• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି । ୨୦୦୧ ରେ ଅଷ୍ଟ୍ରେଲିଆର କ୍ରମାଗତ ଭାବେ ୧୬ ଟି ଟେଷ୍ଟ ଜିତିବାର ଧାରାକୁ ଅଟକାଇବା ଏବଂ ଫଲୋଅନ୍ ଖାଇବା ପରେ ୨୮୧ ରନ୍‌ର ଏକ ବଡ ଇନିଂସ ଖେଳିବା ଭାରତୀୟ କ୍ରିକେଟ ଇତିହାସରେ ଚିରସ୍ମରଣୀୟ ହୋଇ ରହିଛି । ତାଙ୍କୁ ଟେଷ୍ଟ କ୍ରିକେଟର ଅନେକ ଖ୍ୟାତି ଅର୍ଜନ କରିଛନ୍ତି ।

ନଭେମ୍ବର ୧, ୧୯୭୪ ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ । ସେ ଭାରତୀୟ ଦଳର ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ ଭାବେ ବେଶ ପରିଚିତ । ସେ ଏମିତି ସମୟରେ ଭାରତ ପାଇଁ ଖେଳିଥିଲେ, ଯେଉଁ ସମୟରେ ଭାରତ ଦଳରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଭଳି ପ୍ରତିଭାଶାଳୀ ଖେଳାଳୀ ଥିଲେ । କିନ୍ତୁ ସେ ତାଙ୍କ ପ୍ରତିଭା ବଳରେ ଭାରତ ଦଳରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ ।

ଖୁବ୍ କମ୍ ଲୋକ ଜାଣିଥିବେ ଯେ ଲକ୍ଷ୍ମଣ କ୍ରିକେଟର ହେବା ପୂର୍ବରୁ ଡାକ୍ତର ହେବାକୁ ଯାଉଥିଲେ । ସେ ହାଇଦ୍ରାବାଦର ଲିଟିଲ୍ ଫ୍ଲାୱାର ସ୍କୁଲରୁ ଦ୍ୱାଦଶ ପାସ୍ କରିବା ପରେ MBBS ଆଡମିଶନ କରିଥିଲେ । କିନ୍ତୁ କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଡାକ୍ତର ବଦଳରେ ଏକ ଖେଳ ପଡିଆ ଆଡକୁ ଟାଣି ନେଇଥିଲା । ଲକ୍ଷ୍ମଣଙ୍କ ପିତାମାତା ଉଭୟ ଡାକ୍ତର ଥିଲେ । କିନ୍ତୁ ସେ ନିଜ ପଥ ନିଜେ ବାଛିଥିଲେ ଏବଂ ଶେଷରେ MBBS ଛାଡି କ୍ରିକେଟ୍ ରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା କରିବା ତାଙ୍କ ପ୍ରତି ସହଜ ନଥିଲା । କାରଣ ପରିବାର ତାଙ୍କୁ କ୍ରିକେଟରେ କ୍ୟାରିୟର କରିବା ନେଇ ମାତ୍ର କିଛି ବର୍ଷ ସମୟ ଦେଇଥିଲେ । କ୍ରିକେଟ ପ୍ରତି ତାଙ୍କର ଉତ୍ସାହ ଓ ଭଲପାଇବା କାରଣରୁ ସେ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇପାରିଥିଲେ ।

୧୯୯୬ ରେ ଲକ୍ଷ୍ମଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । କିଛିଟା ଭଲ ଇନିଂସ ଖେଳିବା ପରେ ସେ ତାଙ୍କ ଫର୍ମକୁ ବଜାୟ ରଖିପାରି ନଥିଲେ । ସେଥିପାଇଁ ତାଙ୍କୁ ଟିମ୍‌ରୁ ବାଦ୍‌ ଦିଆଯାଇଥିଲା । ତା’ପରେ ୨୦୦୦ ରେ, ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହା ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଦେଇଥିଲା । ସିଡନୀ ଟେଷ୍ଟରେ ଭିଭିଏସ୍ ଲକ୍ଷ୍ମଣ ୧୬୭ ରନ୍ ର ଏକ ଧୁଆଁଧାର ଇନିଂସ ଖେଳିଥିଲେ । ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ ଥିଲା । ଏହି ଶତକ ପରେ ତାଙ୍କର ଆତ୍ମବିଶ୍ୱାସ ବଢିଯାଇଥିଲା । ସେ ସେହି ବର୍ଷ ରଣଜି ଟ୍ରଫିରେ ୧୪୦୦ ରନ୍ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା । ୨୦୦୩-୨୦୦୪ ରେ ଲକ୍ଷ୍ମଣ କଙ୍ଗାରୁ ଟିମ୍ ବିପକ୍ଷରେ ଦୁଇଟି ଶତକ ଲଗାଇଥିଲେ । ଲକ୍ଷ୍ମଣ ଏକଦିବସୀୟ କ୍ରିକେଟରେ ମୋଟ ୬ ଟି ଶତକ ହାସଲ କରିଛନ୍ତି । ସେଥିମଧ୍ୟରୁ ୪ ଟି ଶତକ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଛନ୍ତି । ସେ ମୋଟ ୧୩୪ ଟି ଟେଷ୍ଟ ମ୍ୟାଚ ଖେଳି ୮୭୮୧ ରନ ସଂଗ୍ରହ କରିଛନ୍ତି ।