• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଶନିବାର ଆସିବ ବାତ୍ୟା ଯେଉଁ ଆକଳନ କରାଯାଇଥିଲା ତାହା  ସତ ହେବାକୁ ଯାଉଛି। ସେଇ ଦିନ ସକାଳେ ଉପକୂଳ ପାଖରେ ପହଞ୍ଚିବ ସାଇକ୍ଲୋନ୍। କେତେ ଶକ୍ତିଶାଳୀ ହେବ, ଏନେଇ ଆକଳନ ଚାଲିଛି। ଆସନ୍ତା ୪ ତାରିଖରେ ବାତ୍ୟା ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି-ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଧିରେ ଧିରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ। ୩ ତାରିଖରେ ସମୁଦ୍ର ଭିତରେ ବାତ୍ୟାର ରୂପ ନେବ।

ତାପରେ ଉପକୂଳ ମୁହାଁ ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ସାଇକ୍ଲୋନ ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯିବ। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ି ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ବୋହିପାରେ। ପରଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ବାତ୍ୟା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ। ଉପକୂଳରୁ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ।

ଯାହାର ପ୍ରଭାବ ସମଗ୍ର ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି କହିଛନ୍ତି ଆଇଏମଡି ଡିଜି। ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ୫ତାରିଖରେ ବି କିଛି ଜାଗାରେ ନିର୍ଦ୍ଦୁମ୍ ଛେଛିବା ସମ୍ଭାବନା ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶା ଏବଂ ପରେ ଉତ୍ତର ଉପକୂଳରେ ବଢ଼ିବ ବର୍ଷା। ୩ରୁ ୫ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ସହ ସମୁଦ୍ର ଅଶାନ୍ତ ହେବାର ଥିବାରୁ ମତ୍ସ୍ୟଜୀବୀଙ୍କୁ ୨ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

  • ବାତ୍ୟା ବେଳେ କଣ କରିବେ ଓ କଣ କରିବେନି:-

୧: ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସହ ପାଣି ଜମିପାରେ।

୨: କଚ୍ଚା ଘରର କାନ୍ଥ ପଡ଼ିଯିବାର ସମ୍ଭାବନା ରହିଛି।

୩: ଅସ୍ଥାୟୀ ଭାବେ ମୁନିସିପାଲଟି ସେବା ବ୍ୟାଘାତ, ଅଣ୍ଡରପାସ୍‌ ରାସ୍ତାରେ ପାଣି ଜମି ପରେ। ସହରାଞ୍ଚଳରେ ସାମୟିକ ଭାବେ ତୀବ୍ର      ବୃଷ୍ଟିପାତ ପ୍ରଭାବରେ ଟ୍ରାଫିକ ଯାତାୟତ ପ୍ରଭାବିତ ସମ୍ଭାବନା ରହିଛି।

୪: କେତେକ ଅଞ୍ଚଳରେ ଜଳମଗ୍ନ ଯୋଗୁ ବଗିଚା ଚାଷ ତଥା ଛିଡ଼ା ହୋଇଥିବା ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି।

୫: ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ପ୍ରଭାବରେ ଭୂସ୍ଖଳନ ସମ୍ଭାବନା ରହିଛି।

୬: ବାସ ଅନୁପଯୋଗୀ ଘରେ ନରିବା ଓ ପ୍ରଭାବିତ ଅଞ୍ଚଳରେ ଯାତାୟତରୁ ନିବୃତ୍ତ ରୁହନ୍ତୁ।

୭: ପାଚି ଯାଇଥିବା ଧାନ ଫସଲର ଅମଳ ସହ ଅମଳ ହୋଇଥିବା ଧାନ ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବ୍ୟବହାର ଉପଯୋଗୀ ଫୁଲକୋବି ଓ ବନ୍ଧା କୋବି ଭଳି ରବି ଫସଲକୁ ଅମଳ କରିନିଅନ୍ତୁ।

୮: ଆଗକୁ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖନ୍ତୁ।

୯: ଫସଲ ଓ ପନିପରିବା ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଆବଶ୍ୟକ ନାଳିର ବ୍ୟବସ୍ଥା କରନ୍ତୁ।

୧୦: କଦଳୀ, ଅମୃତଭଣ୍ଡା ଓ ଅନ୍ୟାନ୍ୟ ଲତାଜାତୀୟ ଏବଂ ପନିପରିବାକୁ ଭରା ଦେଇ ରଖନ୍ତୁ।

୧୧: ଆଗକୁ ଭାରି ବର୍ଷା ହେବାକୁ ଥିବାରୁ ରବି ଫସଲ ଯଥା- ମୁଗ, ବିରି, ସୋରିଷ, ବାଦାମ ଏବଂ ପନିପରିବା ଯଥା- କୋବି, ପିଆଜ, ଧନିଆ, ଆଳୁର ବୁଣାବୁଣି ସାମୟିକ ସ୍ଥଗିତ ରଖନ୍ତୁ।

୧୨: ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ପାନୀୟ ଜଳକୁ ୪ରୁ ୫ ଦିନ ପର୍ଯ୍ୟନ୍ତ ମହଜୁଦ ରଖନ୍ତୁ।

୧୩: ଗୃହପାଳିତ ପଶୁପକ୍ଷୀଙ୍କୁ ବର୍ଷା ଓ ପବନ ସମୟରେ ବାହାରେ ଛାଡ଼ନ୍ତୁ ନାହିଁ।

୧୪: ଗୁହାଳ ଘର ଓ ଫାର୍ମ ଛତକୁ ମଜବୁତ ରଖନ୍ତୁ।

୧୫: ପରିବା ଚାଷ ହୋଇଥିବା ଖେତ ତଥା ଛିଡ଼ା ହୋଇଥିବା ଫସଲ କ୍ଷେତରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।