• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି । ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ସୁପର ୧୨ର ଗ୍ରୁପ୍‌ ୨ ମୁକାବିଲାରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳକୁ ଏକ ତରଫା ଭାବେ ଆଠ ୱିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲ୍ୟାଣ୍ଡ । ଏହି ପରାଜୟ ପରେ ଭାରତର ସେମିଫାଇନାଲ ଆଶା କ୍ଷିଣ ହୋଇଛି । ଖାଲି ସେତିକି ନୁହେଁ ଏଥିରେ କୋହଲିଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ଭାରତୀୟ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ଏବେ ସମସ୍ତଙ୍କ ଟାର୍ଗେଟ୍‌ରେ ବିରାଟ କୋହଲି । ସୋସିଆଲ ମିଡିଆରେ କୋହଲିଙ୍କୁ ବାରମ୍ବାର କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ତେବେ ଏହାରି ଭିତରେ ଏମିତି ବି କିଛି ଖବର ଆସୁଛି, ଯେ କିଛି ସୋସିଆଲ ମିଡିଆ ୟୁଜର୍ସ କୋହଲିଙ୍କ ପରିବାରକୁ ଧମକ ଦେଉଛନ୍ତି । ତେବେ କୋହଲିଙ୍କ ପରିବାର ପ୍ରତି ବିପଦ ଥିବା ଜାଣିବା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଇନଜାମାମ କହିଛନ୍ତି ଯେ ଲୋକମାନଙ୍କର ସମାଲୋଚନା କରିବାର ଅଧିକାର ଅଛି, କିନ୍ତୁ ସେମାନେ ନିଜ ସୀମା ମଧ୍ୟରେ ରହିବା ଉଚିତ୍ ।

ଇନ୍‌ଜାମାମ୍‌ ନିଜ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା କହିଛନ୍ତି ଯେ, ‘ମୁଁ ଶୁଣୁଛି ବିରାଟ କୋହଲିଙ୍କ ଝିଅକୁ ଧମକ ଚମକ ଦିଆଯାଉଛି । ଲୋକମାନେ ବୁଝିବା ଆବଶ୍ୟକ ଯେ, ଏହା କେବଳ ଏକ ଖେଳ । ଆମେ ଭିନ୍ନ-ଭିନ୍ନ ଦେଶ ପାଇଁ ଖେଳୁଛୁ କିନ୍ତୁ ଆମେ ସମାନ ସମ୍ପ୍ରଦାୟର । କୋହଲିଙ୍କ ବ୍ୟାଟିଂ କିମ୍ବା ତାଙ୍କ ଅଧିନାୟକତ୍ୱକୁ ନେଇ ସମାଲୋଚନା କରିବାର ଅଧିକାର ଆପଣଙ୍କର ରହିଛି । କିନ୍ତୁ କାହାକୁ ବି କ୍ରିକେଟରଙ୍କ ପରିବାରକୁ ଟାର୍ଗେଟ କରିବାର ଅଧିକାର ଦିଆଯାଇନାହିଁ ।’ ଇନ୍‌ଜାମାମ୍‌ ମହମ୍ମଦ ଶାମିଙ୍କ ବିଷୟରେ ମଧ୍ୟ କହିଛନ୍ତି ଯେ, 'କିଛି ଦିନ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଥିଲା । ଜିତିବା ଏବଂ ହାରିବା ଖେଳର ଏକ ଅଂଶ । କୋହଲିଙ୍କ ପରିବାରକୁ ଟାର୍ଗେଟ କରିବା ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ ।’

ଇନ୍‌ଜାମାମ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଷ୍ଟ୍ରାଇକ୍ ରୋଟେଟ କରିବା ପାଇଁ ଯେଉଁଭଳି ସଂଘର୍ଷ କରୁଥିଲେ ତାହା ଦେଖି ମୁଁ ଆଶ୍ଚର୍ଯ୍ୟ । ଟୁର୍ନାମେଣ୍ଟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା । ଭାରତ-ପାକିସ୍ତାନ ମ୍ୟାଚ୍ ପରେ ବୋଧହୁଏ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା । ଭାରତୀୟ ଦଳ ଯେଉଁଭଳି ଖେଳିଲା ତାହା ଦେଖି ମୁଁ ଆଶ୍ଚର୍ଯ୍ୟ । ମୁଁ ବୁଝିପାରିଲି ନାହିଁ ଯେ, ଭାରତୀୟ ଦଳ କିପରି ନିଜ ଉପରେ ଏତେ ଚାପ ପକାଇପାରେ । ମୁଁ ଟିମ୍ ଇଣ୍ଡିଆ ଏଭଳି ଖେଳୁଥିବା କେବେ ଦେଖି ନାହିଁ । ନ୍ୟୁଜିଲ୍ୟାଣ୍ଡର ଉଭୟ ସ୍ପିନର ଭଲ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ବିଶ୍ୱ ସ୍ତରର ସ୍ପିନର ନୁହଁନ୍ତି । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନ୍ ସିଙ୍ଗିଲ୍‌ ରନ୍‌ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା ।