Advertisment

ଉପକୂଳ ଛାଡ଼ି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଛେଚୁଛି ଲଘୁଚାପ ବର୍ଷା

ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ

author-image
Sarbeswar
Weather

Weather

ଭୁବନେଶ୍ୱର: ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ। ସେପଟେ ଉଭୟ ବାସ ଓ ଚାଷ କ୍ଷୟକ୍ଷତିର ସପ୍ତାହକ ଭିତରେ ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି।

Advertisment

କାଲି ଉପକୂଳରେ ଛେଚୁଥିଲା। ଆଜି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ଢାଳୁଛି। ଜନଜୀବନକୁ କେମିତି ଆକ୍ତାମାକ୍ତା କରିଛି ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ତାହା ଏବେ ଦେଖିବାକୁ ମିଳିଛି। ସୋନପୁର ବ଼ଡ଼ବଜାର ଅଞ୍ଚଳର ଘର ଭିତରେ ଲହଡ଼ି ଭାଙ୍ଗୁଛି ୫ ଫୁଟ ଉଚ୍ଚର ବର୍ଷା ପାଣି, ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ। ସହରର ପଟାଭାଡ଼ି, ଟିକିରିପଡ଼ା ଆଦି ସ୍ଥାନ କଥା ବି ନକହିବା ଭଲ। ଶହ ଶହ ଏକର ଚାଷ ଜମିରେ ସୁଅ କାଟି ପାଣି ଚାଲିଛି। ସେହିପରି ରେକର୍ଡ ୩୬୧ ମିଲିମିଟର ବର୍ଷାରେ ଉବୁଟୁବୁ ହେଉଛି ପଡ଼ୋଶୀ ବୌଦ୍ଧ ଜିଲ୍ଲା। ଆକାଶ ମାର୍ଗରୁ ଚାଷ ଓ ବାସ ଉପରେ ବର୍ଷା ବିତ୍ପାତର ଚିତ୍ର ଯିଏ ଦେଖିବ ସେ ବି କିଛି ସମୟ ବାକ୍‌ରୁଦ୍ଧ ହୋଇଯିବ। ସୋନପୁର ଓ ବୌଦ୍ଧକୁ ସଂଯୋଗ କରୁଥିବା ତେଲନଦୀ କେମିତି ଫୁଲିଛି ସେ ଚିତ୍ର ବି ତୋଳି ଧରିଥିଲା ଓଟିଭି କ୍ୟାମେରା। ସେପଟେ ବଲାଙ୍ଗିରକୁ ବି ବେହାଲ କରିଛି ଲଘୁଚାପ ବର୍ଷା।

Advertisment

ଆଭ୍ୟନ୍ତର ଓଡ଼ିଶାରେ ବି ବ୍ୟତିବ୍ୟସ୍ତ କରିଛି ଲଗାଣ ବର୍ଷା। ଢେଙ୍କାନାଳ ଜିଲ୍ଲା ଓଉଖମା ଗାଁରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି। ଘରେ ଚୁଲି ଜଳୁନି। ବ୍ରାହ୍ମଣୀ ଫୁଲୁଥିବାରୁ ଭୁବନ ବ୍ଲକର ଜୟପୁର, ମାଳପୁରା, ଓଢଣା ଓ ଦଧିସିଙ୍ଗା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଆଙ୍କୁଲାଠାରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଆଠଗଡ଼ ଦେଇ ସମ୍ବଲପୁର ଓ ଅନୁଗୁଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭୋଗବେରଣୀ ନିକଟରେ ପୋଲ ଧସିଥିବାରୁ ଅନୁଗୁଳ- ତାଳଚେର ରୋଡ୍ ସିଙ୍ଗଲ ଲାଇନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଫଳରେ ଢେଙ୍କାନାଳ ସମ୍ବଲପୁର ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ସମ୍ବଲପୁର-ଭୁବନେଶ୍ୱର ମଧ୍ୟରେ ଉଭୟପଟୁ ଇଣ୍ଟର ସିଟି ଟ୍ରେନ୍ ବାତିଲ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ବହୁ ତଳିଆ ଅଂଚଳରେ ପାଣି ପଶିଛି। ଭଣ୍ଡାରୀ ପୋଖରୀର ପିରିପୁର ଗାଁର ୨୦ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି। ସେହିପରି ଗଂଜାମ ଧରାକୋଟ ଥାନା ରାମଚନ୍ଦ୍ରପୁର ଗାଁରେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ପିଲା ଆହତ ହୋଇଛନ୍ତି।

ଲଘୁଚାପ ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ୨ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ଏସ୍ଆରସି। ପ୍ରଭାବିତ ଅଞ୍ଚଳରେ କେତେ ଘର ଭାଙ୍ଗିଛି ଓ ଚାଷ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ହୀରାକୁଦ ଡ୍ୟାମର ୬ଟି ଗେଟ୍ ପର୍ଯ୍ୟାୟ କ୍ରମେ ଖୋଲାଯାଇଛି। ତେବେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ହୋଇ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଆସନ୍ତା ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଆକଳନ କରିଛନ୍ତି ଆଇଏମଡ଼ି ଡିଜି ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର।

SRC Rainfall Odisha
Advertisment
Advertisment