Advertisment

ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ହାରିଲା ଭାରତ; ଫ୍ରାନ୍ସ ତୃତୀୟ ସ୍ଥାନରେ ସନ୍ତୁଷ୍ଟ, ଆର୍ଜେଣ୍ଟିନା ଚାମ୍ପିଅନ୍

ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତଛଡା କରି ବ୍ରୋଞ୍ଜ୍‌ ମେଡାଲ୍‌ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୩-୧ଗୋଲ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି ।

author-image
Pramod Behera
Hockey Bronze Medal, India lose

Hockey Bronze Medal, India lose

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତଛଡା କରି ବ୍ରୋଞ୍ଜ୍‌ ମେଡାଲ୍‌ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୩-୧ଗୋଲ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଭାରତ ପକ୍ଷରୁ ଓଡ଼ିଆ ଖେଳାଳୀ ସୁଦୀପ ଚିରମାକୋ ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଫ୍ରାନ୍ସ ପକ୍ଷରୁ କ୍ଲେମେଣ୍ଟ୍‌ ତିମୋଥି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

Advertisment

ଫ୍ରାନ୍ସ ଏବଂ ଭାରତ ପୁଲ୍‌ ବିରେ ସ୍ଥାନ ପାଇଥିଲେ। ସେମିରେ ଭାରତ ଜର୍ମାନୀଠାରୁ ହାରିଥିବା ବେଳେ ଫ୍ରାନ୍ସ ଆର୍ଜେଣ୍ଟିନା ବିପକ୍ଷରେ ପରାସ୍ତ ହୋଇଥିଲା।

ଆସନ୍ତୁ ନଜର ପକାଇବା ଉଭୟ ଦଳର ପ୍ରତି କ୍ୱାର୍ଟରର ପ୍ରଦର୍ଶନ ଉପରେ:

ପ୍ରଥମ କ୍ୱାର୍ଟର-

ପ୍ରଥମ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ମୁଡ୍‌ରେ ପଡିଆକୁ ଓହ୍ଲାଇଥିଲେ । ପ୍ରଥମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲିଟି କର୍ଣ୍ଣରକୁ ହାତ ଛଡା କରିଥିଲା। ୧୪ ମିନିଟ୍‌ରେ ଫ୍ରାନ୍ସକୁ ମିଳିଥିବା ପେନାଲିଟି କର୍ଣ୍ଣର ବ୍ୟାକ୍‌ ଟୁ ବ୍ୟାକ୍‌ ୩ ପେନାଲିଟି କର୍ଣ୍ଣର ମିଳିଲା ପରେ ବି ଭାରତୀୟ ଡିଫେଣ୍ଡର୍‌ମାନେ ସୁଯୋଗ ଦେଇ ନ ଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଗୋଲ ଶୂନ୍ୟ ରହିଥିଲା।

Advertisment

ଦ୍ଵିତୀୟ କ୍ୱାର୍ଟର-

ଏହି କ୍ୱାର୍ଟରରେ ଫ୍ରାନ୍ସ ଭାରତକୁ ନାକେଦମ କରାଇଥିଲା। ୧୮ ମିନିଟ୍‌ରେ ଫ୍ରାନ୍ସକୁ ମିଳିଥିଲା ପେନାଲିଟି କର୍ଣ୍ଣର, କିନ୍ତୁ ଭାରତ ଏହି ସୁଯୋଗ ହାତ ଛଡା କରିଥିଲା। ୨୬ ମିନିଟ୍‌ରେ ମିଳିଥିବା ପେନାଲିଟି କର୍ଣ୍ଣରକୁ ଫ୍ରାନ୍ସ ଗୋଲ୍‌ରେ ପରିଣତ କରି ଆଗୁଆ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ କ୍ଲେମେଣ୍ଟ୍‌ ତିମୋଥି ସ୍କୋର୍‌ କରିଥିଲେ। ହାଫ୍‌ ଟାଇମ୍‌ ଶେଷ ସୁଦ୍ଧା ଫ୍ରାନ୍ସ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟର-

