• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • IMD ଡିଜିଙ୍କ ସୂଚନା, ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ

  • ଦକ୍ଷିଣ ଉପକୂଳ ସହ ରାଜ୍ୟ ୬ ଜିଲ୍ଲାକୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର

  • ଡିସେମ୍ବର ୨ ବେଳକୁ ଅବପାତର ରୂପ ନେବାପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବ

ଭୁବନେଶ୍ୱର : ଓଡ଼ିଶା ଉପକୂଳକୁ ପୁଣି ବାତ୍ୟା ଭୟ । ଆସନ୍ତାକାଲି ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୩ରୁ ୫ ତାରିଖ ଯାଏଁ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ଡିଜିଙ୍କ ଏଭଳି ଆକଳନ ପରେ ସାରା ରାଜ୍ୟରେ ଛନକା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

ଡିସେମ୍ବର ୨ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେବାପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବ । ଏହାର ପ୍ରଭାବରେ ୩ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ଏହା ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଏବଂ ପରେ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ତେବେ କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ସ୍ପଷ୍ଟ ହେବ ।

ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଡିସେମ୍ବର ୨ରୁ ୫ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ସମ୍ଭାବ୍ୟ ଲଘୁଚାପ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି SRC । ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ,ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ଥିବା ଏଏଆରସି ଜଣାଇଛନ୍ତି ।

ଏବେ ଧାନ ଅମଳ ସମୟ । କେଉଁଠି କଟା ଧାନ ବିଲରେ ପଡିଛି ତ ଆଉ କେଉଁଠି ଧାନ କାଟି ଖଳାକୁ ନେଉଛି ଚାଷୀ । ଏତିକି ବେଳେ ଯଦି ବର୍ଷା ହୁଏ ତେବେ ଚାଷୀଙ୍କ ଅବସ୍ଥା ସାଂଘାତିକ ହେବ । କାରଣ ୧୫ ଦିନ ତଳେ ହୋଇଥିବା ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ପାଚିଲା ଧାନକୁ ବ୍ୟାପକ କ୍ଷତି ହୋଇଥିଲା । ଏବେ ପୁଣି ବର୍ଷା ଡରକୁ ଦେଖି ଚାଷୀକୁଳ ହତାଶ ହୋଇପଡିଛନ୍ତି ।