Advertisment

ଫୁଲୁଛି ମହାନଦୀ, ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ଜାରି

ହୀରାକୁଦ ଡ୍ୟାମ୍‌ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସନ ହେଉଛି।

author-image
Rajalaxmi Sahoo
Hirakud Dam

Hirakud Dam

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସନ ହେଉଛି। ଫଳରେ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା କରାଯାଉଛି। ମହାନଦୀର ଶାଖାନଦୀ ସମେତ ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି। ସେପଟେ ରାଜ୍ୟର ସମ୍ବଲପୁର-ସୋନପୁର ରାସ୍ତା ମାଳତୀଜୋର ବ୍ରିଜ୍ ଉପରେ ୨ ଫୁଟ ଉଚ୍ଚରେ ପାଣି ଚାଲୁଛି।

Advertisment

ମୁଣ୍ଡଳି ଓ ନରାଜରେ ଜଳସ୍ତର ଓ ଜଳ ନିଷ୍କାସନ ନେଇ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ସକାଳ ୬ଟା ସୁଦ୍ଧା ମୁଣ୍ଡଳି ଠାରେ ୫,୯୬,୯୫୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ମୁଣ୍ଡଳି ଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ଜଳସ୍ତର ୮୮.୯୦ ଫୁଟ ରହିଛି। ସେହିପରି ସକାଳ ୬ଟା ସୁଦ୍ଧା ନରାଜ ଠାରେ ୨,୯୫,୬୭୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ଜଳସ୍ତର ୨୫.୫୦ ମିଟର ରହିଛି। 

Advertisment

ଲଗାଣ ବର୍ଷାରେ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀରେ ଜଳ ପତ୍ତନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଯାଜପୁର, ବରି ଓ ଦଶରଥପୁର ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀର ରସୁଲପୁର ବ୍ଲକର ବନ୍ଧଡିହିଠାରେ ଗୋଟିଏ ଓ ବରି ବ୍ଲକର ମାଟିଆପଡାରେ ୨ଟି ଘାଇ ସୃଷ୍ଟି ହୋଇଛି। ଫଳରେ ଧାରପୁର, ସାହୁପଡ଼ା, ବାଲିଆ ଓ ଇଶାଣପୁର ଆଦି ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଖରସ୍ରୋତା ଓ ବୁଢ଼ାନଦୀରେ ବନ୍ଧ ଡେଇଁ ପାଣି ଯାଜପୁର ବ୍ଲକର ଶିମିଳିଆ, ପଣସା ଆଦି ଅଞ୍ଚଳରେ ପଶିଛି। ବର୍ଷା ଓ ବନ୍ୟା ଯୋଗୁ ଜିଲ୍ଲାରେ ୭୨୪ଟି ଗାଁର ୯୨ ହଜାର ଲୋକେ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ସୁଚନା ଦେଇଛି। ୬୭ଟି ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଖାପାଖି ୪୮ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପ୍ରାଥମିକ ଆକଳନ କରିଛି। ଜଳବନ୍ଦୀ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଉଥିବା ଅତିରିକ୍ତ ଜିଲ୍ଲପାଳ ସୂଚନା ଦେଇଛନ୍ତି। 

ସେହିପରି ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡଙ୍ଗାଡିହା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଜୀବନକୁ ବାଜି ଲଗାଇ ବାଉଁଶକୁ ସାହାରା କରି ନଦୀ ପାର୍‌ ହେଉଛନ୍ତି ଲୋକେ। ଗଛ ଉପରେ ବାଉଁଶ ବାନ୍ଧି ଏପରି ବିପଜ୍ଜନକ ଭାବେ ଲୋକମାନେ ନଦୀ ପାର୍‌ ହେଉଛନ୍ତି। ବର୍ଷାରେ ସାଳନ୍ଦୀ ନଦୀ ଫୁଲିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହିର ପ୍ରାୟ ୧୫ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାଳନ୍ଦୀ ନଦୀରେ ହୋଇଥିବା ଦୁଇଟି ଅସ୍ଥାୟୀ ବାଉଁଶ ପୋଲ ଓ କାଠ ପୋଲ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଗତ ସୋମବାରରୁ ୨ ଶହ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। 

Flood Water Mahanadi Hirakud Dam Odisha
Advertisment
Advertisment