• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡି ନେତାଙ୍କ ସହ ସୁରଙ୍କ ପୋଷ୍ଟର୍ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟପଟେ ଭିକେ ପାଣ୍ଡିଆନଙ୍କ ମଧ୍ୟରେ ସୁରେଶ ରାଉତରାୟଙ୍କ ଲାଗିଛି ପୋଷ୍ଟର୍ । ଜଟଣୀରେ ବିଜେଡିର କାର୍ଯ୍ୟାଳୟରେ କିଛି ବଡ଼ ବଡ଼ କଟାଉଟ୍ ଲାଗିଥିଲା । ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ୍, ସାନ ପୁଅ ମନ୍ମଥଙ୍କ ପୋଷ୍ଟରଙ୍କ ସହ ସୁରଙ୍କ ବି ପୋଷ୍ଟର୍ ଲଗାଯାଇଥିଲା । ତେବେ ଏହାର ଫଟୋ ଭାଇରାଲ୍ ହେବା ପରେ ଏହାକୁ ବାହାର କରି ଦିଆଯାଇଥିଲା । ଭୁବନେଶ୍ୱର ଲୋକସଭା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ପ୍ରାର୍ଥୀ ହେବା ପରେ ବିବାଦ ଭିତରକୁ ଆସିଛନ୍ତି ସୁର । ପୁଅ ପାଇଁ ପ୍ରଚାର କରି କଂଗ୍ରେସରୁ ବହିଷ୍କୃତ ମଧ୍ୟ ସେ ହୋଇଛନ୍ତି ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । କିଛି ଲୋକ ବଦନାମ କରିବାକୁ ଏପରି କରୁଥିବା ସେ କହିଛନ୍ତି । ସେ ଘଟଣା ସମ୍ପର୍କରେ ଜାଣିବା ପରେ ଏହାକୁ ବାହାର କରିବାକୁ କହିଥିଲେ। ସେ କେବଳ ସାନ ପୁଅ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ହେଲେ ବିଜେଡିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ସମ୍ପର୍କରେ କିଛି ବି କହିନାହାନ୍ତି ।

ଅଧିକ ପଢ଼ନ୍ତୁ: ‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ସୂଚନା ଅନୁସାରେ ସାନ ପୁଅ ମନ୍ମଥ ରାଉତରାୟଙ୍କ ସପକ୍ଷରେ ପ୍ରଚାର କରିବାରୁ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ୬ ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ କରିଥିଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରଙ୍କୁ ବହିଷ୍କାର ନେଇ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଥିଲା ଏଆଇସିସି ।

ବିଗତ ଦିନରେ ବିଜେଡି ସାଂସଦ ପ୍ରାର୍ଥୀ ବନିଥିବା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରି ବିବାଦ ଘେରକୁ ଆସିଥିଲେ ସୁର। କିଛିଦିନ ପୂର୍ବ ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ୍ ମ୍ୟାଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ବି ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗଲା ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି । ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି । ଏଥର ସୁଶାନ୍ତ ହିଁ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସୁର । ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍ ଦିଆଯାଇଥିଲା ବେଳେ ସୁର ଏହାକୁ ବଡ଼ ସୁଯୋଗ ବୋଲି ଭାବି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ ବୋଲି ଦୋହରାଇଛନ୍ତି । ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ ସୁର ରାଉତରାୟ ।