• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର - ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେଡିର ମନ୍ତ୍ରୀମାନେ ଏବେ ସାରା ରାଜ୍ୟରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ବିରୋଧୀ ଦଳ ପକ୍ଷରୁ ମନ୍ତ୍ରୀମାନଙ୍କ ଗାଡିକୁ ଅଣ୍ଡାମାଡ କରାଯାଉଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିବା ବେଳେ ରାଜ୍ୟ ସରକାର ଚୁପ୍‌ ହୋଇ ବସିଛନ୍ତି । ସାରା ରାଜ୍ୟରେ ବିକ୍ଷୋଭ ଓ କଳା ପତାକା ପ୍ରଦର୍ଶନ କରୁଛନ୍ତି ବିରୋଧୀ । କିନ୍ତୁ ଅଣ୍ଡାମାଡ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀ ଯୁଆଡେ ଗଲେ ହେଉଛି ଅଣ୍ଡାମାଡ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଛନ୍ତି ଓ କଳା ପତାକା ଦେଖାଇଛନ୍ତି । ତୁଷାରକାନ୍ତିଙ୍କୁ ବିରୋଧୀଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ।

ମନ୍ତ୍ରୀ ପଦ୍ମନାଭ ବେହେରା

ନୂଆପଡା ଜିଲ୍ଲାରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଗତକାଲି ବିଜେପି କର୍ମୀମାନେ ଅଣ୍ଡାମାଡ କରିଥିଲେ । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଅଣ୍ଡାମାଡରେ ବିରୋଧ କରାଯାଇଥିଲା ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଗତ ୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛକ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସ ସେହି ଗାଡିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଯାଉଥିଲେ । ଜୁନାଗଡ଼ ପଡ଼ିଆରେ ହେବାକୁ ଥିବା ମିଶ୍ରଣ ପର୍ବରେ ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ଯୋଗ ଦେବାକୁ ଯାଉଥିଲେ।

ମନ୍ତ୍ରୀ ଟୁକୁନି ସାହୁ

ଭବାନୀପାଟଣାର ନର୍ଲାରେ ଗତ 8 ତାରିଖରେ ବିରୋଧୀଙ୍କଠାରୁ ଆଣ୍ଡା ମାଡ଼ ଖାଇଥିଲେ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗୁଁ ପୁଣିଥର ତାଙ୍କୁ ହଟହଟା ହେବାକୁ ପଡ଼ିଛି । ରାସ୍ତାରେ ଯାଉଥିବା ବେଳେ ବିରୋଧୀ ତାଙ୍କ ଗାଡ଼ିକୁ ଅଟକାଇ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଥିଲେ । ଭବାନୀପାଟଣାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରିଥିଲେ ବିରୋଧୀ ।

ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ସେହିପରି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ କଲମପୁର ଠାରେ ମଧ୍ୟ ଅଣ୍ଡାମାଡ଼ ହୋଇଥିଲା । ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମକୁ ଯାଉଥିଲା ବେଳେ ଏହି ଅଣ୍ଡା ମାଡ଼ ହୋଇଥିଲା ।

ଗତ 27 ତାରିଖରେ ପୁରୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍‌ପି ଅଫିସ୍‌ ଘେରାଉ କରାଯାଇଥିଲା । ଏସ୍‌ପି ଅଫିସ୍ ନିକଟରେ ଥିବା ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ଯୁବମୋର୍ଚ୍ଚାର କର୍ମୀ । ଏଭଳି ମୁହାଁମୁହିଁ ସ୍ଥିତି ଭିତରେ ଏସ୍‌ପି ଅଫିସ୍ ଆଗରେ ପୋଲିସ ଉପରକୁ ଅଣ୍ଡାମାଡ଼ ହୋଇଥିଲା ।ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ହଟାଇବା ଦାବିରେ ଭୁବନେଶ୍ୱରରେ ତାଙ୍କ ବାସଭବନ ଉପରକୁ ଗତ 19 ତାରିଖରେ ଛାତ୍ର ସଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଥିଲେ ।

ମନ୍ତ୍ରୀ ଅରୁଣ ସାହୁ ହଟହଟା

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀ ଅରୁଣ ସାହୁ ଗତ 8 ତାରିଖରେ ବିରୋଧୀଙ୍କ ବିରୋଧର ଶିକାର ହୋଇଥିଲେ । ଅରୁଣଙ୍କ ସହ ଆଉ ଜଣେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଥିଲେ । ଉଭୟଙ୍କୁ ବିଜେପି ଓ କଂଗ୍ରେସ ପକ୍ଷରୁ କର୍ଲାମୁଣ୍ଡାରେ ବିରୋଧ କରାଯାଇଥିଲା ।

ମନ୍ତ୍ରୀ ପ୍ରେମାନନ୍ଦ ନାୟକ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ କାର୍ଡ ବାଣ୍ଟୁଥିବା ବେଳେ ତାଲା ପକାଇ ଦେଇଥିଲେ ବିରୋଧୀ ଦଳର କର୍ମୀ । କେସିଙ୍ଗାରେ ମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଭୟରେ ମନ୍ତ୍ରୀ ଅରୁଣ ସାହୁ ଏସକର୍ଟ ଗାଡ଼ି ଛାଡ଼ି ବିଡିଓଙ୍କ ଗାଡ଼ିରେ ଯାଇଥିଲେ । ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ କାରଣରୁ ମନ୍ତ୍ରୀ ଟୁକୁନି ସାହୁ ପ୍ରାୟ ୩ ଘଣ୍ଟା ଧରି କୁଚିଣ୍ଡା ଡାକବଙ୍ଗଳାରେ ଅଟକି ରହିଥିଲେ ।

ଏସବୁ ଘଟଣାକୁ ଦେଖିଲେ, ଗତ କିଛି ଦିନ ଧରି ଓଡିଶା ରାଜନୀତିରେ ବିରୋଧୀ ଅଧିକ ସକ୍ରିୟ ହୋଇଛନ୍ତି । ଶାସକ ଦଳକୁ ବିରୋଧ କରୁଛନ୍ତି । ବିରୋଧ ପାଇଁ ଅସ୍ତ୍ର ହୋଇଛି ଅଣ୍ଡା । ଯେଉଁ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଛି, ସେଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନିଜେ ମଞ୍ଚରେ ବସୁଛନ୍ତି । ବିରୋଧୀ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ।