• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ତାଗିଦ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ବଦଳି ଯାଅ, ନ ହେଲେ ସମୟ ବଦଳାଇଦେବ । ଏଭଳି କଡ଼ା ସାଂସଦମାନଙ୍କୁ ତାଗିଦ୍‌ କରିଛନ୍ତି ମୋଦି । ମୋଦି ବିଜେପି ସଂସଦୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ସେମାନଙ୍କୁ ସୁଧୁରିଯିବା ପାଇଁ ଚେତାବନୀ ଦେଇଥିଲେ । ବୈଠକରେ ସିଧାସଳଖ ଭାବେ ମୋଦି କହିଥିଲେ ଯେ, ସାଂସଦମାନେ ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା ହେବା ଉଚିତ । ଏହାସହ ପ୍ରସଙ୍ଗବିହୀନ ଅଯଥା ମନ୍ତବ୍ୟ ନ ଦେବାକୁ ମଧ୍ୟ ମୋଦି ତାଗିଦ କରିଛନ୍ତି ।

ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି । ନାଗାଲାଣ୍ଡରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦର ଶୀତ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବାବେଳେ ଆଜିର ସଂସଦୀୟ ଦଳ ବୈଠକରେ ବିଜେପି ସାଂସଦଙ୍କୁ ତାଗିଦ କରିଛନ୍ତି ମୋଦି ।

ସୂଚନାଯୋଗ୍ୟ, ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ଲୋକସଭା ଭବନରେ ବିବୃତି ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଏହି ଘଟଣାକୁ ନେଇ ଅତ୍ୟନ୍ତ ମର୍ମାହତ ବୋଲି କହିଥିଲେ । ଏହାସହ ଗୃହରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ଅମିତ ଶାହ । ଭୁଲ ବୁଝାମଣାରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା କହିଥିଲେ ଗୃହମନ୍ତ୍ରୀ ।

ଶାହା ଆହୁରି କହିଥିଲେ ଯେ, ଘଟଣାସ୍ଥଳରେ ଉଗ୍ରବାଦୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀ ପାଖରେ ଖବର ପହଞ୍ଚିଥିଲା । ତେଣୁ ସେନା ବାହିନୀ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇଥିଲା । ଏହି ଯାଞ୍ଚ ସମୟରେ ଦ୍ରୁତଗତିରେ ଯାଉଥିବା ଏକ ଗାଡ଼ିକୁ ଭାରତୀୟ ଯବାନମାନେ ଅଟକାଇଥିଲେ । ହେଲେ ସେହି ଗାଡ଼ିଟି ଅଟକିନଥିଲା । ଓଲଟି ସ୍ପିଡ୍ ବଢ଼ାଇବା ସହ ଆଗକୁ ମାଡ଼ି ଆସିଥିଲା । ଗାଡ଼ିଟି ନ ଅଟକିବାରୁ ସେନା ବାହିନୀ ପକ୍ଷରୁ ଗାଡ଼ି ଉପରକୁ ଗୁଳି ମାଡ଼ କରାଯାଇଥିଲା ।