• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକ୍ସ ହକିରେ ଭାରତକୁ ପଦକ ।

  • ଖୁସିରେ ବୁଡ଼ିଛି ସାରା ଭାରତ ।

  • ଟିମ ଇଣ୍ଡିଆର ସଫଳତାରେ ଶତମୁଖ ପ୍ରତିଟି ଭାରତୀୟ ।

ନୂଆଦିଲ୍ଲୀ: ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକ୍ସ ହକିରେ ଭାରତକୁ ପଦକ । ଖୁସିରେ ବୁଡ଼ିଛି ସାରା ଭାରତ । କରୋନା ଭଳି ମାହାମାରୀ ସମୟରେ ଦେଶବାସୀ ତ୍ରସ୍ତ ଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଦେଶବାସୀଙ୍କ ମୁହଁରେ ଆଣିଛି ହସର ଫୁଆରା । ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜର୍ମାନୀକୁ ହରାଇ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ଜିଣିବା ସହ ପୁଣି ଇତିହାସ ରଚିଥିବାରୁ ଟିମ ଇଣ୍ଡିଆର ସଫଳତାରେ ଶତମୁଖ ପ୍ରତିଟି ଭାରତୀୟ ।

ଭାରତୀୟ ପୁରୁଷ ହକି ଦଳର ଐତିହାସିକ ସଫଳତା ପରେ ମୁହଁରେ ଅଫୁରନ୍ତ ଖୁସି । ଆନନ୍ଦରେ ଉଚ୍ଛୁଳି ଉଠୁଛି ଓଡ଼ିଶାର ହକି ଏନ୍ତୁଡ଼ିଶାଳ ରାଉରକେଲାର ପାନପୋଷ ହଷ୍ଟେଲ ଗ୍ରାଉଣ୍ଡ । ଢୋଲ ବାଦ୍ୟର ତାଳେ ତାଳ ଝୁମି ଉଠିଛନ୍ତି ଜାତୀୟ କ୍ରୀଡ଼ାର ପରବର୍ତ୍ତୀ ଦାୟଦମାନେ ।

ଟୋକିଓ ଅଲିମ୍ପିକ୍ସରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ବ୍ରୋଞ୍ଜ୍ ପଦକ ହାସଲ ପରେ ଅଲିମ୍ପିକ୍ସ ଇତିହାସରେ ପୁଣି ସ୍ୱର୍ଣ୍ଣାକ୍ଷରରେ ନାଁ ଲିପିବଦ୍ଧ କରିଛି ଭାରତ । ଆଉ ଦୀର୍ଘ ୪ ଦଶନ୍ଧି ପରେ ଭାରତକୁ ପଦକ ବିଜୟର ଖୁସି ମିଳିଥିବାରୁ ତାକୁ ଭିନ୍ନ ଢ଼ଙ୍ଗରେ  ବାଣ୍ଟିଥିଲେ ପାନପୋଷ୍ଟ କ୍ରୀଡ଼ା ହଷ୍ଟେଲର ଅନ୍ତେବାସୀ ।

ଏପଟେ ମ୍ୟାଚ୍ ଆରମ୍ଭରୁ ଭାବବିହ୍ୱଳ ହୋଇପଡ଼ିଥିଲେ ଭାରତୀୟ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କ ଗାଁ ସୌନାମରା ବାସିନ୍ଦା । ଅମିତଙ୍କ ଘରେ ଲାଗିଥିବା ଟେଲିଭିଜନ୍ ସ୍କ୍ରିନ ଆଗରେ ଭିଡ଼ ଜମାଇଥିଲେ ପିଲାଠୁ ବୁଢା । ଆଉ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତର ଚିତାକର୍ଷକ ବିଜୟ ପରେ ସୌନାମରା ଗାଁରେ ଆରମ୍ଭ ହୋଇଥିଲା ଦେଶୀ ଷ୍ଟାଇଲ ସେଲିବ୍ରେସନ୍ । ଗାଁ ଦାଣ୍ଡରେ ଉଡ଼ିଥିଲା ମିଠା ଓ ଆଉ ଚକୋଲେଟ ଫୁଆରା ।

ସେହିଭଳି ଟିମ୍ ଇଣ୍ଡିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରାଙ୍କୁ ନେଇ ମଧ୍ୟ ଖୁସିରେ ଫାଟିପ଼ଡୁଥିଲେ ତାଙ୍କ ପରିବାର ଲୋକ । ବୟସାଧିକ ସମସ୍ୟା ଯୋଗୁଁ ମାଆ ସିନା କଥା କହିପାରୁନଥିଲେ, ହେଲେ ପୁଅର ସଫଳତାରେ ତାଙ୍କ ପାଦ ମାଟିରେ ଲାଗୁନଥିଲା ।

ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ, ଗ୍ରାଣ୍ଡ ସେଲିବ୍ରେସନରେ ମାତି ଯାଇଥିଲେ ହକି ପ୍ରଶିକ୍ଷାର୍ଥୀ । ଚକ୍ ଦେ ଇଣ୍ଡିଆରୁ ବନ୍ଦେ ଉତ୍କଳ ଜନନୀ ଯାଏ ସବୁ ଦେଶାତ୍ମବୋଧକ ଟ୍ରାକ୍‌ରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ ପରିସର । ନାଚ, ଗୀତ ଓ ଖୁସରେ ମତୁଆଲା ହୋଇ ଉଠିଥିଲେ ସମସ୍ତେ ।

ସେହିଭଳି ଭାରତୀୟ ହକି ଦଳର ଏ ଅଭୂତପୂର୍ବ ସଫଳତାରେ ଖୁସି ସାଉଁଟୁଥିଲା ସମଗ୍ର ଦେଶ । ପଞ୍ଜାବରୁ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରୁ ମଣିପୁର ଯାଏଁ ସବୁଠି ଥିଲା ଆନନ୍ଦ ଓ ଉତ୍ସବ ମୁଖର ପରିବେଶ । ଟିମ୍ ଇଣ୍ଡିଆର କ୍ୟାପଟେନ୍ ମନପ୍ରୀତ ସିଂଙ୍କ ପଞ୍ଜାବ ଜଳନ୍ଧରସ୍ଥିତ ବାସଭନବନରେ ପୁଅର ସଂଘର୍ଷ ଦେଖିବାକୁ ଆଖିରୁ ଯେମିତି ପଲକ ହଟାଉନଥିଲେ ପରିବାର ଲୋକେ ।

ସେହିଭଳି ଆଜିର ମ୍ୟାଚ୍ ବେଳେ ମିନି ଇଣ୍ଡିଆ ପାଲଟିଥିଲା ଗୋଲ୍ କିପର୍ ଶ୍ରୀଜେସ୍ ପିଆର୍‌ଙ୍କ ଘର । ଟୋକିଓରେ ପୁଅ ଶ୍ରୀଜେସ ପ୍ରତିପକ୍ଷ ଟିମର ଗୋଲକୁ ନିଷ୍ଫଳ କଲାବେଳକୁ ଏପଟେ ଆତ୍ମହରା ହୋଇ ଉଠୁଥିଲେ ସାରା ପାରିବାର ।