• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଛି ଛକାପଞ୍ଛା । ଗତକାଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ ଆଲୋଚନା ବେଳେ ଏହି ପ୍ରସଙ୍ଗ ମଧ୍ୟ ଉଠିଥିଲା । ଅଥଚ ଏଯାଏଁ କୌଣସି ନିଷ୍କର୍ସ ବାହାରିନପାରିବାରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ ।

ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବୈଠକ ବସିଥିଲା । ସେହି ସମୟରେ କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଗ୍ରାମସଭା କରାଇବା ସହ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲା ଆନ୍ଧ୍ର ସରକାର । ତେଣୁ ଆନ୍ଧ୍ରର ଦୋମୁହାଁ ନୀତି ଧରାପଡ଼ିଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାସହ ଆଜି ହେବାକୁ ଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହେବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଆଜି ଅପରାହ୍ନ ସାଢ଼େ ୪ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି ।

 ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଜଗନ ଓ ନବୀନଙ୍କ ଆଲୋଚନାକୁ କଟାକ୍ଷ କରିଛନ୍ତି । ଏହାକୁ ପର୍ବତର ମୂଷିକ ପ୍ରସବ ବୋଲି ସେ କହିଛନ୍ତି । ସାଲୁଜା କହିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନାରେ ବସିଥିବାରୁ ସବୁ ବିବାଦ ନଖରେ ଛିଡ଼ିଥାନ୍ତା । କିନ୍ତୁ କମିଟି ଗଠନ କରି ଅଫିସରଙ୍କ ଉପରେ ଛାଡ଼ିବା କେବଳ ଲୋକ ଦେଖାଣିଆ କାମ ବୋଲି ସେ କହିଛନ୍ତି । ସେପଟେ ଏନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ , ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠନ ହେବ ଆନୁଷ୍ଠାନିକ ବ୍ୟବସ୍ଥା । ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଯାହା କି ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ହୋଇଛି ।

ଉଭୟ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ମଧ୍ୟ ଜାରି କରିଛନ୍ତି । ଜଳ ସମସ୍ୟା, ସୀମା ବିବାଦ ଓ ନକ୍ସଲ ମୁକାବିଲା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହାସହ କୋଟିଆ, ନେରେଡ଼ି, ଝଞ୍ଜାବତି ଜଳ ସମସ୍ୟା ସମାଧାନ ନେଇ ମଧ୍ୟ ଆଲୋଚନା ହୋଇଛି । ପୋଲାଭରମ, ବାହୁଦା ଜଳ, ବାଲିମେଳା, ସିଲେରୁ ଜଳ ପ୍ରସଙ୍ଗ ମଧ୍ୟ ଉଠିଥିଲା । ମାଓ ଦମନ ଓ ଗଂଜେଇ ଚାଷ ରୋକିବାକୁ ଦୁଇ ରାଜ୍ୟ ମିଶି କାମ କରିବେ ବୋଲି ନିଷ୍ପତ୍ତି ହୋଇଛି । ଦୁଇ ରାଜ୍ୟର ଦୁଇ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେବ ବୋଲି ମଧ୍ୟ ନିଷ୍ପତି ହୋଇଛି ।

ତେବେ ଗୋଟିଏ ପଟେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଠିକ୍‌ ସେହି ସମୟରେ ଆନ୍ଧ୍ର ପ୍ରଶାସନ ଓଡ଼ିଶା ସୀମାରେ ବେଆଇ  ପ୍ରବେଶ କରି ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛି । ଯାହାକି ଆନ୍ଧ୍ରର ଦୋମୁହାଁ ନୀତିକୁ ସ୍ପଷ୍ଟ କରିଛି ।