• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାହୁଲ ଗାନ୍ଧିଙ୍କ ଅପମାନଜନକ ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାକୁ ନେଇ ସେ ଆଦୌ ବିବ୍ରତ ନୁହଁନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ମୋଦି ସରକାର ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି’

ଏହା ସହ ପ୍ରଧାନମନ୍ତ୍ରୀ ମୋଦି ବିଜେପିକୁ "କାମଦାର" ଅର୍ଥାତ୍ କର୍ମୀ ଓ କଂଗ୍ରେସକୁ "ନାମଦାର" ଅର୍ଥାତ୍ ରାଜବଂଶ ବୋଲି କହିଛନ୍ତି । ସେ ଏକ ନମ୍ର ପୃଷ୍ଠଭୂମିରୁ ଆସିଥିବା ବେଳେ ତାଙ୍କ ପରି ଶ୍ରମିକଙ୍କ ପାଇଁ ଅପମାନ କିଛି ନୂଆ ନୁହେଁ ବୋଲି ମଧ୍ୟ କହିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଯୋଡ଼ ହସ୍ତରେ ଅନୁରୋଧ କରୁଛି, ମୋ ବିରୁଦ୍ଧରେ କଂଗ୍ରେସର ଶେହଜାଦା ପ୍ରୟୋଗ କରିଥିବା ଅପମାନଜନକ ମନ୍ତବ୍ୟକୁ ନେଇ ଲୋକମାନେ ବିରକ୍ତ ହୁଅନ୍ତୁ ନାହିଁ । ଅପମାନ ମୋ ପାଇଁ ନୂଆ ନୁହେଁ । ଅପମାନ ସହି ମଧ୍ୟ ମୁଁ ଭାରତ ମାତା ପାଇଁ କାମ କରି ଚାଲିବି ।

ତେଣୁ ଲୋକମାନେ ତାଙ୍କ ଉପରେ ସମୟ ନଷ୍ଟ ନକରି ଆଗକୁ ବଢ଼ିଯିବା ଉଚିତ୍ । ଆମେ ସାଧାରଣ ଲୋକ, ମୁଁ ଗରିବ ପୃଷ୍ଠଭୂମିରୁ ଆସିଛି ତେଣୁ ଏଭଳି ଅପମାନ ମୋ ପାଇଁ ନୂଆ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଉଭୟଙ୍କୁ ଇସିଙ୍କ ତରଫରୁ ଆଚରଣବିଧି ଉଲ୍ଲଘଂନର ନୋଟିସ୍ ମିଳିଛି ।

ଧର୍ମ, ଜାତି, ସମ୍ପ୍ରଦାୟ କିମ୍ବା ଭାଷା ଉପରେ ଆଧାର କରି ଶତ୍ରୁତା ଏବଂ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ଉପରେ ବିଜେପି ଏବଂ କଂଗ୍ରେସକୁ ନୋଟିସ୍ ପଠାଇଛନ୍ତି ଇସି । ଉଭୟ ଦଳ ଧର୍ମ, ଜାତି, ସମ୍ପ୍ରଦାୟକୁ ନେଇ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି । ଉଭୟ ଦଳ ଲୋକଙ୍କ ମଧ୍ୟରେ ଅସହିଷ୍ଣୁତା ମନୋଭାବ ସୃଷ୍ଟି କରୁଛନ୍ତି ।

ବିଭାଜନକାରୀ ଓ ଉତ୍ତେଜିତ କଲା ଭଳି ଭାଷଣ ଦେଉଛନ୍ତି । ଏଣୁ ନିର୍ବାଚନ କମିଶନ ଜବାବ ତଲବ କରିଛନ୍ତି । ଆସନ୍ତା ୨୯ ତାରିଖ ଦିନ ୧୧ ସୁଦ୍ଧା ଏନେଇ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି ।

ନିର୍ବାଚନ ଆୟୋଗ ଜନ ପ୍ରତିନିଧିତ୍ୱ ଅଧିନିୟମ ଧାରା ୭୭ ଲାଗୁ କରିଛନ୍ତି । ଏହି ନିୟମ ଆଧାରରେ ଉଭୟ ଦଳର ଷ୍ଟାର ପ୍ରଚାରକ ପାଇଁ ପାର୍ଟିର ଅଧ୍ୟକ୍ଷ ଦାୟୀ ରହିବେ । ଏଣୁ ଇସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ରାଜସ୍ଥାନର ବାଂଶୱାଡାରେ ନିର୍ବାଚନୀ ପ୍ରଚାର ବେଳେ ମୋଦି କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଲୋକଙ୍କ ସମ୍ପତ୍ତି ଆଉ ସମ୍ପତ୍ତି ହୋଇ ରହିବ ନାହିଁ । ମାଆ ଭଉଣୀଙ୍କର ସୁନା ଅଳଙ୍କାରର ହିସାବନିକାସ କରାଯିବ । ଅନ୍ୟପଟେ ରାହୁଲ ମଧ୍ୟ ତାମିଲନାଡ଼ୁରେ ଭାଷା ଆଧାରରେ ଲୋକଙ୍କୁ ଭ୍ରମିତ କରିଥିଲେ । ଦେଶକୁ ଭାଷା ଆଧାରରେ ଉତ୍ତର ଓ ଦକ୍ଷିଣ କହି ଭାଗ କରିଥିଲେ ।