Advertisment

ସନ୍ଧ୍ୟାରେ ଶପଥ ଗ୍ରହଣ, ରାତିରେ ବିଭାଗ ବଣ୍ଟନ ଓ ସକାଳୁ ଦାୟିତ୍ୱ ଗ୍ରହଣ

ସନ୍ଧ୍ୟାରେ ଶପଥ ଗ୍ରହଣ । ରାତିରେ ବିଭାଗ ବଣ୍ଟନ ଓ ସକାଳୁ ସକାଳୁ ଦାୟିତ୍ୱ ଗ୍ରହଣ । ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ ।

author-image
Satyendu Shekher Mishra
ସନ୍ଧ୍ୟାରେ ଶପଥ ଗ୍ରହଣ, ରାତିରେ ବିଭାଗ ବଣ୍ଟନ ଓ ସକାଳୁ ଦାୟିତ୍ୱ ଗ୍ରହଣ

Modi New Team

ନୂଆଦିଲ୍ଲୀ: ସନ୍ଧ୍ୟାରେ ଶପଥ ଗ୍ରହଣ । ରାତିରେ ବିଭାଗ ବଣ୍ଟନ ଓ ସକାଳୁ ସକାଳୁ ଦାୟିତ୍ୱ ଗ୍ରହଣ । ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀଙ୍କ ସହ କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ, ବହୁ ମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବି ଭେଟିଛନ୍ତି ।

Advertisment

ପୂରା ଜୋସ୍‌ରେ ମୋଦିଙ୍କ ନୂଆ ଟିମ୍ । ସକାଳ ପ୍ରାୟ ସାଢ଼େ ୯ଟାରେ ରେଳ ଏବଂ ୧୧ଟା ପୂର୍ବରୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରିଥିଲେ ଅଶ୍ୱିନୀ ବୈଷ୍ଣବ । ମୟୂରଭଞ୍ଜରୁ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟକୁ ଯାଇଥିବା ଇଂଜିନିୟର ବିଶ୍ୱେଶ୍ୱର ଟୁଡୁ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମନ୍ତ୍ରାଳୟର ବରିଷ୍ଠ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ତାଙ୍କୁ ଫୁଲୋତୋଡ଼ା ଦେଇ ସ୍ୱାଗତ କରିଥିଲେ ।

Advertisment

ସେହିପରି ମୋଦି ସରକାରର ପ୍ରଥମ ପାଳିରୁ ଏଯାଏଁ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ନୂଆ ବିଭାଗ, ଦକ୍ଷତା ବିକାଶ ଓ ପ୍ରାଦ୍ୟୋଗିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କୁ ଶିକ୍ଷା ବିଭାଗ ବି ମିଳିଛି । ସେପଟେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମେ ସମର୍ଥକଙ୍କୁ ଭେଟି ବିଜେପି ମୁଖ୍ୟାଳୟ ଯାଇଥିଲେ । ତା’ପରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, MSME ମନ୍ତ୍ରୀ ନାରାୟଣ ରାଣେ, ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପଶୁପତି ପାରସ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଥିଲେ । ସେପଟେ ଚାରା ରୋପଣ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

ଅନ୍ୟ ମନ୍ତ୍ରୀମାନଙ୍କ ଭିତରେ କିରଣ ରିଜିଜୁ ପ୍ରଥମେ ନିଜ ପୂର୍ବ ବିଭାଗର ସହକର୍ମୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ କାର୍ଯ୍ୟାଳୟକୁ ଯାଇଥିଲେ । ଏହାପରେ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜିତେନ୍ଦ୍ର ସିଂ, ପୀୟୂଷ ଗୋୟଲ, ଗିରିରାଜ ସିଂ, ଅନୁରାଗ ଠାକୁର ଆଦି ମଧ୍ୟ ନିଜ ନୂଆ ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅନୁରାଗ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ନେବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ ।

Latest Odisha News Odisha Politics
Advertisment
Advertisment