• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଡ଼େଇରେ ତେଲ ଫୁଟୁଛି । ଆଉ ଫୁଟୁଥିବା ତେଲ କଡ଼େଇରେ ହେଉଛି ଚିକେନ୍ ଫ୍ରାଏ । ତେବେ ଏଇଠି ନୂଆ କଥା ହେଲା ଜାଲି ବଦଳରେ ହାତରେ ଚିକେନ୍ ଛାଣି ଆଣୁଛନ୍ତି ଦୋକାନୀ । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଫୁଟୁଥିବା ତେଲରେ ହାତ ବୁଡାଇ ଚିକେନ୍ ଫ୍ରାଏ କରୁଥିବା ଦେଖିବାକୁ ମିଳିଛି । ସଂପୃକ୍ତ ବ୍ୟକ୍ତି ଜଣକ ଫ୍ରାଏ ଚିକେନ୍ ଖଣ୍ଡକୁ ଗରମ ତେଲରୁ ହାତରେ ଛାଣି ଆଣୁଛନ୍ତି । ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡରର ଏହି 'କୀର୍ତ୍ତିମାନ' ଦେଖି ଗ୍ରାହକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଜୟପୁରର ଫୁଡ୍ ବ୍ଲଗର୍ ଶୈଲେଶ, ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡରଙ୍କର ଏହି ଭିଡିଓ ରେକର୍ଡ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓକୁ ୨ମିଲିୟନରୁ ଅଧିକ ଥର ଦେଖାଯାଇଛି । ହଜାର ହଜାର ଲୋକ ଏହି ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଭିଡିଓରେ ଜୟପୁରର ଅଲି ଚିକେନ୍ ସେଣ୍ଟର ନାମକ ଏକ ଷ୍ଟଲରେ ଏକ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ଏକ ପ୍ୟାନରେ ଚିକେନ୍ ଫ୍ରାଏ କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ସେ ମାରିନେଟ୍ କରି ରଖାଯାଇଥିବା ଚିକେନ୍ ପିସ୍‌କୁ ଗରମ ତେଲରେ ପକାନ୍ତି । ଆଉ ଚିକେନ୍ ଫ୍ରାଏ ପ୍ରସ୍ତୁତ ହୋଇଯିବା ପରେ ଫୁଟୁଥିବା ତେଲରେ ହାତ ଭର୍ତ୍ତି କରି ଛାଣିଆଣନ୍ତି ।

ତେବେ ଫୁଟୁଥିବା ଗରମ ତେଲରେ ହାତ ଭର୍ତ୍ତି କରିବା ସମୟରେ ତାଙ୍କ ମୁହଁରେ ଟିକିଏ ବି ଡର ନଥିଲା । ଏହାଦେଖି ପାଖରେ ଛିଡ଼ା ହୋଇଥିବା ଗ୍ରାହକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏହି ଭିଡିଓର କ୍ୟାପସନରେ ଲେଖା ଅଛି- "ତାଙ୍କର ହାତ ଜଳେ ନାହିଁ? ଗରମ ଅଲି ଚିକେନ୍ ସେଣ୍ଟରରେ ଗରମ ଫୁଟନ୍ତା ତେଲରୁ ଭଜା ଚିକେନ୍ ବାହାର କରିବା ।

ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । କାରଣ ହାତରେ ଗରମ ତେଲ ଟୋପାଏ ପଡ଼ିଗଲେ କେତେ କଷ୍ଟ ହୁଏ, ତାହା ସମସ୍ତେ ଜାଣନ୍ତି । ପୂରା ଦିନ ସେହି ସ୍ଥାନ ଜଳୁଥାଏ । ତେବେ କେହି କେହି ଏହାକୁ 'ବିପଜ୍ଜନକ ଷ୍ଟଣ୍ଟ' ଏବଂ କେହି କେହି ବିକ୍ରେତାଙ୍କୁ 'ଷ୍ଟଣ୍ଟବାଜ୍ ବିକ୍ରେତା' ବୋଲି ମଧ୍ୟ କହୁଛନ୍ତି । ତଥାପି କିଛି ଲୋକ ଏପରି ନକରିବାକୁ ପରାମର୍ଶ ଦେଇଥିଲେ । ଟିକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଭିଡିଓ ଦେଖି କେହି କେବେବି ଏପରି ଷ୍ଟଣ୍ଟ ନକରିବା ପାଇଁ ନିବେଦନ କରାଯାଇଛି ।