Advertisment

ବିଧାୟକ କରିବେ ଶିକ୍ଷକଙ୍କ ବଦଳି

ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

author-image
Chandan Shishu
Teacher

Teacher

ଭୁବନେଶ୍ୱର: ବିଧାୟକ କରିବେ ଶିକ୍ଷକଙ୍କ ବଦଳି। ନିଜ ଅଞ୍ଚଳର ୧୦ ଶିକ୍ଷକଙ୍କ ବଦଳି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦେଲା ଅନୁମତି। କେବଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଏହା ଲାଗୁ ହେବ କିନ୍ତୁ ଶିକ୍ଷକମାନେ ଜିଲ୍ଲା ପାର ହୋଇପାରିବେନି କି ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଇପାରିବେନି। ବିଧାୟକମାନେ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ। ଯେଉଁ ଶିକ୍ଷକମାନଙ୍କର ଜରୁରୀ ଆବଶ୍ୟକତା ଥିବ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନିଷ୍ପତ୍ତି କେବଳ ଚଳିତ ଶିକ୍ଷାବର୍ଷ ପାଇଁ ହୋଇଥିବାରୁ ବିରୋଧୀ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି।

Advertisment

ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି। ଜବାବରେ ବିଜେଡି କହିଛି ନିୟମ ଅନୁଯାୟୀ ସବୁ ହେବ, ବିରୋଧୀଙ୍କ କାମ ଅଭିଯୋଗ ଆଣିବା।

ବଦଳି ପ୍ରକ୍ରିୟାରେ ହେରଫେର ରୋକିବା ଲାଗି ଅନଲାଇନ୍ ଆବେଦନର ପ୍ରଚଳନ କରିଥିଲେ ସରକାର। ଏବେ ପୁଣି ନିୟମରେ କୋହଳ କରାଯିବା ନେଇ ପ୍ରଶ୍ନ ଉଠାଇଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ଓଷ୍ଟା ସଂଘର ଯୁକ୍ତି, ରାଜନୈତିକ ଆକ୍ରୋଶର ଶିକାର ନହୁଅନ୍ତୁ ଶିକ୍ଷକ। ଏମିତି ହେଲେ ପିଲାଙ୍କ ପାଠ ପଢା ପ୍ରଭାବିତ ହେବ। କେବଳ ବିଧାୟକ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ବି ବଦଳି ଅଧିକାର ଦିଆଯାଉ, ଏହାଦ୍ୱାରା ବହୁ ଶିକ୍ଷକ ଉପକୃତ ହୋଇପାରିବେ।

Advertisment

ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତି ପରେ ଏବେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହଠାତ୍ ଏ ଅନୁମତି ପଛର ଅସଲ ଉଦ୍ଦେଶ୍ୟ କଣ?

ରିପୋର୍ଟ: ଜଗଦୀଶ ଦାସ

MLA Teacher BJD BJP
Advertisment
Advertisment