• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

୨୦୨୦ରେ ଆଡିଲେଡ୍ ଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୩୬ ରନ୍‌ରେ ଅଲ୍ଆଉଟ୍ ହୋଇଥିବା ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିଯାଇଥିଲା । ଏହାପରେ ତତ୍‌କାଳୀନ ଅଧିନାୟକ ବିରାଟ କୋହଲି କୌଣସି କାରଣରୁ ଭାରତ ଫେରିଆସିଥିଲେ । ସେତେବେଳେ ଅଜିଙ୍କ୍ୟ ରାହାଣେ ଟିମ୍‌ର ଅଧିନାୟକତ୍ୱ କରିଥିଲେ । ମେଲବର୍ଣ୍ଣ ଠାରେ ଖେଳାଯାଇଥିବା ପରବର୍ତ୍ତୀ ଟେଷ୍ଟର ପ୍ରଥମ ଇନିଂସ୍‌ରେ ରାହାଣେ ଶତକ ଲଗାଇ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଶେଷରେ ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୨-୧ରେ ସିରିଜ୍ ଜିତିଥିଲା ।

ଏହା କମ ବଡ଼ ସଫଳତା ନ ଥିଲା । ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ସିରିଜ୍ ହାତେଇଥିଲା, ତାହା ପୁଣି ଜଣେ କାର୍ଯ୍ୟନିର୍ବାହୀ ଅଧିନାୟକଙ୍କ ନେତୃତ୍ୱରେ । ରାହାଣେଙ୍କ ଭିତରେ ଦୃଢ଼ ନେତୃତ୍ୱ ନେବାର କଳା ରହିଛି ବୋଲି ପ୍ରମାଣିତ ହୋଇଥିଲା ।

କିନ୍ତୁ ସେହି ରାହାଣେଙ୍କୁ ୨୦୨୨ ଜାନୁଆରୀରେ କେପ୍ଟାଉନ୍ ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ ପରେ ଚୂଡ଼ାନ୍ତ ଏକାଦଶରେ ଚୟନ କରାଯାଇ ନ ଥିଲା । ସେବେଠାରୁ ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବ ଯାଏଁ ସେ ଭାରତୀୟ ଟିମ୍‌ର ଅଂଶବିଶେଷ ନ ଥିଲେ । ଏପରିକି ତାଙ୍କୁ ବିସିସିଆଇର ବାର୍ଷିକ ଚୁକ୍ତି ବି ମିଳି ନ ଥିଲା ।

ପ୍ରଥମେ ରଣଜୀ ଟ୍ରଫି ଓ ଏହାପରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୩ରେ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ୧୭୨ ଷ୍ଟ୍ରାଇକ୍ ରେଟ୍‌ରେ ୩୨୬ ରନ୍ କରି ରାହାଣେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହି ସମୟରେ ସେ କେତେକ ସ୍ମରଣୀୟ ଇନିଂସ୍ ଖେଳିଥିଲେ । ଶ୍ରେୟାସ ଆୟର ଆହତ ଥିବା ଯୋଗୁଁ ଚୟନକାରୀମାନେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପାଇଁ ରାହାଣେଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ୍ କରିଥିଲେ । ସମ୍ଭବତଃ ଆଇପିଏଲ୍ ଓ ଏହା ପୂର୍ବରୁ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ଚୟନକାରୀମାନଙ୍କୁ ପ୍ରଭାବିତ କରିଥାଇପାରେ ।

ଏବେ ତାଙ୍କ ଚୟନର ଯଥାର୍ଥତା କେତେ, ତାହା ରାହାଣେ ନିଜ ପ୍ରଦର୍ଶନ ଜରିଆରେ ପ୍ରମାଣିତ କରିଛନ୍ତି । ଓଭାଲ୍‌ର ଯେଉଁ ପିଚ୍‌ରେ ଅଧିନାୟକ ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ଭଳି ଧୁରନ୍ଧର ଖେଳାଳି ନିରାଶ କରିଥିଲେ, ସେଠାରେ ରାହାଣେ ୮୯ ରନ୍‌ର ଲଢ଼ୁଆ ଇନିଂସ୍ ଖେଳି ଟିମ୍ ଇଣ୍ଡିଆର ସମ୍ମାନ ରଖିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ର ଆହ୍ୱାନପୂର୍ଣ୍ଣ ସ୍କୋର୍ ଛିଡ଼ା କରିଥିଲା ।

ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ସମୟରେ ମନେ ହେଉଥିଲା ଯେ ଟିମ୍ ଫଲୋଅନ୍‌ର ସମ୍ମୁଖୀନ ହେବ । କିନ୍ତୁ ରାହାଣେ ଓ ଶାର୍ଦ୍ଦୂଳ ଠାକୁର (୫୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ୍ ଏହି ବିପଦ ଏଡ଼ାଇ ୨୯୬ ରନ୍ ସଂଗ୍ରହ କରିଥିଲା । ସପ୍ତମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୧୦୯ ରନ୍‌ର ଭାଗୀଦାରୀ ହୋଇଥିଲା ।

ସ୍ମରଣୀୟ ପ୍ରତ୍ୟାବର୍ତ୍ତନ:

୨୦୨୧ରେ ୟୁଏଇ ଠାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ପରେ କୋହଲି କ୍ଷୁଦ୍ରତମ ଫର୍ମାଟ୍‌ର ଅଧିନାୟକତ୍ୱ ଛାଡ଼ିଥିଲେ । ଏହାପରେ ରୋହିତ ଶର୍ମାଙ୍କୁ ଟି-୨୦ ସହିତ ଦିନିକିଆର ବି ଅଧିନାୟକ କରାଯାଇଥିଲା । ଟେଷ୍ଟ ଟିମ୍‌ର ନେତୃତ୍ୱ କାହାକୁ ଦିଆଯିବ, ତାହାକୁ ନେଇ ଚୟନକାରୀ ବିଚାର କରୁଥିଲେ।

ଯଦି ରାହାଣେ ୨୦୨୨ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ପ୍ରଦର୍ଶନ କରିଥା’ନ୍ତେ, ତା’ହେଲେ ତାଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ କରାଯାଇପାରିଥା’ନ୍ତା। କିନ୍ତୁ ସେ କ୍ରମାଗତ ବିଫଳ ହୋଇଥିଲେ । ଅଧିନାୟକତ୍ୱ ତ ଦୂରର କଥା, ତାଙ୍କୁ ଟିମ୍‌ରୁ କାଢ଼ି ଦିଆଯାଇଥିଲା ।

ତେବେ ରାହାଣେ ହାର୍ ମାନି ନ ଥିଲେ । ସେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିଥିଲେ ଏବଂ ଟିମ୍‌ର ନେତୃତ୍ୱ ନେବା ସହ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ଏହାପରେ ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସମୟ ବିତାଇବା ପରେ ତାଙ୍କ ମାନସିକତାରେ ପରିବର୍ତ୍ତନ ଆସିଲା । ଏହି ପରିବର୍ତ୍ତନ ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂରେ ଦେଖିବାକୁ ମିଳିଥିଲା, ଇଂଲଣ୍ଡରେ ମଧ୍ୟ ତାହା ବଳବତ୍ତର ରହିଥିଲା ।

ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ରାହାଣେଙ୍କ ଚୟନକୁ ନେଇ କେହି କେହି ପ୍ରଶ୍ନ ବି ଉଠାଇଥିଲେ । କିନ୍ତୁ ସେ ସବୁ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଯଦି କାମରନ୍ ଗ୍ରୀନ୍ ଡାଇଭ୍ ମାରି ଚିତ୍ତାକର୍ଷକ ଢଙ୍ଗରେ ତାଙ୍କ କ୍ୟାଚ୍ ଧରି ନ ଥା’ନ୍ତେ, ସେ ଶତକ ବି ଲଗାଇଥା’ନ୍ତେ ।

ପଣ୍ଟିଂଙ୍କ ପ୍ରଶଂସା:

