• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର(ସଞ୍ଜୀବ ନାୟକ) : ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ । ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି । ପାଣି ଅପେକ୍ଷାରେ ଏ ପର୍ଯ୍ୟନ୍ତ ବିଲରେ ପଡିପାରିନି ଲଙ୍ଗଳ ଗାର । ଏପରି ସମସ୍ୟା ଭୋଗୁଛନ୍ତି ଯାଜପୁର ବ୍ଲକ ନାଥସାହି ଗ୍ରାମର ଚାଷୀ । କିଏ ନିଜ ଉଦ୍ୟମରେ ନିଜ ବିଲରେ ଚୁଆ ଖୋଳି ବର୍ଷା ପାଣିକୁ ସଂରକ୍ଷିତ କରି ତଳି ବଂଚାଉଛି ତ କିଏ ଘରୁ ପାଣି ବୋହି ଚାଷ କରୁଛି ।

ଅଧାରୁ ଅଧିକ ସରିଲାଣି ଶ୍ରାବଣ ମାସ । ପାଣି ନଥିବାରୁ ଜମି ପଡିଆ । ଉଠା ଜଳ ସେଚନରୁ ଉଠୁନି ପାଣି । ଶହ ଶହ ହେକ୍ଟର ଚାଷ ଜମି ପଡିଆ ପଡିଛି । ଚାଷ ଜମିରେ ଗୋରୁ ଗାଇ ଚରୁଛନ୍ତି । ଏହି ଅଂଚଳକୁ କେନାଲ ପାଣି ସଂଯୋଗ ହୋଇନି । କେବଳ ବର୍ଷା ଓ ଏଲ ଆଇ ପଏଣ୍ଟ ଚାଷୀଙ୍କ ଭରସା । କିନ୍ତୁ ଚାଷୀ ଙ୍କୁ ଗୋଟିଏ ବି ପଏଣ୍ଟରୁ ପାଣି ମିଳୁନି । ଅନେକ ଚାଷୀ ନିଜ ପରିବାର ପ୍ରତିପୋଷଣ ଲାଗି ନିଜ ଜମିରେ ଚୁଆ ଖୋଳି ବର୍ଷା ପାଣି କୁ ସଂରକ୍ଷଣ କରି ଚାଷ କରୁଛନ୍ତି । ଆଉ କିଛି ଘରୁ ବାଲଟିରେ ପାଣି ବୋହି ତଳିରେ ପାଣି ପକାଉଛନ୍ତି । ପାଣି ପଞ୍ଚାୟତ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଯୋଗାଇବା ଲାଗି ପ୍ରକଳ୍ପ ହୋଇଛି କିନ୍ତୁ ସେଠାରୁ ମୁନ୍ଦାଏ ପାଣି ବାହାରୁନି । ପାଣି ଲାଗି ବାରମ୍ବାର ସରପଂଚ ଓ ପାଣି ପଂଚାୟତକୁ ଜଣାଇଲେ କେହି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି । 

ଶହ ଶହ ଚାଷୀ ବୋରିଂ ପାଣିକୁ ଅପେକ୍ଷା କରିଥିବା କାରଣରୁ ଚାଷ ଆରମ୍ଭ କରି ପାରିନାହାନ୍ତି । ବର୍ଷା ଆଶାରେ କିଛି ଚାଷୀ ତଳି ପକାଇଥିଲେ ବି ତଳି ମରିବା ଅବସ୍ଥାରେ । ଗୋଟେପଟେ ବର୍ଷା ଦାଉ ସାଜିଥିବା ବେଳେ ଚାଷୀଙ୍କ ଲାଗି ପାଣି ପଂଚାୟତର ତପ୍ତରତା ମଧ୍ୟ ନାହିଁ । ଚାଷୀ ଏଲଆଇ ପଏଟଂ ପାଣି ବ୍ୟବହାର ଲାଗି ବିଦ୍ୟୁତ ଓ ଜଳ ଦେୟ ଦେଉଥିବା ବେଳେ ଚାଷ ସମୟରେ ପାଣି ମିଳୁ ନଥିବାରୁ ଜମି ପଡିଆ ପକାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛି । ଚାଷୀ ମିଳିତ ହୋଇ ତୁରନ୍ତ ପାଣି ଯୋଗାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ଚାଷୀଙ୍କ ଅଭିଯୋଗ ପାଇଲା ତୁରନ୍ତ ଏହି ସମସ୍ୟାର ସମାଧାନ ଲାଗି ଉଠା ଜଳସେଚନ ନିର୍ବାହି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।