• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ନଭେମ୍ବର ୧୭ରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ । ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ । ଏଥିପାଇଁ ଭାରତ ତାର ୧୬ ଜଣିଆ ଟିମ୍‌ ମଧ୍ୟ ଘୋଷଣା କରି ସାରିଛି । ଆଉ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ମଇଦାନରେ ରୋହିତ ଶର୍ମା ମଙ୍ଗ ଧରିବେ ବୋଲି ସ୍ଥିର ହୋଇସାରିଛି । ତାଙ୍କ ଅଧିନରେ ନ୍ୟଜିଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଦଳ । ହେଲେ ଟି-ଟ୍ୱେଣ୍ଟି ପରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ କିଏ ହେବ ଅଧିନାୟକ । ସେନେଇ ଏବେ ସୁଦ୍ଧା ଚୟନକର୍ତ୍ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ । କୋହଲିଙ୍କ ଅନୁପସ୍ଥିତିରେ ଏବେ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆସିଛି । ଜଣେ ହେଲେ ରୋହିତ ଶର୍ମା ଓ ଆଉ ଜଣେ ଅଜିଙ୍କ୍ୟ ରାହାଣେ । ଗୋଟିଏ ପଟେ ଅଧିନାୟକ ଭାର କାହା କାନ୍ଧରେ ରହିବ ସେନେଇ ସ୍ଥିର ହୋଇପାରିନଥିବା ବେଳେ ପୂରା ଟିମ୍‌ ଚୟନ ମଧ୍ୟ ଶେଷ ହୋଇପାରି ନାହିଁ ।

ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଲମ୍ବା ଛୁଟିରେ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ ହେବେ କି ନାହିଁ ସନ୍ଦେହ । ତେଣୁ ତାଙ୍କ ଅନୁପସ୍ଥିତିରେ କିଏ ହେବ ଦଳର ଅଧିନାୟକ ? ସେନେଇ ପଡ଼ିଛି ଭାଳେଣି । ପୂର୍ବରୁ କୋହଲି ନଥିଲେ ରାହାଣେ ସମ୍ଭାଳୁଥିଲେ ଦଳ । ହେଲେ ଏବେ ରାହାଣେ ଭଲ ଫର୍ମରେ ନଥିବାରୁ ସେ ଦଳରେ ସାମିଲ ହେବେ କି ନାହିଁ ଉଠିଛି ପ୍ରଶ୍ନ । ଅନ୍ୟପଟେ ରୋହିତ ଟି-୨୦ ଦଳର ଅଧିନାୟକ ହେବା ପରେ ସମୀକରଣ ବଦଳି ଯାଇଛି । ତେଣୁ ଟେଷ୍ଟ ଦଳର ଅଧିନାୟକତ୍ୱକୁ ନେଇ ଦ୍ୱନ୍ଦ୍ୱ ରହିଛି ।

ରାହାଣେଙ୍କୁ ନେଇ ଦ୍ୱନ୍ଦ୍ୱ

ରାହାଣେ ନିଜ ଅଧିନାୟକତ୍ୱରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ । ହେଲେ ଏହା ପରଠୁ ତାଙ୍କ ବ୍ୟାଟ୍‌ ନୀରବ ହୋଇଯାଇଛି । କାରଣ ଏହାପରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ରେ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ପ୍ରଦର୍ଶନ ଖୁବ୍‌ ନୈରାଶ୍ୟଜନକ ରହିଥିଲା । ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ଏମିତିକି ଇଲଂଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ଟି ଯାକ ଟେଷ୍ଟରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ତାଙ୍କୁ ୧୧ ଜଣିଆ ତାଲିକାରେ ସାମିଲ କରାଯିବ କି ନାହିଁ, ସେନେଇ ଦ୍ୱନ୍ଦ୍ୱ ଉପୁଜୁଛି । ଚୟନକର୍ତ୍ତା ନୂଆ ଅଧିନାୟକ ବାଛିବା ପୂର୍ବରୁ ନୂଆ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ସହ ମଧ୍ୟ ଆଲୋଚନା କରିବେ ଏବଂ ତାଙ୍କର ରାୟ ନେବା ପାଇଁ ଚାହିଁବେ । ନୂଆ ଅଧିନାୟକ ଚୟନ କରିବାରେ ଦ୍ରାବିଡ଼ଙ୍କ ଭୂମିକା ଗରୁତ୍ୱପୂର୍ଣ୍ଣ ରହିବ ବୋଲି ମଧ୍ୟ କୁହାଯାଉଛି ।

ସୂଚନା ଅନୁଯାୟୀ, ଟେଷ୍ଟ ସିରିଜ ପାଇଁ ଶୁକ୍ରବାର ଦଳ ଘୋଷଣ କରାଯିବ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ନେବା ପାଇଁ କୁହାଯାଇପାରେ ।

ରୋହିତଙ୍କ ପଲ୍ଲା ଭାରୀ

ପାଖାପାଖି ବର୍ଷେ ହେବ ରାହାଣେ ଫର୍ମକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି । ଗତବର୍ଷ ମେଲବୋର୍ଣ୍ଣ ଟେଷ୍ଟ ପରେ, ଯଦି ଆମେ ରୋହିତ ଏବଂ ରାହାଣେଙ୍କ ବ୍ୟାଟିଂ ରେକର୍ଡକୁ ଦେଖିବା, ତେବେ ହିଟମ୍ୟାନ୍‌ ରୋହିତଙ୍କ ପଲ୍ଲା ଭାରି ରହିଛି । ଏହି ସମୟ ମଧ୍ୟରେ ରୋହିତ ୧୧ଟି ଟେଷ୍ଟରେ ୪୮ ହାରରେ ୯୦୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ଦୁଇଟି ଶତକ ମଧ୍ୟ ସାମିଲ ଅଛି । ଅନ୍ୟପଟେ ରାହାଣେ ସମାନ ୧୧ଟି ଟେଷ୍ଟ ଖେଳିଥିଲେ ବି ତାଙ୍କ ଖାତାରେ ଯୋଡ଼ି ହୋଇଛି ମୋଟ୍‌ ୩୭୨ ରନ୍ ।