Advertisment

ଛାଡିଯାଇଛି ଲଗାଣ ବର୍ଷା; କଲବଲ କରୁଛି ପାଣି

ଉପକୂଳ ଓଡ଼ିଶାରେ ବର୍ଷା ଛାଡିଥିଲେ ବି ହେଲେ ବଢିଯାଇଛି ଦୁର୍ଦ୍ଦଶା। ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ସାହି, ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।

author-image
Pramod Behera
ଅଦ୍ୟତନ ହୋଇଛି
Heavy Rain

Heavy Rain

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ବର୍ଷା ଛାଡିଥିଲେ ବି ହେଲେ ବଢିଯାଇଛି ଦୁର୍ଦ୍ଦଶା। ଲଗାଣ ବର୍ଷା ପରେ ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି। ପାଣିରେ ବୁଡି ରହିଛି ସାହି, ଗଳି, ଘରଦ୍ୱାର। ଘରେ ଘରେ ଆଣ୍ଠୁଏ ଉଚ୍ଚରେ ଛୁଟୁଛି ପାଣିର ସୁଅ। ରୋଷେଇବାସ ବନ୍ଦ, ଭୋକ ଉପାସରେ କଟୁଛି ଦିନ।

Advertisment

ଯଦି କଟକ କଥା ଦେଖାଯାଏ ତେବେ ସହର ଜଳବନ୍ଦୀ ହୋଇଯାଇଥିବା ବେଳେ କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ପାଣି ଚାଲିଛି। ନାଳ ନର୍ଦ୍ଦମା ପାଣିରେ ବୁଡି ରହିଛି। ଘରଦ୍ୱାର, କିଚେନ୍, ବେଡରୁମ୍ , ପୂଜାଘର ସବୁଠି ପାଣି। ହଜାରେ ବର୍ଷର ସହର କଟକର ପଟ୍ଟାପୋଲ ଅଂଚଳର ଲୋକେ ଜଳବନ୍ଦୀରେ ଥିବାରୁ ଖଟ ଉପରୁ ଓହ୍ଲାଇବା ବି ମୁସ୍କିଲ ହୋଇପଡିଛି। ସେହିପରି ସିଲ୍‌ଭର୍‌ସିଟି କଟକର ଇଦଗା କଲୋନୀ ବାହାରେ ଯେତିକି ପାଣୀ ଭିତରେ ବି ସେତିକି । ୨ ଦିନ ହେଲା ପାଣି ଘେରରେ ରହିଛନ୍ତି ଶହ ଶହ ଲୋକ। ଦୁଇ ଦିନର ବର୍ଷା ନିଦ ହଜାଇ ଦେଇଛି। ଘରୁ କେମିତି ପାଣି କାଢିବେ ସମସ୍ତକୁ ସେହି ଚିନ୍ତା ଘାରିଛି। ତିନିକୋଣିଆ ବଗିଚା ଇଲେକ୍ଟ୍ରିକାଲ ଅଫିସ ଭିତରେ ମଧ୍ୟ ଆଣ୍ଠୁଏ ପାଣି। ଜେଇଙ୍କ ଚାମ୍ବର ଠାରୁ ଷ୍ଟୋର୍‌ ରୁମ୍ ଯାଏଁ, ସବୁଠି ଭରିରହିଛି ପାଣି।

Advertisment

ଲଗାଣ ବର୍ଷା ଛାଡିଯାଇଥିଲେ ବି ପୁରୀରେ ଏବେବି ରାସ୍ତା ଉପରେ ଲହଡି ମାରୁଛି ୩ ଫୁଟର ପାଣି। ଶ୍ରୀକ୍ଷେତ୍ର ପୁରୀ ମାର୍କେଣ୍ଡେଶ୍ୱର ଅଂଚଳର ରାସ୍ତା ଉଚ୍ଚ, ତଳିଆ ଘର ଡ୍ରେନ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ବର୍ଷା ପାଣି ଘରେ ପଶିଛି। ଘର ଭିତରେ ଆଣ୍ଠୁଏ ପାଣି ଠିଆ ହୋଇଥିବାରୁ କାହାରିକୁ ନିଦ ନାହିଁ। ସେହିପରି ଅଖିଆ ଅପିଆ ରହିଛନ୍ତି ଜଗନ୍ନାଥ ବସ୍ତିର ୪୦ରୁ ଅଧିକ ପରିବାର। ପିଲାଛୁଆଙ୍କୁ ଧରି ପାଣିକୁ ଚାହିଁ ରହିଛନ୍ତି ସମସ୍ତେ।

ସେହିପରି ବର୍ଷା ବିପତ୍ତିରୁ ବଞ୍ଚିନି ବାଲେଶ୍ୱର। ସହରର ଗୁଡିପଦା ଅଂଚଳର ମୁଖ୍ୟ ରାସ୍ତା ଏବେ ବି ବୁଡି ରହିଥିବା ବେଳେ ଘର ଭିତରେ ୨ରୁ ୩ ଫୁଟର ପାଣି ଠିଆ ହୋଇଛି। କେଉଁଠି କାନ୍ଥ ଭୁଶୁଡିବା ଉପରେ। ଲୋକେ ଜରୁରୀ ଜିନିଷପତ୍ର ଧରି ଖଟ ଉପରେ ରାତି କାଟିନେଲେ। ହେଲେ ସକାଳୁ ପୁଣି ବର୍ଷା ହେବା ପରେ ବଢିଯାଇଛି ଦୁର୍ଦ୍ଦଶା।

ସେହିପରି ସ୍ମାର୍ଟସିଟି ଭୁବନେଶ୍ୱରର ସାହି ସାହିରେ ଲହଡି ମାରୁଛି ଲଗାଣ ବର୍ଷାର ଉଛୁଳା ଜଳ। ପାଣି ଘେରରେ ରହିଛି ପୂରା ସତ୍ୟବିହାର ଅଞ୍ଚଳ। ଟିକେ ବର୍ଷା ହେଲେ ପାଣି ଜମୁଥିବା ରାସ୍ତାରେ ଲଗାଣ ବର୍ଷା ପରେ ବେହାଲ ହୋଇଯାଇଛି ଅବସ୍ଥା। ଏଠାରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଦେଢବର୍ଷ ଧରି ବନ୍ଦ ଥିଲା, ଏବେ ଦେଢମାସ ହେଲା କାମ ଆରମ୍ଭ ହୋଇଥିବା ବେଳେ ଲଗାଣ ବର୍ଷା ସବୁ ବିଗାଡି ଦେଇଛି। ଓଦା ହୋଇଯାଇଛି ମୂଲ୍ୟବାନ କାଠରେ ତିଆରି ଅନେକ ଜିନିଷପତ୍ର। ସେପଟେ ବର୍ଷା ଛାଡିବା ପରେ ବି ବମିଖାଲ ଅଞ୍ଚଳରୁ ପାଣି କମିବାର ନାଁ ନେଉନି।

Odisha News Bhubaneswar Puri Cuttack
Advertisment
Advertisment