• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ୟୁରୋ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଗାମୀ ଟି-୨୦ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । କାରଣ ବିରାଟ କୋହଲି ଟ-୨୦ ଟିମ୍‌ର ଅଧିନାୟକ ପଦ ଛାଡ଼ିସାରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ସିରିଜ, ଆଗାମୀ ୧୭ ତାରିଖରୁ ଆରମ୍ଭ ହେବ । ହେଲେ ଉଭୟ ଦଳ ମଧ୍ୟରେ ୨୫ ନଭେମ୍ବରରୁ ଆରମ୍ଭ ହେବ, ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଏକ ଅଂଶ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏଥିରୁ ବାଦ୍‌ ପଡ଼ିପାରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ସେ ଦୁଇଟି ଯାକ ଟେଷ୍ଟରେ ଖେଳିବା ନେଇ ଏବେ ସନ୍ଦେହ ଉପୁଜିଛି । କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଦଳର ଅଧିନାୟକ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ, ଏବେ ତାଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ।

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଲମ୍ବା ଛୁଟିରେ ଯାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଏବଂ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । କିନ୍ତୁ ଏବେ ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଥିବା ବେଳେ ସେନେଇ ମଧ୍ୟ ସନ୍ଦେହ ଉପୁଜିଛି । ତେବେ ଟେଷ୍ଟ ସିରିଜ୍‌ରେ କିଏ ଧରିବ ମଙ୍ଗ ସେନେଇ ପ୍ରଶ୍ନ ।

ସବୁଠାରୁ ବଡ଼ ପ୍ରଶ୍ନ ହେଲା ରୋହିତ ଶର୍ମା କାହିଁକି ଖେଳିବେନି ଟେଷ୍ଟ ସିରିଜ୍‌ ? ମିଳିଥିବା ସୂଚନା ଅନୁଯାୟୀ ରୋହିତଙ୍କୁ ଦଳରୁ ବଦ୍‌ ଦିଆଯାଇନି କିନ୍ତୁ ସେ ନିଜେ ଦଳରେ ସାମିଲ ହେବାକୁ ଚାହୁଁନାହାନ୍ତି । ସେ ବିସିସିଆଇଠାରୁ ବିଶ୍ରାମ ନେବା ପାଇଁ ଅନୁମତି ମାଗିଛନ୍ତି ।

ଯଦି ବିସିସିଆଇ ରୋହିତ ଶର୍ମାଙ୍କୁ ବିଶ୍ରାମ ପାଇଁ ଅନୁମତି ଦେବ । ତେବେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆଜିଙ୍କ୍ୟ ରାହାଣେଙ୍କର, ପୂର୍ବରୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ରହିଛି । ଏହାସହ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରାହାଣେ ଦଳକୁ ବିଜୟୀ କରାଇଥିଲେ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହି ଅଷ୍ଟ୍ରେଲିଆ ସିରିଜ୍‌ ପରଠାରୁ ରାହାଣେଙ୍କ ବ୍ୟାଟ୍‌ ନୀରବ ହୋଇଯାଇଛି । ତେଣୁ ତାଙ୍କୁ ୧୧ ଜଣିଆ ତାଲିକାରେ ସାମିଲ କରିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଅଜିଙ୍କ୍ୟ ରାହାଣେ ମୋଟ ୭ଟି ଇନିଂସ ଖେଳିଥିବା ବେଳେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଲର୍ଡସରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ୬୧ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ୬ଟି ଇନିଂସରେ ଯଥାକ୍ରମେ ୧୪,୦, ୧୮,୧୦, ୧ ଏବଂ ୫ ରନ୍ କରିଥିଲେ । ତେବେ ତାଙ୍କର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତା ମଧ୍ୟ ଦ୍ୱନ୍ଦ୍ୱରେ । ଯେଉଁଥିପାଇଁ କିଏ ଧରିବ ଟେଷ୍ଟ ସିରିଜ୍‌ର ମଙ୍ଗ ସେନେଇ ଉଠିଛି ପ୍ରଶ୍ନ । ଯଦି ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାନ୍ତି ତେବେ ସେ ଅଧିନାୟକ ଦୟିତ୍ୱ ତୁଲାଇବେ । କିନ୍ତୁ ପ୍ରଥମ ମ୍ୟାଚ୍‌ରେ କିଏ ହେବ ଅଧିନାୟକ ? ଏହା ଏବେ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ।

ଏହାରି ଭିତରେ ଏବେ ଖବର ସାମ୍ନାକୁ ଆସିଛି ଯେ, ଟି-୨୦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଅଜିଙ୍କ୍ୟ ରାହାଣେ । ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ରାହାଣେ, ୪ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାଦ୍ୱାରେ ସେ ଫର୍ମକୁ ଫେରିଛନ୍ତି ବୋଲି ସୂଚାଇ ଦେଇଛନ୍ତି । ଏମିତିକି ଦୁଇଟି ମ୍ୟାଚ୍‌ରେ ସେ ୭୦ରୁ ଅଧିକ ସ୍କୋର ମଧ୍ୟ କରିଛନ୍ତି ।