• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୁଣୁଗୁଣାଉଛନ୍ତି ସାଧାରଣ ଲୋକଙ୍କଠୁ ସେଲିବ୍ରିଟି

  • ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମରେ ଭାଇରାଲ୍

ସୁକମା : ଛତିଶଗଡ ସୁକମା ଜିଲ୍ଲାର କୁନି ଗାୟକ ସହଦେବକୁ ନେଇ ଚର୍ଚ୍ଚା । ସେ ଗାଇଥିବା ଜାନେ ମେରି ଜାନେମନ, ବଚପନ କା ପ୍ୟାର୍ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବହୁ ସେଲିବ୍ରିଟିଙ୍କ ମନକୁ ଛୁଇଁଛି । ବଲିଉଡ୍ ରାପର୍ ବାଦଶାହ ସହଦେବଙ୍କ ପ୍ରତିଭା ଦେଖି ତାକୁ ପ୍ରୋତ୍ସାହନ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବି ସାବାସୀ ଦେଇଛନ୍ତି ।

ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମ ଶ୍ରେଣୀରେ ଭାଇରାଲ୍ । ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉଛନ୍ତି । ୨ ବର୍ଷ ତଳର ଭିଡିଓ ପାଇଁ ହଠାତ୍ ରାତାରାତି ସୋସିଆଲ୍ ମିଡିଆ ଷ୍ଟାର୍ ପାଲଟିଯାଇଛନ୍ତି ଛତିଶଗଡ଼ ସୁକମେ ଜିଲ୍ଲା ଉରମପାଲ୍ ଗାଁର ସହଦେବ ଦିର୍ଦୋ । ମାଓପ୍ରବଣ ସୁକମା ଆଦିବାସୀ ଛାତ୍ର ସହଦେବ ଏହି ଗୀତଟିକୁ ୨୦୧୯ ମସିହାରେ ସ୍କୁଲରେ ଗାଇଥିଲେ । ସେତେବେଳେ ସେ ଜାଣିନଥିଲେ, ତାଙ୍କର ଏହି କେଇ ସେକେଣ୍ଡର ଛୋଟିଆ ଭିଡିଓଟି ଏଭଳି ଚହଳ ପକାଇଦେବ । ଏବେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ, ବଲିଉଡ୍ ରାପର୍ ବାଦଶାହ ଏହି ଭିଡିଓକୁ ରିମିକ୍ସ କରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଖାଲି ଭିଡିଓ ନୁହେଁ, ବାଦଶାହ ସହଦେବଙ୍କ ସହ ଫୋନରେ କଥା ହେବା ସହ ଚଣ୍ଡୀଗଡ଼ ବି ଡାକିଥିଲେ । ସହଦେବ ତାଙ୍କୁ ଭେଟିବା ପରେ ତାଙ୍କ ସହ ମିଶି ଗୀତ ବି ରେକର୍ଡ କରିଛନ୍ତି ବାଦଶାହ । ଚଣ୍ଡୀଗଡ଼ରୁ ସହଦେବ ଫେରିବା ପରେ ତାଙ୍କୁ ସୁକମାରେ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ସୁକମାର ଗର୍ବ ବୋଲି କହିବା ସହ ତାଙ୍କ ସାଙ୍ଗରେ ସେଲ୍ଫି ନେବାକୁ ଭିଡ଼ ଲାଗିଛି । କିଛି ଦିନ ତଳେ ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ମଧ୍ୟ ସହଦେବଙ୍କୁ ଭେଟି ବଧାଇ ଜଣାଇଥିଲେ ।

ବଲିଉଡ୍ ଜଗତରେ ବି ଚହଳ ପକାଇଦେଇଛି ସହଦେବଙ୍କ ବଚପନ କା ପ୍ୟାର୍ ଗୀତ । ଏହି ଗୀତର ଫ୍ୟାନ୍ ହୋଇଯାଇଛନ୍ତି ବହୁ ବଡ଼ବଡ଼ ସେଲିବ୍ରିଟି । ଏହି ଗୀତ ଶୁଣିବା ପରେ ତାଙ୍କ ନିଦ ହଜିଯାଇଥିବା ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କମେଡି କୁଇନ୍ ଭାରତୀ ସିଂ, ସୁଦେଶ ଲେହରି ଓ କ୍ରିଷ୍ଣା ଅଭିଷେକ ମଧ୍ୟ ଏହାକୁ ରିକ୍ରିଏଟ୍ କରିଛନ୍ତି (ଭାରତୀ ସିଂ ଭିଡିଓ) କେବଳ ଦେଶ ନୁହେଁ, ଦେଶ ବାହାରେ ବି ସହଦେବଙ୍କ ଭାଇରାଲ୍ ଭିଡିଓର ଧୁମ୍ ଦେଖିବାକୁ ମିଳିଛି । ଆମେରିକାର ଡ୍ୟାନ୍ସିଂ ଡାଡି ଭାବେ ପରିଚିତ ସୋସିଆଲ୍ ମିଡିଅ ଷ୍ଟାର୍ ରିକି ପୋଣ୍ଡ୍ ଏହି ଗୀତରେ ନାଚି ଇନଷ୍ଟାଗ୍ରାମରେ ଭିଡିଓ ଛାଡ଼ିଛନ୍ତି ।

ତେବେ ଏହି ବଚପନ୍ କା ପ୍ୟାର୍ ଗୀତକୁ ୨୦୧୮ରେ ଗାଇଥିଲେ । ଗୁଜରାଟର ଆଦିବାସୀ ଲୋକଗୀତ କଣ୍ଠଶିଳ୍ପୀ କମଲେଶ ବରୋଟ । ସେତେବେଳେ ୟୁଟ୍ୟୁବରେ ସେ ଏହି ମ୍ୟୁଜିକ ଭିଡିଓକୁ ସୋନୁ ମେରି ଡାର୍ଲିଂ ନାଁରେ ପ୍ରସ୍ତୁତ କରି ଛାଡ଼ିଥିଲେ ।