• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି ।

  • ସିଦ୍ଧୁ ପଦବୀରେ ଥିଲେ ବି ପାୱାର ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାଖରେ ।

  • ‘ମୋ କଥା ନଶୁଣିଲେ କଡ଼ା ଜବାବ ମିଳିବ, ଅବସ୍ଥା ଖରାପ କରିଦେବି’

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ । କାରଣ ସିଦ୍ଧୁ ପଦବୀରେ ଥିଲେ ବି ପାୱାର କରିଡର ରହିଛି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାଖରେ । ସିଦ୍ଧୁ କୌଣସି ନିଷ୍ପତି ବି ନେଇପାରୁ ନାହାନ୍ତି । ତେଣୁ ସେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ସିଦ୍ଧୁ ସିଧାସଳଖ ଦଳର ହାଇକମାଣ୍ଡଙ୍କୁ କହିଛନ୍ତି ଯେ, ତାଙ୍କୁ ନିଷ୍ପତି ନେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉ । ନଚେତ ସେ ଆଗାମୀ ଦିନରେ ମୁହଁ ତୋଡ଼ ଜବାବ ଦେବେ । ଅନ୍ୟପକ୍ଷରେ କଂଗ୍ରେସ କହିବାନୁଯାୟୀ, ଦଳର ରାଜ୍ୟ ୟୁନିଟର ମୁଖ୍ୟମାନେ ସମ୍ବିଧାନର ପାରାମିଟର ମଧ୍ୟରେ ରହି ନିଷ୍ପତ୍ତି ନେଇପାରିବେ । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଞ୍ଜାବ ପ୍ରଭାରୀ ହରିଶ ରାୱତ କହିଛନ୍ତି ଯେ, ଯଦି ରାଜ୍ୟ ୟୁନିଟ୍ ମୁଖ୍ୟ ନିଷ୍ପତ୍ତି ନନେବେ ତେବେ କିଏ କରିବେ ?

ସିଦ୍ଧୁ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା ଉଚିତ । ଏହାପରେ ସେ ନିଶ୍ଚିତ କରିବେ ଯେ, ଆସନ୍ତା ୨୦ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିପାଇଁ ସେ ପୁରା ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ଅମୃତସରରେ ଆୟୋଜିତ ଏକ ସଭାରେ ସେ କହିଥିଲେ, ଯଦି ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆ ନଯାଏ ତେବେ ସେ ଏହାର ମୁହଁ ତୋଡ଼ ଜବାବ ଦେବେ ଏବଂ ଅବସ୍ଥା ଖରାପ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ମାଲିଙ୍କ ଜାମ୍ମୁ କାଶ୍ମୀର ସହ ଜଡିତ ଏକ ବିବାଦୀୟ ପୋଷ୍ଟକୁ ନେଇ ରାୱତ କହିଛନ୍ତି ଯେ, ସେ ବ୍ୟକ୍ତିଗତ ସାମର୍ଥ୍ୟରେ ଏହା କହିଛନ୍ତି ଏବଂ ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ମାମଲା ସମାପ୍ତ ହୋଇସାରିଛି । ଖାଲି ସେତିକି ନୁହେଁ ଏକ ପ୍ରଶ୍ନର ଉତ୍ତରରେ ରାୱତ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏହି ନିଯୁକ୍ତି ଦେଇ ନ ଥିବାରୁ ମାଲିଙ୍କୁ ହଟାଇବାର ନିଷ୍ପତ୍ତି ନେଇ ପାରିବ ନାହିଁ । ଏହି ନିଷ୍ପତି ନେବାର ଅଧିକାର ସିଦ୍ଧୁଙ୍କ ଉପରେ ନ୍ୟସ୍ତ ।

 

ଯେତେବେଳେ ସିଦ୍ଧୁଙ୍କ ଏଭଳି ମନ୍ତବ୍ୟ ବିଷୟରେ ପଚରାଗଲା, ରାୱତ ଗଣମାଧ୍ୟମକୁ କହିଲେ ଯେ ସିଦ୍ଧୁ କେଉଁ ପରିସ୍ଥିତିରେ ଏଭଳି କହିଛନ୍ତି ତାହା ପ୍ରଥମେ ଦେଖିବାକୁ ହେବ । ଏନେଇ ମୁଁ ପଚରାଉଚରା କରି ଜାଣିବା ପରେ ଯାହା କହିପାରିବି ।ଏହାରି ମଧ୍ୟରେ ସେ କହିଛନ୍ତି ଯେ, ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି । ଯଦି ରାଜ୍ୟ ସଭାପତି ନିଷ୍ପତ୍ତି ନ ନିଅନ୍ତି, ତେବେ କିଏ ନେବ ବୋଲି ସେ ପ୍ରଶ୍ନ କରିଛନ୍ତି ।