• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୃଷକ ଆନ୍ଦଳନ ପ୍ରସଙ୍ଗରେ ଚାଷୀ ସଂଗଠନ ତରଫରୁ ଗଠନ ହେଲା ୫ ଜଣିଆ କମିଟି । ଚାଷୀଙ୍କ ବିଭିନ୍ନ ଦାବି ନେଇ ଏହି କମିଟି ସରକାରଙ୍କ ସହ ଆଲୋଚନା କରିବ । ଏହାସହ ଚାଷୀ ଜାରି ରଖିଥିବା ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବ ଏହି କମିଟି । ଦିଲ୍ଲୀ ସିଂଗୁ ସୀମାରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବସିଥିଲା ଏହି ବୈଠକ । ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଏହି କମିଟି ଆଲୋଚନା କରିବ ।

ତେବେ ବର୍ତ୍ତମାନ ସଂସଦରେ ଏହି ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି । ଏହାସହ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ସହ ଚାଷୀ ଆନ୍ଦୋଳନ ସମୟରେ ବିଭିନ୍ନ ଚାଷୀଙ୍କ ନାଁରେ ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଏହି କମିଟି ଆଲୋଚନା କରିବ । ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏହି ବୈଠକ ଡକାଯାଇଥିଲା । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବସିଥିବା ବୈଠକରେ ଏମ୍ଏସ୍‌ପି ପ୍ରସଙ୍ଗ ପୁଣିଥରେ ଉଠାଇଥିଲେ କୃଷକ ନେତା ରାକେଶ ଟିକାୟତ । ମୃତ ଚାଷୀଙ୍କୁ ସହାୟତା ପ୍ରଦାନ, ଏମ୍ଏସ୍‌ପି ଏବଂ ମାମଲା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ରାକେଶ ଟିକାୟତ ।

ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନ ସମୟରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଶତାଧିକ ସଂଖ୍ୟାରେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁହାଯାଉଛି । ତେବେ ଏହାକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ କେଟିଏସ ତୁଲସୀ ।

କିଛି ଦିନ ପୂର୍ବରୁ ୩ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ । ଏହା ପୂର୍ବରୁ ୩ କୃଷି  ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଯାହାକୁ କେନ୍ଦ୍ର କ୍ୟାବିନେଟ ମଧ୍ୟ ମଂଜୁରୀ ପ୍ରଦାନ କରିସାରିଛି ।

ପୂର୍ବରୁ କୃଷକଙ୍କ ପାଇଁ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ୍ ଆଣିଥିଲେ । ପ୍ରବଳ ବିରୋଧ ସତ୍ତ୍ୱେ ଚାଷୀଙ୍କୁ ଅହରହ ବୁଝାଇବାକୁ ଉଦ୍ୟମ କରିଥିଲେ । ହେଲେ ବର୍ଷେ ହେଲା ଏହି ଉଦ୍ୟମରେ ସରକାର ସଫଳ ହୋଇପାରୁନଥିଲେ । ଫଳରେ କୃଷି ଆଇନକୁ ବିରୋଧ କରି ତେଜିଥିଲା ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ । ଗତ  ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ୍‌କୁ ପ୍ରତ୍ୟାହାର ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଖୁସି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଶେଷରେ ଫୁଟିଥିଲା ହସ । ଏହାସହ ସମସ୍ତେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଥିଲେ ।