• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବେଘର ହୋଇ ସ୍କୁଲରେ ଏବେ ବି ଆଶ୍ରୟ ନେଇଛନ୍ତି ଅନେକ ବିପନ୍ନ

  • ବନ୍ୟା ପରେ କେମିତି ଅଛି ଜୀବନ ?

ଭଦ୍ରକ,ଜଳେଶ୍ୱର(ପାର୍ଥସାରଥୀ ନାୟକ ଓ ନିରଞ୍ଜନ ବେହେରା) : ଧୀରେ ଧୀରେ କମୁଛି ସବୁ ନଦୀର ଜଳସ୍ତର, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ବନ୍ୟାପାଣିରେ ବୁଡ଼ିଥିବା ଘରୁ ନିଜ ଜିନିଷ ସାଉଁଟୁଛନ୍ତି ଲୋକେ ତ କେଉଁଠି ଝାଟି ମାଟି ଘରକୁ କାଦୁଅ ବୋଳି ପୁଣି ଠିଆ କରିବାରେ ଲାଗିଛନ୍ତି । ଏପରିକି ବନ୍ୟାରେ ଘର ହରାଇଥିବା ଲୋକେ ଏବେ ବି ସ୍କୁଲ ଘରେ ନେଇଛନ୍ତି ଆଶ୍ରୟ । ବାଲେଶ୍ୱର ଜିଲ୍ଲା ଭୋଗରାଇ, ବାଲିଆପାଳ, ଜଳେଶ୍ୱର ସହ ଭଦ୍ରକ ଜିଲ୍ଲାରେ ଲୋକେ ଏପରି ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ।

ତିନି ଦିନର ଲଗାଣ ବର୍ଷା ସାଙ୍ଗକୁ ବୈତରଣୀ ନଦୀରେ ଆସିଥିବା ବନ୍ୟାଜଳ ଉଜାଡିନେଲା ସବୁକିଛି । କେଉଁଠି ଝାଟିମାଟି ଘରର କାନ୍ଥ ଭାଙ୍ଗିଛି ତ କାହାର ଚୁଲି ଧୋଇ ହୋଇଯାଇଛି । ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଅନଳଡିହ ଗାଁର ଜଣେ ବୃଦ୍ଧା ଚାରୁଲତାଙ୍କ ଘରେ ପଶିଯାଇଥିଲା ପାଣି । ଏବେ ପାଣି କମିବା ପରେ ନିଜ ଭଙ୍ଗା ଘରକୁ ସଜାଡ଼ିବାକୁ ଲାଗିଛନ୍ତି ସେ । ଭଙ୍ଗା ଝାଟିମାଟି କାନ୍ଥରେ କାଦୁଅ ଲେପ ଦେଉଛନ୍ତି । ସେପଟେ ବନ୍ୟାରେ ଧୋଇ ହୋଇଯାଇଥିବା ଘରୁ ନିଜର ଜିନିଷ ସାଉଁଟୁଛନ୍ତି । ବୈତରଣୀରେ ଆସିଥିବା ବନ୍ୟାରେ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।

ସେପଟେ ଲଗାଣ ବର୍ଷା ସାଙ୍ଗକୁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢି ଭୋଗରଇ, ବାଲିଆପାଳ, ଜଳେଶ୍ୱର ବ୍ଲକର ଶକତାଧିକ ଗାଁ ଏବେ ବି ପାଣି ଘେରରେ ଅଛନ୍ତି । ତଳିଆ ଅଞ୍ଚଳରେ ଏବେ ପାଣି ଘେରରେ ୩୦୦ ପରିବାର ଅଛନ୍ତି । ଘର ଭିତରେ ଆଣ୍ଠୁଏ ପାଣି; ରୋଷେଇ ବନ୍ଦ,ତିନି ଦିନ ଧରି ଶୁଖିଲା ଖାଦ୍ୟ ଖାଇ ଜୀବନ ବିତାଉଛନ୍ତି ଲୋକେ । ସେପଟେ ଭୋଗରଇ ବ୍ଲକର କୁସୁଡା, ନାହର, ନାଚିନ୍ଦ, ଅରୁହାଅଞ୍ଚଳ ମଧ୍ୟ ପାଣି ଘେରରେ । ଏଭଳି ସ୍ଥିତିରେ ପ୍ରଶାସନକୁ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇବା ପାଇଁ ନିବେଦନ କରିଛନ୍ତି ବନ୍ୟା ବିପନ୍ନ । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସରକାର ନିଜକୁ ୧ ନମ୍ବର କହୁଛନ୍ତି ହେଲେ ଗ୍ରାଉଣ୍ଡ ଜିରୋରୁ ଏପରି ଦୃଶ୍ୟ ଦେଖିଲେ ଜଣାପଡୁଛି ଯେ ବିପର୍ଯ୍ୟୟ ବେଳେ ଲୋକଙ୍କୁ କିଭଳି ସେବା ଯୋଗାଯାଉଛି ।