Advertisment

ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି

author-image
Sarbeswar
Flood

Flood

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି। ଆଜି ରାତି ୧୨ଟା ପରେ ମୁଣ୍ଡଳିରେ ସାଢେ ପ୍ରାୟ ୮ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ଯଦ୍ୱାରା ତଳି ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ। ସେହିପରି ସୁବର୍ଣ୍ଣରେଖାର ଜଳସ୍ତର ବଢୁଥିବାରୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକ ଉପରେ କଡା ନଜର ରଖାଯାଇଛି। ତେବେ ବର୍ତ୍ତମାନ ଲାଗି ବିଶେଷ ବିପଦ ନାହିଁ ବୋଲି କହିଛନ୍ତି ଏସଆରସି।

Advertisment

ମହାନଦୀରେ ମଧ୍ୟମ ଧରଣର ବନ୍ୟା ବଢି ଆସିବାରୁ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ଥିବା ଅନେକ ଗାଁରେ ପଶିଛି ପାଣି। ସୁବର୍ଣ୍ଣପୂର ବିନିକା ଅଞ୍ଚଳରେ ବି ପଶିଛି ପାଣି। ଜଳମଗ୍ନ ହୋଇଛି ଶହ ଶହ ଏକର ଚାଷ ଜମି। ବନ୍ୟାପାଣି ଲହଡି ମାରୁଥିବାରୁ ବିଲରେ ଚାଲିଛି ଡଙ୍ଗା । ସୋନପୁର-ବୀରମହାରାଜପୁର ରାସ୍ତାର ବିଜେପୁର ସେତୁ ଉପରେ ପାଣି ଚାଲୁଥିବାରୁ ଦୁଇ ସ୍ଥାନ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ମାଳତି ଯୋର ଉପରେ ୨ ଫୁଟ୍ ବନ୍ୟାପାଣି ପ୍ରଭାବିତ ହେଉଥିବାରୁ ସୋନପୁର-ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଣେ କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ବେଢାରେ ବି ପଶିଛି ବନ୍ୟାଜଳ। ମନ୍ଦିର ମୁଖ୍ୟଦ୍ୱାରକୁ ପାଣି ଛୁଇଁବାରୁ ମୁଖଶାଳାକୁ ବନ୍ଦ କରାଯାଇଛି। ଖୋର୍ଦ୍ଧା ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି।

Advertisment

ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟା ନଦୀ ଫୁଲି ଥିବାରୁ ତଳିଆ ଅଚଂଳର ଗାଁଗୁଡିକରେ ପାଣି ଘେରରେ ରହିଛି। ଓରବରସିଂହ ପଂଚାୟତର ହିରିମୂଳ ଓ ଡିହଖଲା ଗାଁ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ତେବେ ହୀରାକୁଦ ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଛି। ବନ୍ୟାଜଳ ନିଷ୍କାସନ ଜାରି ଥିବାରୁ ଆଜି ରାତି ୧୨ଟା ପରେ ମୁଣ୍ଡଳୀଠାରେ ସାଢେ ୭ଲକ୍ଷରୁ ୮ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ। ତେଣୁ ସତର୍କ ରହିବାକୁ ତଳି ଅଞ୍ଚଳର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ମାତ୍ର ଏହାଦ୍ୱାରା ସେମିତି କିଛି ବିପଦ ନାହିଁ ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ସେପଟେ ଲଗାଣବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା। ଫଳରେ ବାଲେଶ୍ୱର ସଦର ସମେତ, ରେମୁଣା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶହେରୁ ଅଧିକ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିପଦଥିବା ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବ୍ୟବସ୍ଥା କରାଯାଉଛି। ତେବେ ସ୍ଥିତି ଉପରେ କଡା ନଜର ରଖିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୁହଯାଇଛି।

ରାଜ୍ୟର ଅନ୍ୟ ପ୍ରମୁଖ ନଦୀ ବୈତରଣୀ, ବୁଢାବଳଙ୍ଗ ସମେତ ଜଳକାରେ ଜଳସ୍ତର କମିବାକୁ ଆରମ୍ଭ କରିଛି। ତେବେ ଆଗକୁ ପୁଣି ଆସୁଛି ଲଘୁଚାପ। ଆଉ ଏହି ସମୟରେ କେତେ ବର୍ଷା ହେଉଛି ତା ଉପରେ ବନ୍ୟାସ୍ଥିତି ନର୍ଭର କରିବ।

Subarnarekha River Odisha News Balasore Mahanadi Cuttack Flood Odisha
Advertisment
Advertisment