• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏଥର ଦେଶରେ ୭ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେଉଛି । ମୂଳରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନି, ଏଣେ ସାରା ଦେଶରୁ ଜବତ ହେଲାଣି ୪ ହଜାର ୬୫୮ କୋଟି ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ । ଯାହାକି ୭୫ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ।

ECIଙ୍କ ସିଜ୍ ତାଲିକାରେ ରାଜସ୍ଥାନ ଶୀର୍ଷରେ ରହିଥିବାବେଳେ ଓଡ଼ିଶାର ସ୍ଥାନ ୧୫ । ମାର୍ଚ୍ଚ ୧ରୁ ଏପ୍ରିଲ୍ ୧୩ ଭିତରେ ଓଡ଼ିଶାରୁ ଜବତ ହେଲାଣି ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ଉପହାର ସାମଗ୍ରୀ ସହ ନଗଦ ଅର୍ଥ ।

ଆଖି ତରାଟି ଗଲା ଭଳି ତଥ୍ୟ । ଖବର ପୁରା ଚମକାଇଦେଲା ଭଳି । ମୂଳରୁ ମତଦାନ ଆରମ୍ଭ ହୋଇନି, ଏଣେ ନିର୍ବାଚନ ବେଳର ଗତ ଦେଢ଼ ମାସ ଭିତରେ ଦେଶ ବ୍ୟାପୀ ଚଢ଼ଉ କରି ୪ହଜାର ୬୫୮କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ଉପହାର ସାମଗ୍ରୀ ଜବତ କରିସାରିଲେଣି ଭାରତୀୟ ନିର୍ବାଚନ କମିଶନ ।

ଯାହା ମଧ୍ୟରେ ଓଡ଼ିଶାରୁ ସିଜ୍ ହୋଇଛି ୧୦୭କୋଟି ୧୩ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ । ସେଥିରେ ଅଛି ୧ କୋଟି ୪୭ ଲକ୍ଷ ନଗଦ ଟଙ୍କା, ୧୬ କୋଟିର ମଦ, ୩୯ କୋଟିର ଡ୍ରଗସ୍ ଓ ୬କୋଟି ୪୬ ଲକ୍ଷ ଟଙ୍କା ମୂଲ୍ୟର ସୁନା-ରୂପା ଭଳି ମୂଲ୍ୟବାନ ଧାତୁ । ଏହା ସହ ପ୍ରାୟ ୪୪ କୋଟି ଟଙ୍କାର ମାଗଣାରେ ବଣ୍ଟା ଯିବାକୁ ଥିବା ଉପହାର ସାମଗ୍ରୀ ବି ଧରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ କମିଶନଙ୍କ ମିଳିତ ଟିମ୍ ।

ନିୟମିତ ରେଡ୍ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ଆଇଟି, ଇଡି, ଏନସିବି ଓ ରାଜ୍ୟ ପୁଲିସ ସହ ଅବକାରୀ ଏବଂ ପରିବହନ ବିଭାଗ ବି ସାମିଲ ହେଉଛନ୍ତି । ଅବାଧ ନିର୍ବାଚନ ପରିଚାଳନା ପାଇଁ ଇସିଆଇଙ୍କ ନିର୍ଦ୍ଦେଶରେ ଏଭଳି ଆକ୍ସନ ନିଆଯାଉଥିବା କହିଛନ୍ତି ରାଜ୍ୟ ଅବକାରୀ କମିଶନର ।

ମାର୍ଚ୍ଚ ୧ରୁ ଏପ୍ରିଲ୍ ୧୩ । ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ଏହି ସମୟ ଭିତରେ ଜବତ ଟଙ୍କା ଓ ସାମଗ୍ରୀ କ୍ଷେତ୍ରରେ ୧ ନମ୍ବରରେ ରହିଛି ରାଜସ୍ଥାନ । ସେଠୁ ସର୍ବାଧିକ ୭୭୮ କୋଟି, ଗୁଜରାଟରୁ ୬୦୫ କୋଟି ଓ ତାମିଲନାଡ଼ୁରୁ ୪୬୦ କୋଟି ସିଜ୍ ହେଲାଣି । ଏ ତାଲିକାରେ ଅବଶ୍ୟ ଓଡ଼ିଶାର ସ୍ଥାନ ୧୫ରେ ରହିଛି ।

ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି ଯେ- ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଗରୁ ୪୬୫୮ କୋଟି ଟଙ୍କାର ଉପହାର ସାମଗ୍ରୀ ଜବତ ହୋଇ ସାରିଲାଣି । ଯାହା ଗତ ୭୫ବର୍ଷ ନିର୍ବାଚନ ଇତିହାସରେ ପ୍ରଥମ । ଦିନକୁ ହାରାହାରି ୧୦୦ କୋଟି ଜବତ ହେଉଛି, ଯାହାକି ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଅଲ ଟାଇମ୍ ହାଇ ।

ସବୁଠୁ ଚିନ୍ତାଜନକ ବିଷୟ ହେଲା ଗତ ଦେଢ଼ ମାସରେ କେବଳ ୨୦୬୯କୋଟିର ଡ୍ରଗ୍ସ ଜବତ ହୋଇସାରିଲାଣି, ଯାହାର ପରିମାଣ ୨୦୧୯ ନିର୍ବାଚନ ସମୟରେ ଥିଲା ୧୨୮୦ କୋଟି । ଏଥିସହ ଏଥର ୪୯୦ କୋଟିର ମଦ, ୫୬୨ କୋଟିର ଅଳଙ୍କାର ଓ ୧୧୪୨ କୋଟିର ଉପହାର ବା ପ୍ରଲୋଭନ ସାମଗ୍ରୀ ରହିଛି ।

ତେଣେ ସାଧାରଣ ଲୋକେ ସି-ଭିଜିଲ ଆପ୍ ଜରିଆରେ ୩ ହଜାର ୨୬୨ଟି ଏ ସମ୍ପର୍କିତ ଅଭିଯୋଗ ବି କରି ସାରିଲେଣି । ନାଗାଲାଣ୍ଡ, ଲଦାଖ, ଲାକ୍ଷାଦୀପ ଓ ପୁଡୁଚେରୀରୁ ଟଙ୍କାଟିଏ ବି ଜବତ ହୋଇନି । ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇନଥିବାବେଳେ ଏଥର ମୋଟ୍ ୭ଟି ପର୍ଯ୍ୟାୟ ନିର୍ବାଚନ ସରିଲା ବେଳକୁ ଏ ପରିମାଣ କେତେ ଯେ ବଢ଼ି ଯାଇଥିବ ତାକୁ ନେଇ ବଢିଛି ଚିନ୍ତା ।

ଅବାଧ ନିର୍ବାଚନକୁ ସୁନିଶ୍ଚିତ କରିବା ଲାଗି ସାରା ଦେଶରେ ୫୯ ହଜାର ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ଯାହାଙ୍କୁ ସହାୟତା କରୁଛନ୍ତି ୭୩୪ ରାଜ୍ୟସ୍ତରୀୟ ନୋଡାଲ ଅଫିସର, ୬୩୯୮ ଜଣ ଜିଲ୍ଲା ସ୍ତରୀୟ ନୋଡାଲ ଅଫିସର ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ।

  • Reported by:
  • GAUTAM PANDA