ଡବ୍ଲ୍ୟୁଟିସି ଫାଇନାଲ୍‌ର ପ୍ରଥମ ଇନିଂସ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ସମ୍ପର୍କରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏକ ସାକ୍ଷାତକାରରେ କହିଛନ୍ତି, “ରାହାଣେ ଉତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି । ମୁଁ ବ୍ୟକ୍ତିଗତ ସ୍ତରରେ କହୁଛି ଯେ ମତେ ତାଙ୍କ ବ୍ୟାଟିଂ ଦେଖିବାରେ ଆନନ୍ଦ ଆସିଲା । ସେ ଦୀର୍ଘ ଦିନ ହେଲା ଟେଷ୍ଟ ଟିମ୍‌ର ଅଂଶବିଶେଷ ନ ଥିଲେ ଏବଂ ସୁଯୋଗ ମିଳିବା ସ୍ଥଳେ ନିଜକୁ ପ୍ରମାଣିତ କରିଥିଲେ ।”

ପଣ୍ଟିଂଙ୍କ କହିବାନୁଯାୟୀ, “ମୋ ଦୃଷ୍ଟିରେ ବଡ଼ ଖେଳାଳି ଏମିତି ହିଁ ହୋଇଥା’ନ୍ତି । ସେ କିଛି ଭଲ ରକ୍ଷଣାତ୍ମକ ସଟ୍ ଲଗାଇଥିଲେ ଏବଂ ଉତ୍ତମ ଇନିଂସ୍ ଖେଳିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ଇନିଂସ୍ ମଧ୍ୟରୁ ଗୋଟିଏ ଥିଲା । ତାଙ୍କର ଏଭଳି ଖେଳ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ ତାଙ୍କୁ ଟିମ୍‌ରେ କାହିଁକି ନିଆଯାଉ ନ ଥିଲା । ସେ ସବୁବେଳେ କ୍ଲାସିକ୍ ଖେଳାଳି ରହିଆସିଛନ୍ତି । ଏଭଳି ଖେଳାଳି ଯାହାଙ୍କ ପାଖରେ ଭଲ ଡିଫେନ୍ସ ରହିଛି । ତାଙ୍କ ରେକର୍ଡ କହୁଛି ଯେ ଟିମ୍‌ର ଆବଶ୍ୟକ ସ୍ଥଳେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥା’ନ୍ତି ।”

କେବଳ ପଣ୍ଟିଂ ନୁହନ୍ତି, ରାହାଣେଙ୍କ ପ୍ରଦର୍ଶନ ଅନ୍ୟମାନଙ୍କୁ ବି ପ୍ରଭାବିତ କରିଛି । ତେବେ ଏହି ପ୍ରଦର୍ଶନ ଟେଷ୍ଟ ଟିମ୍‌ରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିପାରିବ କି? ଏହା ଏକ ବଡ଼ ପ୍ରଶ୍ନ ତାଙ୍କ ପାଇଁ । ସୀମିତ ଓଭର୍ ଟିମ୍‌ରେ ସେ ନାହାନ୍ତି । ଦୀର୍ଘ ଦିନ ପରେ ସେ ଟେଷ୍ଟ କ୍ରିକେଟ୍ ଜରିଆରେ ଟିମ୍‌କୁ ଫେରିଛନ୍ତି ।

ଏବେ ରାହାଣେଙ୍କ ପାଇଁ ବଡ଼ ଆହ୍ୱାନ ହେଉଛି ପ୍ରଦର୍ଶନରେ ନିରନ୍ତରତାକୁ ବଜାୟ ରଖିବା । ତାଙ୍କର ଆତ୍ମବିଶ୍ୱାସ ଅଛି । ଲଢ଼ିବାର ମନୋବୃତ୍ତି ଅଛି । ଭଲ ପ୍ରଦର୍ଶନ କରି ସେ ଟେଷ୍ଟ ଟିମ୍‌ରେ ସ୍ଥାନ ବଜାୟ ରଖିପାରିବେ । ଏହା ସହିତ ଦିନିକିଆ ଓ ଟି-୨୦ ଟିମ୍‌କୁ ବି ଫେରିପାରିବେ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)