• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ମଣିଷ ପରି କାନ୍ଦୁଛି ପକ୍ଷୀ

  • କାଠକାଟିବା ମେସିନ, କାରର ଇଞ୍ଜିନ, କୁକୁର ସ୍ୱରକୁ ନକଲ କରିପାରେ

ଚିଡିଆଖାନାରେ ବୁଲୁଥିବାବେଳେ ହଠାତ୍ ଶୁଭିଲା ଶିଶୁର କାନ୍ଦ। ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହିଁଲେ। ହେଲେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଶିଶୁ ନୁହେଁ, ଚଢେଇଟିଏ ଏପରି  ସ୍ୱର ବାହାର କରୁଥିଲା ।  ପକ୍ଷୀମାନଙ୍କ ମଧ୍ୟରେ ସାଧାରଣତଃ ଶୁଆ ସାରୀ କଥା ହୋଇଥାନ୍ତି । କିନ୍ତୁ ଏଠାରେ ଅବିକଳ ମଣିଷ ଛୁଆ ପରି କାନ୍ଦୁଛି ପକ୍ଷୀ । ଅଷ୍ଟ୍ରେଲିଆର ସିଡନିରେ ଦେଖିବାକୁ ମିଳିଛି ଏପରି ପକ୍ଷୀ।  ବୈଜ୍ଞାନିକମାନେ ଏହାକୁ ନକଲଚି ପକ୍ଷୀ ବୋଲି କହିଥାନ୍ତି । କାରଣ ପକ୍ଷୀଟି ମଣିଷଙ୍କ ସ୍ୱରକୁ ନକଲ କରିଥାଏ ।

ସିଡନିର ତାରୋଙ୍ଗା ଚିଡିଆଖାନାରେ ଥିବା ଏହି ପକ୍ଷୀଟିର ନାଁ ହେଉଛି ଇକୋ । ଲାୟରବର୍ଡ ବୋଲି ମଧ୍ୟ ଏହାକୁ କୁହାଯାଇଥାଏ । ପକ୍ଷୀର ବୈଜ୍ଞାନିକ ନାଁ ହେଉଛି ମେନୁରା ନୋଭାଇହୋଲାଣ୍ଡେ (Menura novaehollandiae) । ମାଟିଆ ରଙ୍ଗର ଲମ୍ୱା ପୁଚ୍ଛ ଥିବା ଏହି ପକ୍ଷୀର ବିଶେଷତ୍ୱ ହେଉଛି ଏହା ଅବିକଳ ମଣିଷ ଛୁଆଙ୍କ ସ୍ୱରର ନକଲ କରିପାରେ । ପୋଷା ଶୁଆ-ଶାରୀ ମାନେ ଯେପରି କଥାବାର୍ତ୍ତା କରିଥାନ୍ତି, ଠିକ୍ ସେହିପରି ସ୍ୱରର ନକଲ କରିଥାଏ ଏହି ପକ୍ଷୀ।

ଗତ କିଛି ଦିନ ପୂର୍ବରୁ ତାରୋଙ୍ଗା ଚିଡିଆ ଘର ପକ୍ଷରୁ ସୋସିଆଲ ମିଡିଆରେ ଏହି ପକ୍ଷୀର ଭିଡିଓକୁ ପୋଷ୍ଟ କରାଯାଇଛି । ଯେଉଁଥିରେ ଏହି ପକ୍ଷୀଟି ଅବିକଳ ମଣିଷ ଛୁଆର ସ୍ୱରରେ କାନ୍ଦୁଛି । ଏହି ଶବ୍ଦ ଶୁଣିଲେ ମନେହେବ ଯେମିତି ଶିଶୁଟିଏ ଚିତ୍କାର କରି କାନ୍ଦୁଛି। ଏହାର ଲାଞ୍ଜ ଏକ ପୁରାତନ ବାଦ୍ୟଯନ୍ତ୍ର ପରି ଦେଖାଯାଇଥାଏ । ୟୁ ଆକୃତିର ଏହି ବାଦ୍ୟ ଯନ୍ତ୍ରଟିକୁ ପ୍ରାଚୀନ କାଳରେ ଗ୍ରୀସ୍‌ରେ ବ୍ୟବହାର କରାଯାଉଥିଲା । ତେଣୁ ଏହି ପକ୍ଷୀଟିର ନାଁ ଲାୟରବାର୍ଡ ରଖାଯାଇଛି ।

ଅଷ୍ଟ୍ରେଲିଆର ମିୟୁଜିୟମ ଅନୁସାରେ ଲାୟରବାର୍ଡ ମିମିକ୍ରି ତଥା ସ୍ୱରର ନକଲ କରିବାରେ ଏକ୍ସପର୍ଟ ଅଟେ । ନିଜ ପାଖଆଖରୁ ଆସୁଥିବା ଯେ କୌଣିସି ସ୍ୱରର ନକଲ ଏମାନେ କରିପାରି ଥାନ୍ତି । ଏମିତିକି କାଠକାଟିବା ମେସିନ, କାରର ଇଞ୍ଜିନ, ବିଭିନ୍ନ ପ୍ରାଣୀମାନଙ୍କର ଶଦ୍ଦ,କୁକୁର ଓ ଅନ୍ୟ ପକ୍ଷୀଙ୍କ ସ୍ୱରକୁ ମଧ୍ୟ ନକଲ କରି ପାରନ୍ତି ।

