• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୫ ତମ ସଂସ୍କରଣ ବା ୨୦୨୨ ଆଇପିଏଲ ପାଇଁ ଦଳ ଗୁଡ଼ିକ ବିସିସିଆଇ ପାଖକୁ ରିଟେନ୍‌ସନ୍‌ ଓ ରିଲିଜ୍‌ କରିଥିବା ଖେଳାଳିଙ୍କ ତାଲିକା ପଠାଇ ସାରିଛନ୍ତି । ଏହି ସମସ୍ତ ତାଲିକା ପାଇବା ପରେ ବିସିସିଆଇ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଏହି ତାଲିକା ପଠାଇବାର ଶେଷ ତାରିଖ ଥିଲା ।

ତେବେ ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ । ସେହିଭଳି ତିନି ଜଣ ଖେଳାଳିଙ୍କୁ ରିଟେନ୍‌ କଲେ ଏହି ରାଶି ହ୍ରାସ ପାଇ ୩୩ କୋଟି ଟଙ୍କା ହେବ । ଯଦି କୌଣସି ଖେଳାଳି ମାତ୍ର ଦୁଇ ଜଣ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ । ଠିକ୍‌ ସେହିଭଳି ଯଦି କୌଣସି ଦଳ ଜଣେ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୧୪ କୋଟି ଟଙ୍କା ଦେବାକୁ ପଡ଼ିବ ।

ଗୋଟିଏ ପଟେ ଏହି ତାଲିକା ବିଷୟରେ ଜାଣିବା ପାଇଁ ଫ୍ୟାନ୍ସମାନେ ଚାତକ ଭଳି ଚାହିଁ ରହିଥିବା ବେଳେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ନିଜ ତରଫରୁ ଚାରି ଜଣ ଖେଳାଳି ବାଛିଛନ୍ତି । ଷ୍ଟାର ସ୍ପୋର୍ଟସ ସହିତ ଆଲୋଚନା ବେଳେ ସେ, ରିତୁରାଜ ଗାଇକୱାଡ, ରବିନ୍ଦ୍ର ଜାଡେଜା, ଫାଫ ଡୁ ପ୍ଲେସିସ୍ ଏବଂ ସାମ କରନଙ୍କ ନାଁ କହିଛନ୍ତି । ଏହି ଚାରି ଖେଳାଳିଙ୍କୁ ସେ ରିଟେନ୍‌ ତାଲିକାରେ ରଖିଛନ୍ତି ।

ତେବେ ଗମ୍ଭୀର କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରିଟେନ୍‌ ତାଲିକାରେ ସ୍ଥାନ ଦେଇ ନାହାଁନ୍ତି । ୪ ରିଟେନ୍‌ ଖେଳାଳିଙ୍କ ତାଲିକାରେ ଧୋନିଙ୍କ ନା ରଖିନାହାନ୍ତି ଗମ୍ଭୀର । ହେଲେ ଏହା ପଛରେ କ’ଣ କାରଣ ଥାଇପାରେ ତାହା ଅସ୍ପଷ୍ଟ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ସିଏସ୍‌କେ ଅଧିନାୟକଙ୍କ ରିଟେନ୍ ହେବାର ସମ୍ଭାବନା ସବୁଠୁ ଅଧିକ । କାରଣ ଧୋନି ଆଗାମୀ ଆଇପିଏଲ୍‌ ଖେଳିବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ଧୋନି CSKର ସବୁଠାରୁ ଅଧିକ ଟଙ୍କା ନେଉଥିବା ଖେଳାଳିଙ୍କ ମଧ୍ୟରୁ ଜଣେ ।

ତେବେ ଦଳରେ ରିତୁରାଜ ଗାଇକୱାଡ ଏବଂ ରବିନ୍ଦ୍ର ଜାଡେଜା ରିଟେନ୍‌ ହେଉଥିବା ପ୍ରାୟତଃ ସ୍ଥିର ହୋଇସାରିଛି । ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ସାମ୍ କରନ, ଫାଫ୍ ଡୁ ପ୍ଲେସିସ୍ ଏବଂ ମୋଇନ୍ ଅଲିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ଗୋଟିଏ ଦଳ ସର୍ବାଧିକ ୨ ଜଣ ବିଦେଶୀ ଖେଳାଳିଙ୍କୁ ରିଟେନ୍‌ କରିପାରିବାର ବ୍ୟବସ୍ଥା ରହିଛି ।

ରିଟେନ୍‌ ଓ ରିଲିଜ୍‌ ତାଲିକା ବିଦ୍ଧିବଦ୍ଧ ଭାବେ ପ୍ରକାଶ ପାଇବା ପୂର୍ବରୁ ଇଏସ୍‌ପିଏନ୍‌ କ୍ରିକ୍‌ ଇନ୍‌ଫୋର ତଥ୍ୟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍‌ସ ଧୋନି, ଜାଡେଜା, ଗାଇକୱାଡ ଏବଂ ମୋଇନଙ୍କୁ ରିଟେନ୍‌ କରି ସାରିଛି । ରିତୁରାଜ ଗାଇକୱାଡ୍ ଆଇପିଏଲ୍ ୨୦୨୧ରେ ୬୩୫ ରନ୍‌ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ଜିତି ଥିବାବେଳେ ମୋଏନ୍ ଅଲି ମଧ୍ୟ ନିଜର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦଳର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି । ସେ ଅତି କମରେ ଆଉ ଗୋଟିଏ ସିଜିନରେ ଦଳ ସହ ଖେଳିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । କିଛି ଦିନ ପୂର୍ବରୁ ଧୋନି ଏକ କାର୍ଯ୍ୟକ୍ରମରେ କହିଥିଲେ, ସେ ନିଜର ଶେଷ ଟି-ଟ୍ୱେଣ୍ଟି ଚେନ୍ନାଇରେ ଖେଳିବେ ।