Advertisment

ନବୀନ-ଜଗନ ବୈଠକରେ ଉଠିବ କି ବିବାଦୀୟ କୋଟିଆ ପ୍ରସଙ୍ଗ ?

କାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡି ଓଡ଼ିଶା ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ବେଳେ ସୀମା ବିବାଦ, ବିଶେଷକରି କୋଟିଆ ପ୍ରସଙ୍ଗ ଉଠୁ ବୋଲି ଦାବି ଜୋର ଧରିଛି।

author-image
Chandan Shishu
Naveen-Jagan Meet

Naveen-Jagan Meet

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନଙ୍କ ଦ୍ୱିପାକ୍ଷିକ ବୈଠକ। ସନ୍ଧ୍ୟାରେ ଲୋକସେବା ଭବନରେ ହେବାକୁ ଥିବା ଏ ବୈଠକରେ ଦୁଇ ପଡ଼ୋଶୀ ରାଜ୍ୟ ମୁଖିଆ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ, ତାହା ସ୍ପଷ୍ଟ ହୋଇନି। ତେବେ ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପ୍ରସଙ୍ଗରେ ଜଗନ, ନବୀନଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି।

Advertisment

ଏ ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତା ସହ ପୋଲାଭରମ୍ ବିବାଦ ମଧ୍ୟ ଆଲୋଚନା ପରିସରକୁ ଆସିବା ଆଶା କରାଯାଉଥିଲେ ବି ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାରୁ ଏହା ସ୍ଥାନ ପାଇନପାରେ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ।

ଏପଟେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି।

Advertisment

ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଥିବାରୁ ଏ ବିବାଦର ସମାଧାନ ଲାଗି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିଭିନ୍ନ ଦଳର ନେତା। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ଥିବା ବେଳେ ଏଭଳି ସମୟରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ହେଉଥିବାରୁ ଏ ପ୍ରସଙ୍ଗ ଉତ୍ଥାପନ ଓ ଆଲୋଚନା ପାଇଁ ଏହା ସୁଯୋଗ ବୋଲି ମତ ଦେଇଛନ୍ତି ସଂପୃକ୍ତ ଅଞ୍ଚଳର ଜନ ପ୍ରତିନିଧି।

କୋଟିଆ ସୀମା ବିବାଦ ପ୍ରସଙ୍ଗ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିବା ବେଳେ କୋର୍ଟ ଏହି ସମସ୍ୟାର ସମାଧାନ ଲାଗି ରାଜନୈତିକ ସ୍ତରରେ ଆପୋଷ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଆସନ୍ତାକାଲିର ବୈଠକରେ କୋର୍ଟଙ୍କ ପରାମର୍ଶର ପ୍ରାସଙ୍ଗିକତା ରଖୁଥିବାରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଅନେକ କିଛି ଆଶା କରାଯାଉଛି।  

Andhra Pradesh Odisha
Advertisment
Advertisment