Advertisment

ଦିନକ ପରେ ଶୀତ ଅଧିବେଶନ, ହେଲେ ଏବେଠୁ ତାତିଲେଣି ବିରୋଧୀ ! ସରକାରଙ୍କୁ କରିବେ ଘାଇଲା

ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।

author-image
Satyendu Shekher Mishra
Assembly Session

Assembly Session

ଭୁବନେଶ୍ୱର, (ରିପୋର୍ଟ- ହରିହର ଚାନ୍ଦ): ମମିତା ମେହେର ହତ୍ୟାକାଣ୍ଡ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କମ୍ପିବ ବିଧାନସଭା । ଦିନକ ପରେ ଆରମ୍ଭ ହେଉଥିବା ଶୀତ ଅଧିବେଶନରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ । ମାହାଙ୍ଗା ଡବଲ୍ ମର୍ଡର, ପରୀ ହତ୍ୟାକାଣ୍ଡ ଓ ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଭଳି ଗୋଟିଏ ପରେ ଗୋଟିଏ ବଡ଼ବଡ଼ ଅସ୍ତ୍ର ରହିଛି ବିରୋଧୀଙ୍କ ପାଖରେ । 

Advertisment

ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ । ବିଜେପିର ଦୁଇ ଜଣ ବିଧାୟକଙ୍କୁ ବୈଠକରେ ସାମିଲ କରାଯାଇନଥିବାରୁ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଶୀତ ଅଧିବେଶନ ପାଇଁ ଆଜି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବୟକଟ୍ କରିଥିଲା ବିଜେପି । ବୈଠକ ଆରମ୍ଭରୁ ଉଠି ଚାଲି ଯାଇଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଷ୍ଣୁ କହିିଛନ୍ତି ଯେ, ପୂର୍ବରୁ ସର୍ବଦଳୀୟ ବୈଠକରେ ସେ ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଯୋଗ ଦେଉଥିଲେ । କିନ୍ତୁ ଅସୁସ୍ଥତା ଯୋଗୁଁ ପ୍ରଦୀପ୍ତ ଆସୁନଥିବାରୁ, ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସାମିଲ କରିବାକୁ ବିଜେପି ଦାବି କରିଥିଲା । ହେଲେ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଯାହାକୁ ନେଇ ବିଜେପି ଖପ୍ପା ।

ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିୟମ ଅନୁସାରେ ସର୍ବଦଳୀୟ ବୈଠକ ଡକାଯାଇଛି । ତେବେ ଏଥର ପ୍ରଶ୍ନକାଳରେ ବିଧାୟକମାନେ ହୋହଲ୍ଲା କରିପାରିବେ ନାହିଁ ବୋଲି, ବାଚସ୍ପତି ସମ୍ମିଳନୀର ପ୍ରସ୍ତାବ ସଂପର୍କରେ ସମସ୍ତଙ୍କୁ ଅବଗତ କରିଛନ୍ତି ।

Advertisment

ସେପଟେ ଲମ୍ବା ଶୀତ ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ମମିତା ମେହେର ହତ୍ୟାକାଣ୍ଡ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି, ମାହାଙ୍ଗା ଡବଲ୍ ମର୍ଡର, ପରୀ ହତ୍ୟାକାଣ୍ଡ, ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ ଉଠାଇବ ବିଜେପି । ଏହାବ୍ୟତୀତ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ବଢୁଥିବା ଦୁର୍ନୀତି, ଡିଏମ୍ଏଫ୍ ଅନିୟମିତତା, ମଣ୍ଡି ଅବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି, ସୀମା ବିବାଦ, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ସ୍ଥାନ ସଂରକ୍ଷଣରେ ପଛୁଆ ବର୍ଗକୁ ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି ବିଜେପି କହିଛି ।

କଂଗ୍ରେସ୍ ମଧ୍ୟ ମମିତା ହତ୍ୟାକାଣ୍ଡକୁ ଅସ୍ତ୍ର କରିବା ସହିତ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି, ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି, ମଣ୍ଡି ଅବ୍ୟବସ୍ଥା, ଦରଦାମ ବୃଦ୍ଧି, ଡାକ୍ତର ଓ ଶିକ୍ଷକ ଅଭାବକୁ ବଡ ପ୍ରସଙ୍ଗ କରିବ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ବିଜେଡି ଉଠାଇବ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ । ତେବେ ଆସନ୍ତାକାଲି ହେବାକୁ ଥିବା ବିଧାୟକ ଦଳ ବୈଠକରେ ତିନି ଦଳ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବେ ।

ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ରହିଛି ୨୬ଟି କାର୍ଯ୍ୟଦିବସ । ପ୍ରଥମ ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ।

BJP Assembly Session BJD Odisha Politics
Advertisment
Advertisment