ ଆଉଟୁପାଉଟୁ ରାଜ୍ୟବାସୀ; ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...

ତେବେ ଆଗାମୀ ଦୁଇଦିନ ଦିନ ଭିତରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ, ପରବର୍ତ୍ତୀ ସମୟରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ସାମାନ୍ୟ ହ୍ରାସ ସମ୍ଭାବନା ରହିଛି । ମୟୂରଭଂଜ, ଅନୁଗୁଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ସିଭିଅର ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଗତକାଲି ୪୩.୬ ଡ଼ିଗ୍ରୀ ସହ ଭୁବନେଶ୍ୱର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଆଜି ମଧ୍ୟ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ସେପଟେ ତାପମାତ୍ରା ବଢ଼ିବା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ କରାଯାଇଛି ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

କେବଳ ଦିନ ନୁହେଁ ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ତେବେ ୨୨ ତାରିଖ ପରଠାରୁ ପାଣିପାଗ ବଦଳିବାର ସମ୍ଭାବନା ଥିବା ପାଣିପାଗ କହିଛି ।