• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ନବୀନ, ପ୍ରତାପ ଓ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ । ସାରା ରାଜ୍ୟରେ ଏବେ ମମିତା ନିଆଁ । ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଛନ୍ତି ବିରୋଧୀ । ରାଜ୍ୟର ପ୍ରାୟ ସେବୁ ଜିଲ୍ଲାରେ ବିରୋଧର ଶିକାର ହେଉଛନ୍ତି ବିଜେଡି ନେତା । ଆଉ ଏହାରି ଭିତରେ କଟକରେ ବି ବିରୋଧୀ ବିଜେପି ଚୁପ୍‌ ବସିଥାନ୍ତା କେମିତି । ପାଖାପାଖି ଏକ ମାସେ ହେବ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଆଜି କଟକରେ ମୁଖ୍ୟମନ୍ତ୍ରୀ ନାବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି । ଖାଲି ନବୀନ ପଟ୍ଟନାୟକ ନୁହଁନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଛି ବିଜେପି । ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପିର ଏଭଳି ଜୋରଦାର ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି ।

ପ୍ରଥମେ କଟକ ସିଏମ୍‌ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଦଳ ଆଜିଠାରୁ ସବୁ ସ୍ଥାନରେ ନବୀନଙ୍କୁ ବିରୋଧ କରିବା ଆରମ୍ଭ କରିଛି ।

ସେପଟେ ବାଲେଶ୍ୱରରେ ମଧ୍ୟ ବିଜେପି ପ୍ରତିବାଦ କରିଛି । ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାମନାରେ ବିଜେପି କର୍ମୀମାନେ ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି । ସମ୍ବଲପୁର ବିଜେପି କାର୍ଯ୍ୟାଳୟ ସାମନାରେ ବିଜେପି ଜୋରଦାର ବିକ୍ଷୋଭ କରିଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଆନ୍ଦୋଳନ କରିଛନ୍ତି । ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିଥିଲା ବିଜେପି । ପୋଲିସ ରୋକିବାକୁ ଚେଷ୍ଟା କରିବାରୁ ପୋଲିସ-ବିଜେପି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ତେବେ ବିଜେପି କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଛି । 

ସେପଟେ କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ବେଳେ ମନ୍ତ୍ରୀମାନଙ୍କୁ ବିରୋଧ । ବିଜେପି ଓ କଂଗ୍ରେସ ପକ୍ଷରୁ କର୍ଲାମୁଣ୍ଡାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ କେସିଙ୍ଗାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ କରାଯାଇଛି । ପ୍ରେମାନନ୍ଦ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ କାର୍ଡ ବାଣ୍ଟୁଥିବା ବେଳେ ତାଲା ପକାଇ ଦେଇଥିଲେ ବିରୋଧି କଂଗ୍ରେସ ଓ ବିଜେପି କର୍ମୀ । ସେହିପରି କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଭୟରେ ମନ୍ତ୍ରୀ ଅରୁଣ ସାହୁ ଏସକର୍ଟ ଗାଡ଼ି ଛାଡ଼ି ବିଡିଓଙ୍କ ଗାଡ଼ିରେ ସଭାସ୍ଥଳକୁ ଆସିଥିଲେ ।

ସେହିଭଳି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଟୁକୁନି ସାହୁଙ୍କୁ ବି ଆଜି ଅଣ୍ଡା ମାଡ଼ କରାଯାଇଛି । ଜ୍ୟୋତିପ୍ରକାଶଙ୍କ ଗାଡ଼ିକୁ କଲମପୁରରେ ଅଣ୍ଡା ମାଡ଼ ହୋଇଛି । ଏକ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ପଣ୍ଡିଗାଁ ନିକଟରେ ଅଣ୍ଡା ମାଡ଼ ହୋଇଥିବା ସୂଚନା ରହିଛି । କଲମପୁର କାର୍ଯ୍ୟକ୍ରମ ବେଳେ କଳା ପତାକା ପ୍ରଦର୍ଶନ କରି ପ୍ରତିବାଦ କରାଯାଇଥିଲା । ସେହିଭଳି ଟୁକୁ ନି ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଆଣ୍ଡା ମାଡ଼ର ଶିକାର ହୋଇଛନ୍ତି । ତାଙ୍କ ଗାଡ଼ିକୁ ବିରୋଧୀ ଅଣ୍ଡା ମାଡ଼ କରିଛନ୍ତି ।