• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମମିତା ମାମଲାରେ କମ୍ପୁଛି କ୍ୟାପଟେନ୍‌ଙ୍କ ହୋମ୍‌ଗ୍ରାଉଣ୍ଡ ।

  • ନିଜ ଜିଲ୍ଲାର ମନ୍ତ୍ରୀଙ୍କ ବିରୋଧରେ ସ୍ଥାନୀୟ ନେତାଙ୍କ ଗର୍ଜନ ।

  • ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଭକ୍ତ ଦାସଙ୍କ ଡାଇରେକ୍ଟ ଆଟାକ୍ ।

ଭୁବନେଶ୍ୱର (ରିପୋର୍ଟ-ଦେବେନ୍ଦ୍ର ପ୍ରଧାନ, ରାଜକୁମାର ସିଂଦେଓ): ମହାଲିଙ୍ଗ୍ ସନ୍‌ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍‌ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍‌ଲା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ମହାଲିଙ୍ଗ୍ କଲେଜକୁ ଦିବ୍ୟଶଙ୍କରଙ୍କ ଅନ୍ଧାରୀ ବିଜେ ଏବଂ ଗୋବିନ୍ଦ ସହ ମିଶି ରଚାଯାଇଥିବା ଷଡ଼ଯନ୍ତ୍ର ଅଭିଯୋଗର ଖୁଲାସା ଦାବି କରିଛନ୍ତି । ତାସହ ଦିବ୍ୟଶଙ୍କରଙ୍କ କାର୍ଯ୍ୟକଳାପକୁ କଟୁ ସମାଲୋଚନା କରିଛନ୍ତି । ଏସବୁ ଭିତରେ ଆଜି କୁଚିଣ୍ଡା ବନ୍ଦ ପାଳନ ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।

ନିଜ ଜିଲ୍ଲାର ମନ୍ତ୍ରୀଙ୍କ ବିରୋଧରେ ସ୍ଥାନୀୟ ନେତାଙ୍କ ଗର୍ଜନ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାସ୍ତା ମଝିରେ ଯୁବ ବିଜେପି ନେତାଙ୍କ ଇସ୍ତଫା ଦାବି ପରେ ଏବେ ବରିଷ୍ଠ ନେତା ଭକ୍ତ ଦାସଙ୍କ ଡାଇରେକ୍ଟ ଆଟାକ୍ । ମହାଲିଙ୍ଗ୍ କଲେଜକୁ କାହିଁକି ରାତି ଅଧିଆ ବିଜେ କରୁଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ? ପ୍ରଶ୍ନବାଣ ମାରିଛନ୍ତି ଭକ୍ତ । ଏପରିକି ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଥାର୍ଡ଼ଫ୍ଲୋର ଲିଙ୍କ୍ ଅଭିଯୋଗ ଆଣି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଭବାନୀପାଟଣାରେ ଦଳୀୟ ସଭାରେ ଦିବ୍ୟ-ଗୋବିନ୍ଦ-ମମିତା କାଣ୍ଡକୁ ନେଇ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି ଭକ୍ତ । କହିଛନ୍ତି, ହତ୍ୟା ପୂର୍ବରୁ ମମିତାଙ୍କୁ ଗୋବିନ୍ଦ ଭବାନୀପାଟଣା ନେଇ ମାଣିକେଶ୍ୱରୀ ମନ୍ଦିରକୁ ଯିବା, ସହରରେ ଡ୍ରେସ୍ କିଣିବା ଓ ନିର୍ଦ୍ଧିଷ୍ଟ ଏକ ହୋଟେଲ୍‌ରେ ଖାଇଥିବାର ଦୃଶ୍ୟ ସିସିଟିଭିରେ ରହିଛି । ସେସବୁ ସହ ଦିବ୍ୟ-ଗୋବିନ୍ଦ ଓ ଅନ୍ୟ ସହଯୋଗୀଙ୍କ ୩ ମାସର କଲ୍ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଭକ୍ତ । ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନକଲେ ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯିବ ବୋଲି ଭକ୍ତ ଚେତାବନୀ ଦେଇଛନ୍ତି । ଏପରିକି ମମିତାଙ୍କୁ ନ୍ୟାୟ ଦାବି ନେଇ ଜିଲ୍ଲାରେ ବାଇକ୍ ଶୋଭାଯାତ୍ରା କରିଛନ୍ତି ଭକ୍ତ । ତେବେ ଭକ୍ତ ଦାସଙ୍କ ଅଭିଯୋଗ ନେଇ ଦିବ୍ୟଶଙ୍କର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ କାଲି ସାଂସଦ ସୁଜିତ କୁମାର କହିଥିଲେ ଆଇନ ତାବାଟରେ ଯିବ ।

ଅନ୍ୟପଟେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ କୁଚିଣ୍ଡା ଗସ୍ତବେଳେ କଂଗ୍ରେସ ଓ ବିଜେପିର ହଙ୍ଗାମା । ଟୁକୁନି ରହିଥିବା ଡାକବଙ୍ଗଳା ଆଗରେ ଆଜି ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ମମିତା ହତ୍ୟାକୁ ନେଇ ଆନ୍ଦୋଳନ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଉଠିଥିଲା । ଯାହାର ପ୍ରତିବାଦରେ ଆଜି କୁଚିଣ୍ଡାରେ ବନ୍ଦ ସତ୍ତ୍ୱେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ଟୁକୁନି ସାହୁ ଯାଇଥିବାରୁ ଏହାକୁ ବିରୋଧ ସହ ଡାକବଙ୍ଗଳାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେପି ଓ କଂଗ୍ରେସ କର୍ମୀ । ଏହି ସମୟରେ ବିଜେଡ଼ି କର୍ମୀ ପହଞ୍ଚିବାରୁ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ହାଇଡ୍ରାମା । ଶେଷରେ ପ୍ରାୟ ଗୋଟାଏ ବେଳେ ପୋଲିସ ସୁରକ୍ଷାରେ ଯାଇଥିଲେ ମନ୍ତ୍ରୀ । ସଂଧ୍ୟାରେ ପୁଣି ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟକ କିଶୋର ନାୟକଙ୍କ ପୋଷ୍ଟର ପୋଡ଼ିଥିଲା କଂଗ୍ରେସ ।