ତାରୋଙ୍ଗା ଚିଡିଆଘରର ୟୁନିଟ ସୁପରଭାଇଜର କହିଛନ୍ତି, ଇକୋ ସାତ ବର୍ଷର । ଏହା ପ୍ରାଣୀ ଉଦ୍ୟାନରେ ପାୱାର ଡ୍ରିଲ, ଫାୟାର ଆଲାର୍ମ ଏବଂ ଜରୁରୀକାଳୀନ ବହିଷ୍କାର ଘୋଷଣାର ଶଦ୍ଦକୁ ମଧ୍ୟ ନକଲ କରିଥାଏ । ଲୋକମାନଙ୍କୁ ଦେଖିକି ଅନେକ ଥର ଏଭାକୁଏଟ ନାଓ ଅର୍ଥାତ ତୁରନ୍ତ ବାହାରକୁ ପଳାଅ କହିଥିବା ନମୁନା ରହିଛି। । ପ୍ରାଣୀ ଉଦ୍ୟାନରେ ଏହାର ରକ୍ଷଣାବେକ୍ଷଣ କରୁଥିବା କର୍ମଚାରୀ କହିଛନ୍ତି, ଲକଡାଉନ୍ ସମୟରେ ଇକୋ ଏହି ସବୁ ଧ୍ୱନି କପି କରିବା ଆରମ୍ଭ କରିଛି । ପକ୍ଷୀଟି ଏପରି ଶଦ୍ଦ କାହିଁକି କରେ ତାହା ସେମାନେ ଜାଣିନାହାଁନ୍ତି । ହେଲେ ବେଳେବେଳେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଏହାର ଶବ୍ଦ ଦ୍ୱାରା ଭୟଭୀତ ହୋଇଯାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେତେବେଳେ ପୁରୁଷ ଲାଇରବର୍ଡ ସାଥୀ ସହ ସମ୍ପର୍କ ରଖିବାକୁ ଚାହେଁ, ସେତେବେଳେ  ସେ ଉଚ୍ଚ ସ୍ୱରରେ ବିଭିନ୍ନ ପ୍ରକାରର ଶବ୍ଦ ଆରମ୍ଭ କରେ । ପ୍ରଜନନ ସମୟରେ ଅର୍ଥାତ୍‌ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଲାଇରେବର୍ଡ ଦିନକୁ ପ୍ରାୟ ଚାରି ଘଣ୍ଟା ଗୀତ ଗାଇଥାଏ ।

ଲାଇରେବର୍ଡଙ୍କର ନିଜସ୍ୱ ଶବ୍ଦ ନାହିଁ । ସେମାନେ ସବୁବେଳେ ନକଲ ସ୍ୱର ସହିତ ମାଧି ପକ୍ଷୀଙ୍କୁ ନିଜ ଆଡକୁ ଡାକିଥାନ୍ତି | କିନ୍ତୁ ବେଳେବେଳେ ଏହା ଏପରି ଶବ୍ଦ କରେ, ଯାହା ଦ୍ୱାରା ଏହାର ଆଖପାଖର ଲୋକମାନେ ଭୟଭୀତ ହୋଇଥାନ୍ତି । ଜଣାଶୁଣା ପ୍ରାକୃତି ବିଜ୍ଞାନି ଡେଭିଡ ଏଟନବରୋ ୧୯୯୮ରେ  ଲାୟବାର୍ଡ ଉପରେ ଫିଲ୍ମ କରିଥିଲେ, ଯେଉଁଥିରେ ସେ କ୍ୟାମେରା କ୍ଲିକ୍ ହେବାର ସାଉଣ୍ଡ ବାହାର କରିବା ସହିତ କାରର ଆଲାରାମ୍ ଓ ମେସିନର ଶଦ୍ଦ ସୃଷ୍ଟି କରିଥିଲା।

ଶବ୍ଦର ନକଲ କରିବା ଗୁଣ ଲାୟରବର୍ଡକୁ ଅନ୍ୟ ପକ୍ଷୀମାନଙ୍କଠାରୁ ପୃଥକ କରିଥାଏ । ନିକଟରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ, ଯଦି ଏହି ପକ୍ଷୀ କୌଣସି ପ୍ରକାର ବିପଦରେ ଥାଏ, ତେବେ ଏହା ଦଳରେ ବାସ କରୁଥିବା ପକ୍ଷୀମାନଙ୍କର ସ୍ୱର ବାହାର କରି ଦର୍ଶାଇଥାଏ ଯେ, ତା ପାଖ ଆଖରେ କେତେ ପକ୍ଷୀ ଅଛନ୍ତି ।