• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୁନୀଲ ଜାଖଡ଼, ପ୍ରତାପ ସିଂହ ବାଜଓ୍ୱା ଏବଂ ରବନୀତ ସିଂହ ବିଟ୍ଟୁଙ୍କୁ ନେଇ ଚର୍ଚ୍ଚା

  • କଂଗ୍ରେସ ହାଇକମାଣ୍ଡ ନେଇପାରନ୍ତି ନିଷ୍ପତ୍ତି

ଚଣ୍ଡୀଗଡ଼ : କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପଞ୍ଜାବର ପୂର୍ବତନ ପିସିସି ସଭାପତି ସୁନୀଳ ଜାଖଡ଼ଙ୍କ ନାଁ ଶୁଣିବାକୁ ମିଳୁଛି । ଏହାସହ ପଞ୍ଜାବ କଂଗ୍ରେସ ପୂର୍ବତନ ମୁଖ୍ୟ ପ୍ରତାପ ସିଂହ ବାଜଓ୍ୱା, ସାଂସଦ ନବନୀତ ସିଂହ ବିଟ୍ଟୁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛନ୍ତି । ତେବେ ଏହି ରେସରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନାଁ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଚୟନ ନେଇ ଗତକାଲି ପଞ୍ଜାବ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ୭୫ ବିଧାୟକ ସାମିଲ ହୋଇଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି । ଚୂଡାନ୍ତ ନିଷ୍ପତ୍ତି ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।

ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ କ୍ୟାପଟେନ୍ ଅମରିନ୍ଦର ସିଂ । ଦ୍ୱିତୀୟ ପାଳିରେ ସାଢ଼େ ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଗତକାଲି ୭୯ ବର୍ଷୀୟ ଦେଶର ସବୁଠାରୁ ବୟସ୍କ ମୁଖ୍ୟମନ୍ତ୍ରୀ ଅମରିନ୍ଦର ରାଜ୍ୟପାଳ ବନଓ୍ୱାରୀଲାଲ ପୁରୋହିତଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଦଳୀୟ ଅନ୍ତର୍କନ୍ଦଳ ଅତିଷ୍ଠ କରିପକାଇଲା ବୋଲି ସେ କହିଛନ୍ତି । ତାଙ୍କ ଅଜାଣତରେ ଗତ ୨ ମାସ ଭିତରେ ୩ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯିବା ଏବଂ ମନଇଚ୍ଛା ମିଟିଂ କରାଯିବାକୁ ନେଇ ସେ ଅପମାନିତ ହେବା ଅନୁଭବ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସୋନିଆ ଗାନ୍ଧିଙ୍କୁ ଜଣାଇଥିଲେ ଏବଂ ଯାହାକୁ ମୁଖ୍ୟମନ୍ତ୍ରୀ କରିବା କଥା କରନ୍ତୁ ବୋଲି କହିଥିଲେ ।

କ୍ୟାପଟେନ ଅମରିନ୍ଦର ସିଂ ବନାମ୍ ନବଜୋତ ସିଂ ସିଦ୍ଧୁ । ୨୦୧୭ ନିର୍ବାଚନ ପରଠୁ ଉଭୟଙ୍କ କଳିକୁ ନେଇ ଅଶାନ୍ତ ରହିଛି ପଞ୍ଜାବ କଂଗ୍ରେସ । କିଛି ମାସ ତଳେ ଏହା ଉଗ୍ର ହେବାରୁ, ସିଦ୍ଧୁଙ୍କୁ ଗତ ଜୁଲାଇରେ ପ୍ରଦେଶ କଂଗ୍ରେସ ସଭାପତି କରି ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ହାଇକମାଣ୍ଡ୍ । ହେଲେ ଥମିଲାନି ଘମାସାନ୍ । ବାରମ୍ବାର ଅମରିନ୍ଦରଙ୍କ ନେତୃତ୍ୱ ଓ ନିଷ୍ପତ୍ତିକୁ ଟାର୍ଗେଟ୍ କରି ତାଙ୍କୁ ଅକଳରେ ପକାଉଛନ୍ତି ସିଦ୍ଧୁ । ନିଜ ସମର୍ଥକ ବିଧାୟକଙ୍କୁ ନେଇ ଅଲଗା ବୈଠକ ବି କରୁଛନ୍ତି । ତେଣୁ ଏସବୁରେ ଅତିଷ୍ଠ ହୋଇ ଅମରିନ୍ଦର ପଦ ଛାଡ଼ିଛନ୍ତି, ନା ଏହା ପଛରେ ତାଙ୍କର ଆଉ କିଛି ରାଜନୈତିକ ଅଭିସନ୍ଧି ରହିଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଅମରିନ୍ଦର ନିଜ ଆଡୁ ନୁହେଁ ବରଂ ସୋନିଆ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲେ ଏବଂ ଜବାବରେ ଦଳରୁ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।

ଅମରିନ୍ଦରଙ୍କ ଅଚାନକ ନିଷ୍ପତ୍ତି ପରେ, ଏବେ କଂଗ୍ରେସ ପାଇଁ ଆହୁରି ଚ୍ୟାଲେଞ୍ଜ ବଢ଼ାଇବ ୨୦୨୨ ପଞ୍ଜାବ ବିଧାନସଭା ଲଢ଼େଇ । କାରଣ ହାତ ହାତରେ ଯେଉଁ କେତୋଟି ହାତଗଣତି ରାଜ୍ୟ ରହିଛି, ତା ଭିତରୁ ପଞ୍ଜାବ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ରେସ୍ରେ ସିଦ୍ଧୁଙ୍କ ବ୍ୟତୀତ ସୁନିଲ ଜାଖଡ଼, ପ୍ରତାପ ସିଂହ ବାଜଓ୍ୱା ଓ ରଭନିତ ସିଂହ ବିଟ୍ଟୁ ଥିବା ବେଳେ, ଦଳ କାହାକୁ ମୁକୁଟ ପିନ୍ଧାଉଛି, କାହା ନେୃତ୍ୱତ୍ୱରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛି, ତାହା ଦେଖିବାକୁ ରହିଲା ।