୩୨ ମିନିଟ୍‌ରେ ଫ୍ରାନ୍ସକୁ ମିଳିଥିବା ପେନାଲିଟି କର୍ଣ୍ଣର ଟି ବ୍ୟାକ୍‌ ଟୁ ବ୍ୟାକ୍‌ ୪ଟି ପେନାଲିଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ଗୋଲ୍‌ କିପର୍‌ ପବନ ସୁନ୍ଦରଭାବେ ଏହାକୁ ଅଟକାଇ ଦେଇଥିଲେ। ୩୪ ମିନିଟ୍‌ରେ ଅଧିନାୟକ କ୍ଲେମେଣ୍ଟ ତିମୋଥି ସ୍କୋର୍‌ କରିଥିଲେ। କମ୍‌ବ୍ୟାକ୍‌ କରିବାକୁ ଉଦ୍ୟମ କରୁଥିବା ଭାରତ ୪୨ ମିନିଟ୍‌ରେ ଫିଲ୍ଡ ଗୋଲ କରିଥିଲା। ଓଡ଼ିଆ ହକି ତାରକା ସୁଦୀପ ଚିରମାକୋ ଦଳୀୟ ପ୍ରଥମ ଗୋଲ୍‌ କରିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୨-୧ ଗୋଲରେ ଆଗୁଆ ରହିଥିଲା।

Hockey Bronze Medal, India loseବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ହାରିଲା ଭାରତ

ଚତୁର୍ଥ କ୍ୱାର୍ଟର-

୪୮ ମିନିଟ୍‌ରେ ପ୍ରାନ୍ସକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରକୁ କ୍ୟାପ୍‌ଟେନ୍‌ କ୍ଲେମେଣ୍ଟ ତିମୋଥି ହ୍ୟାଟ୍ରିକ ଗୋଲ୍‌ ଦେଇ ଦଳକୁ ୩-୧ରେ ଆଗୁଆ ନେଇଥିଲେ। ୪୯ ମିନିଟ୍‌ରେ ଫ୍ରାନ୍ସକୁ ମିଳିଥିବା ବ୍ୟାକ୍‌ ଟୁ ବ୍ୟାକ୍‌ ପିସକୁ ରଖିଥିଲେ ଭାରତୀୟ ଗୋଲ୍‌ କିପର ପବନ। କିଛି ସେକେଣ୍ଡ ବ୍ୟବଧାନ ପରେ ଫ୍ରାନ୍ସକୁ ଆଉ ଏକ ପେନାଲିଟି କର୍ଣ୍ଣର ମିଳିଥିଲା ତାକୁ ବି ଗୋଲ୍‌ ଦେବାକୁ ସକ୍ଷମ ହୋଇ ନ ଥିଲା। ୫୧ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲିଟି କର୍ଣ୍ଣର ବି ହାତ ଛଡା ହୋଇଥିଲା। ଭାରତକୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ବୁଝାମଣା ଅଭାବରୁ ଗୋଲ ହୋଇପାରି ନ ଥିଲା। ଶେଷରେ ଭାରତ ପରାଜୟ ସ୍ୱୀକାର କରି ଭୂମିରେ ଲୋଟି କାନ୍ଦୁଥିବା ବେଳେ ଫ୍ରାନ୍ସ ଖେଳାଳୀ ଷ୍ଟାଡିୟମ ସାରା ବୁଲି ଦର୍ଶକଙ୍କୁ ହାତ ହଲାଇ ବିଜୟ ଉତ୍ସବ ପାଳନ କରିଥିଲେ।

ପଞ୍ଚମ ଓ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ମୁକାବିଲାରେ ହଲାଣ୍ଡ ୬-୪ ଗୋଲ୍‌ରେ ବିଜୟୀ ହୋଇ ପଞ୍ଚମ ସ୍ଥାନରେ ବିଶ୍ୱକପ ଅଭିଯାନ ଶେଷକରିଛି। ବେଲ୍‌ଜିୟମକୁ ଷଷ୍ଠରେ ଶାନ୍ତ ରହିବାକୁ ପଡିଛି। ସେହିପରି ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ଲଢେଇରେ ମାଲେସିଆକୁ ୧-୪ ଗୋଲ୍‌ରେ ହରାଇ ସ୍ପେନ୍‌ ସପ୍ତମରେ ରହିଥିବା ବେଳେ ମାଲେସିଆ ଅଷ୍ଟମରେ ରହିଲା।

ତେବେ ଜୁନିଅର ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି । ଜର୍ମାନୀକୁ ୪-୨ ଗୋଲ୍‌ରେ ହରାଇ ଚାମ୍ପିଅନ୍‌ସିପ୍ ହାତେଇଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନାର ଏହି ବିଜୟ ତାକୁ ଦ୍ୱିତୀୟ ଥର ପାଇଁ ଜୁନିଅର ହକି ବିଶ୍ୱକପ୍ ଟାଇଟଲ୍‌ ଦେଇଛି ।

Odisha Sports Hockey India
Advertisment
Advertisment