• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁଖ୍ୟମନ୍ତ୍ରୀ ନବୀନଙ୍କ ସଂପର୍କରେ ସୌମ୍ୟ ପଟ୍ଟନାୟକଙ୍କ ଚର୍ଚ୍ଚିତ ବକ୍ତବ୍ୟ

  • ବବି ଓ ପାଣ୍ଡିଆନ ନବୀନଙ୍କ ଦୁଇ ଆଖି

  • ଏ ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖନ୍ତି, ଶାସନ ସେମିତି ଚାଲେ

  • ମଣିମା ଯଦି ମାନିବେ କାଉ ଧଳା ହେଲେଣି, ତେବେ ଶାସନରେ ବିଭ୍ରାଟ ହେବ

ଭୁବନେଶ୍ୱର : ପାଣ୍ଡିଆନ ଓ ବବି ନବୀନଙ୍କ ଦୁଇ ଆଖି । ବିଜେଡ଼ିର ଚାଣକ୍ୟ କୁହାଯାଉଥିବା ବବି ଦାସ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଆଖିରେ ଦୁନିଆ ଦେଖନ୍ତି ମୁଖ୍ୟମନ୍ତ୍ରୀ । ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଆଖି ବବି ଓ ଅନ୍ୟଟି ପାଣ୍ଡିଆନ ବୋଲି ସେ କହିଛନ୍ତି

ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ, ତାହା ତାଙ୍କ ପାଇଁ ଦୁନିଆ ହେବ । ଯଦି କୌଣସି କାରଣରୁ ନିଜ ନିଜ ସ୍ୱାର୍ଥରୁ ଏ ଆଖି ଗୁଡ଼ିକ ଅଲଗା କଥା ଦେଖିବାକୁ ଚେଷ୍ଟା କଲେ କିମ୍ବା କାଉକୁ ଧଳା ବୋଲି କହିବାକୁ ଚେଷ୍ଟା କଲେ କଥା ସଲା ।  ଆଉ ତାଙ୍କ କଥା ମାନି ମଣିମା ଯଦି କହନ୍ତି କାଉଟି ଧଳା ହେବାକୁ ଆରମ୍ଭ କଲାଣି, ତେବେ ନିଶ୍ଚିତ ଭାବେ ଶାସନରେ ବିଭ୍ରାଟ ଉପୁଜିବ । ଏହି ଆଖି ଦୁଇଟି ଯେ ସବୁବେଳେ ସତ କଥା କହିବେ, ସେଥିରେ ଗ୍ୟାରେଣ୍ଟି ନାହିଁ । ତେଣୁ ଚାଲାକ ଚତୁର ଶାସକମାନଙ୍କୁ ତୃତୀୟ ନୟନର ଆବଶ୍ୟକତା ପଡ଼ିଥାଏ, ଯେଉଁଥି ପାଇଁ ରାଜା ମହାରାଜା ଅନ୍ଧାରୀ ବିଜେ କରନ୍ତି ବୋଲି କହିଛନ୍ତି ସୌମ୍ୟ । ତାସହ ଗଣମାଧ୍ୟମ ଏହି ତୃତୀୟ ନୟନର ଭୂମିକା ନିର୍ବାହ କରିପାରିବ କି ବୋଲି ବି ନିଜ ବକ୍ତବ୍ୟରେ ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ । ତେବେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼ ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି । ସେଥିପାଇଁ ସେମାନେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କଲେଣି । ତେଣେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ବିରୋଧୀଙ୍କ ପାଇଁ ନବୀନଙ୍କୁ ଆକ୍ଷେପର ଖୋରାକ ଯୋଗାଇଥିବାବେଳେ ବିଜେଡି କିନ୍ତୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନି ।

ପୂର୍ବରୁ ରାଜ୍ୟରେ ପ୍ରକୃତ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ସୌମ୍ୟଙ୍କ ଏକ ସଂପାଦକୀୟ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଯେଉଁଥିରେ ସୌମ୍ୟ ଲେଖିଛଥିଲେ, କେତେକ ପ୍ରଶାସନିକ ତ୍ରୁଟି ଓ ଅବହେଳା ଯୋଗୁଁ ଓଡ଼ିଶାର କରୋନା ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି । ଏଥିପାଇଁ ନବୀନ ସରକାର ଅଡୁଆରେ ପଡୁଛନ୍ତି । କଳେବଳେ କୌଶଳେ ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଅହଙ୍କାର ଏହି ତ୍ରୁଟି ପାଇଁ ଦାୟୀ । ସତ ମୃତ୍ୟୁ ସଂଖ୍ୟାଟିକୁ କହିଦେଇଥିଲେ ବିଶେଷ କିଛି କ୍ଷତି ହେବାର ନଥିଲା, ବରଂ ତାକୁ ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ ସବୁ କରିଛି ତାହା ଶାସନର ମର୍ଯ୍ୟାଦାକୁ ନଷ୍ଟ କରୁଛି ବୋଲି ସେ ଲେଖିଥିଲେ ।