• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବା ପାଇଁ ଯିବ । ୬ ବର୍ଷ ପୂର୍ବେ ଭାରତ ଗସ୍ତରେ ଆସିଥିଲା ଦକ୍ଷିଣ ଆଫ୍ରିକା । ସେବେଠାରୁ ୭ ଡିସେମ୍ବର ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଏକ ବିଶେଷ ଦିନ ହୋଇ ରହିଯାଇଛି । ଏହି ଦିନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଏକ ୩୩୭ ରନ୍‌ର ବଡ଼ ବ୍ୟବଧାନରେ ସିରିଜ୍‌ର ଚତୁର୍ଥ ଟେଷ୍ଟରେ ପରାଜିତ କରିଥିଲା । ଏହି ବିଜୟ ବିରାଟ କୋହଲିଙ୍କ ନେତୃତ୍ୱରେ ମିଳିଥିଲା । ତବେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦଳ ଏତେ ସହଜରେ ହାର ମାନି ନଥିଲା । ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ଦଳ ବ୍ୟାଟିଂ କରିଥିଲା । ଏମିତିକି ଯେନତେନ ଯିତିବ ବୋଲି ଚେଷ୍ଟା କରିଥିଲା । ହେଲେ ବିଫଳ ହେଲା ।

ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇଥିଲା । ହେଲେ ପୁରା ଦଳ ମାତ୍ର ୧୨୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଏହା ପରେ ଆୟୋଜକ ଦଳ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୭୬ ରନ୍‌ ସଂଗ୍ରହ କରିବା ପରେ ଇନିଂସ ଘୋଷଣା କରିଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୪୮୧ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଦିଆଯାଇଥିଲା । ହେଲେ ଏଥର ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୪୩ ରନ୍ କରି ପ୍ୟାଭିଲିୟନ୍‌ ଫେରିଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା, ଦକ୍ଷିଣ ଆଫ୍ରିକା ଖେଳାଳିମାନେ ସହଜରେ ହାର ମାନି ନଥିଲେ । ମ୍ୟାଚ୍‌ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ପ୍ରାୟ ୧୫ ଘଣ୍ଟା ଧରି ବ୍ୟାଟିଂ କରିଥିଲେ । ଆଉ ୱିକେଟ୍ ବଞ୍ଚାଇ ମ୍ୟାଚ୍‌କୁ ଡ୍ର ଆଡ଼କୁ ନେବା ପାଇଁ ସବୁ ଖେଳାଳିଙ୍କ ଚେଷ୍ଟା ଥିଲା ।

ଦକ୍ଷିଣ ଆଫ୍ରିକାର ତେମ୍ବା ବାଉମା ୧୧୭ ବଲରୁ ୩୪ ରନ୍ କରିଥିବା ବେଳେ ଅଧିନାୟକ ହାସିମ ଆମଲା ୨୪୪ ବଲରେ ମାତ୍ର ୨୫ ରନ୍ କରିଥିଲେ । ସେହିଭଳି ଏବି ଡି ଭିଲିୟର୍ସ ୨୯୭ ବଲ ଖେଳି ୪୩ ରନ୍ କରିଥିଲେ । ଏହାପରେ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ମଇଦାନରେ ସେମିତି ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ମ୍ୟାଚ୍‌ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ସେ ୯୭ ବଲ୍ ଖେଳି ମାତ୍ର ୧୦ ରନ୍ କରିଥିଲେ । ଏହିଭଳି ଭାବେ ପୁରା ଟିମ୍‌ ଦ୍ୱିତୀୟ ଇନିଂସରେ ୮୫୯ ବଲ୍‌ ଖେଳି ମୋଟ ୧୪୩ ରନ୍‌ ସଂଗ୍ରହ କରିପାରିଥିଲା ।

ଏହି ମ୍ୟାଚ୍‌ରେ ଆୟୋଜକ ଦଳ ୩୩୭ ରନ୍‌ରେ ବିଜୟ ହୋଇଥିଲା । ସେତେବେଳେ ଭାରତର ଏହା ସବୁଠାରୁ ବଡ଼ ବିଜୟ ଥିଲା । ଏହା ସହିତ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୦ରେ ଜିତି ନେଇଥିଲା । ଦିଲ୍ଲୀ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରଷ୍କାର ଦିଆଯାଇଥିଲା । ଏଥି ସହିତ ସିରିଜରେ ୩୧ଟି ୱିକେଟ୍ ନେଇଥିବା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରଷ୍କାର ପାଇଥିଲେ ।