Advertisment

ମମିତା ହତ୍ୟା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପିର ଅଭିନବ ପ୍ରତିବାଦ । ଗୋବରପାଣି ଓ ଗଙ୍ଗାଜଳ ଛିଞ୍ଚି ବିଧାନସଭା ପରିସର ଶୁଦ୍ଧ କଲେ । ତେଣେ ମାଷ୍ଟର କ୍ୟାଣ୍ଟିନରେ ଘଣ୍ଟ ବଜାଇ ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ବାଙ୍ଗିବାକୁ ପ୍ରୟାସ ଜାରି ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ଉଭୟ ଗୃହ ଭିତରେ ଓ ବାହାରେ ଗର୍ଜିଛି ବିଜେପି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mamita Murder Case, Assembly Protest

Mamita Murder Case, Assembly Protest

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପିର ଅଭିନବ ପ୍ରତିବାଦ । ଗୋବରପାଣି ଓ ଗଙ୍ଗାଜଳ ଛିଞ୍ଚି ବିଧାନସଭା ପରିସର ଶୁଦ୍ଧ କଲେ । ତେଣେ ମାଷ୍ଟର କ୍ୟାଣ୍ଟିନରେ ଘଣ୍ଟ ବଜାଇ ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ବାଙ୍ଗିବାକୁ ପ୍ରୟାସ ଜାରି ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ଉଭୟ ଗୃହ ଭିତରେ ଓ ବାହାରେ ଗର୍ଜିଛି ବିଜେପି । କଂଗ୍ରେସ ବିଧାୟକ ମଧ୍ୟ ପ୍ଲାକାର୍ଡ ଧରି ଗୃହରେ ବିରୋଧ ପ୍ରଦର୍ଶନ କରିବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ବିରୋଧୀ ନାଟକ କରୁଥିବା ପାଲଟା ଅଭିଯୋଗ ଆଣିଛି ଶାସକ ଦଳ ବିଜେଡି ।

Advertisment

ବିଧାନସଭାରେ ଥମୁନି ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାର ଝଡ଼ । ବିରୋଧୀଙ୍କ ହୋହାଲ୍ଲା, ହଟ୍ଟଗୋଳ ଚାଲିଛି । ବିଜେପିର ଗୋବରପାଣି ଓ ଗଙ୍ଗାଜଳ ସିଞ୍ଚନ ସାଙ୍ଗକୁ କଂଗ୍ରେସର ବିକ୍ଷୋଭ (ଡବଲ ଉଇଣ୍ଡୋ) ପ୍ରଦର୍ଶନ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ଆଜି ଗୃହରେ ଦେଖିବାକୁ ମିଳିଥିଲା ମମିତା ଝଡ଼ । ବିଜେପି ବିଧାୟକଙ୍କ ବ୍ୟାନର ଓ ପୋଷ୍ଟର ଧରି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ମଧ୍ୟ କରିଥିଲେ । ଫଳରେ ବାଚସ୍ପତି ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

ଏହାପରେ ଅଭିନବ ପ୍ରତିବାଦକୁ ଓହ୍ଲାଇ ଥିଲା ରାଜ୍ୟ ବିଜେପି । ବିଧାନସଭା ପରିସରରେ ବିଧାୟକମାନେ ଝାଡୁ ମାରି ଗଙ୍ଗା ଜଳ,ଗୋବର ପାଣି ସିଞ୍ଚନ କରିଥିଲେ ଧୂପ ଧୁଆଁ ଦେଇ ବିଧାନସଭା ପରିସରକୁ ଶୁଦ୍ଧ କରିଥିଲେ ।ବିଜେପିର ଅଭିଯୋଗ ଯେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଗୁରୁତର ଅଭିଯୋଗ ସତ୍ତ୍ୱେ ତିନି ଦିନ ହେଲା ଗୃହକୁ ଆସୁଛନ୍ତି । ଏହାଦ୍ୱାରା ଗୃହର ପବିତ୍ରତା ନଷ୍ଟ ହୋଇଛି । ମନ୍ତ୍ରୀଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଲାଗି ଦଳ ଦାବି ଦୋହରାଇଛି ବିଜେପି ।

Advertisment

ଅନ୍ୟପଟେ କଂଗ୍ରେସ ବିଧାୟକ ବିଧାନସଭା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ଫ୍ଲା କାର୍ଡ ଧରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗିରଫଦାରୀ ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ହାଇକୋର୍ଟଙ୍କ ତତ୍ୱବାଧାନରେ SIT ଗଠନ ନେଇ ସେ ଜନସ୍ୱାର୍ଥ ମାମଲା ରୁଜୁ କରିବେ । ତେବେ ବିରୋଧୀଙ୍କ ଜବାବ ଦେଇ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଛନ୍ତି ଯେ ଉତ୍ତରପ୍ରଦେଶ ଲଖିମପୁର ଖେରୀ ଘଟଣାରେ ବିଜେପି ପ୍ରଥମେ ଲୋକସଭା ଓ ୟୁପି ବିଧାନସଭାକୁ ଶୋଧନ କରୁ । ବିରୋଧୀ ନାଟକ କରି ବିଧାନସଭା ସମୟ ବରବାଦ କରୁଥିବା ଶାସକ ବିଜେଡି ପାଲଟା ଅଭିଯୋଗ ଆଣିଛି ।

ବିଧାନସଭା ବାହାରେ ବି ଆନ୍ଦୋଳନକୁ ଓହ୍ଲାଇଥିଲେ ବିଜେପି କର୍ମୀ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ବାବୁ ସିଂହ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବାଡେଇ ପ୍ରତିବାଦ କରାଯାଇଥିଲା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରି ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଦଳୀୟ କର୍ମୀ ଅଭିଯୋଗ କରିବା ସହ ତାଙ୍କୁ ନିଦରୁ ଉଠାଇବାକୁ ଘଣ୍ଟ ବଜାଇଥିଲେ ।

ମମିତା ମେହେର ହତ୍ୟା କାଣ୍ଡ ଓ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆନ୍ଦୋଳନ ଓ ପ୍ରତିବାଦକୁ ଜୋରଦାର କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଚୁପ୍ ବସିବେ ନାହିଁ ବୋଲି ବିରୋଧୀ ସ୍ପଷ୍ଟ କରି ଦେଇଛନ୍ତି । ମମିତା ହତ୍ୟା ମାମଲାକୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ବୋହୁଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର କିନ୍ତୁ ବେଫିକର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବସି ଜୁନିୟର ବିଶ୍ୱକପ୍ ହକି ମ୍ୟାଚ୍ ଉପଭୋଗ କରୁଥିବା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ଓ ମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଭୁବନେଶ୍ୱରରୁ - ଜଗଦିଶ ଦାସ, ହରିହର ଚାନ୍ଦ

Assembly Protest Mamita Murder Case
Advertisment
Advertisment