• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଡିଏନ୍ଏ ଟେଷ୍ଟ୍ କରିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍ଏ ଟେଷ୍ଟ୍ ପାଇଁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ସାମାଜିକ ପ୍ରଭାବ ମଧ୍ୟ ପଡ଼ିପାରେ । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ସଂପୃକ୍ତ ବ୍ୟକ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ସମ୍ପତ୍ତିରେ ଅଂଶଧନ ପାଇବା ପାଇଁ ଡିଏନ୍ଏ ପରୀକ୍ଷା କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଜାବର ତିନି ଭଉଣୀ ଅଶୋକ କୁମାର ନାମକ ବ୍ୟକ୍ତିଙ୍କୁ ଭାଇ ବୋଲି ଅସ୍ୱୀକାର କରିବା ସହ ସମ୍ପତ୍ତିରେ ଅଂଶଧନ ଦେବାକୁ ମନା କରିଦେଇଥିଲେ । ଏହାସହ ଅଶୋକ୍ ତାଙ୍କର ମା’ବାପାଙ୍କ ପୁଅ ନୁହଁନ୍ତି ବୋଲି ମଧ୍ୟ ଯୁକ୍ତି ବାଢ଼ିଥିଲେ । ତେବେ ପୂରା ମାମଲା କାଲକା କୋର୍ଟରେ ପହଞ୍ଚିଥିଲା । ତିନି ଭଉଣୀ କୋର୍ଟରେ ଅଶୋକ କୁମାରଙ୍କ ଡିଏନ୍ଏ ଟେଷ୍ଟ୍ କରିବାକୁ ଦାବି କରିଥିଲେ । କିନ୍ତୁ ଜଜ୍ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ସମସ୍ୟାର କୌଣସି ସମାଧାନ ନହୋଇପାରିବାରୁ ପରେ ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା । ଅଂଶଧନରେ ଅଧିକାର ସାବ୍ୟସ୍ତ ପାଇଁ ୨୦୧୯ ମାର୍ଚ୍ଚ ମାସରେ ହାଇକୋର୍ଟ ତାଙ୍କୁ ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଅଶୋକ କୁମାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଏବଂ ହ୍ରିକିକେଶ ରୟଙ୍କ ଏକ ବେଞ୍ଚ ଏସମ୍ପର୍କରେ ନିଷ୍ପତ୍ତି ଶୁଣାଇଛନ୍ତି । କୌଣସିବ ବି ପରିସ୍ଥିତିରେ ସମ୍ପର୍କ ପ୍ରମାଣ କରିବା ପାଇଁ ଡିଏନ୍‌ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ଅନ୍ୟ ପ୍ରମାଣ ଆଧାରରେ ଶୁଣାଣି ହୋଇପାରିବ ଓ ନ୍ୟାୟ ମିଳିପାରିବ । ଡିଏନ୍‌ଏ ପରୀକ୍ଷା ଜଣେ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ ଏବଂ ଏହାର ସାମାଜିକ ପ୍ରଭାବ ମଧ୍ୟ ରହିପାରେ ।

ସୂଚନାଯୋଗ୍ୟ ୨୦୧୯ରେ ଅଶୋକ କୁମାରଙ୍କୁ ଡିଏନ୍‌ଏ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ଅଶୋକ କୁମାର ବାପାମା’ଙ୍କ ପୁଅ ବୋଲି ପ୍ରମାଣ କରିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଇନେଲେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ । ତେବେ ଅଶୋକ କୁମାର ଡିଏନ୍‌ଏ ପରୀକ୍ଷା କରିବାକୁ ମନା କରି କହି ଦେଇଥିଲେ । ତାଙ୍କ ପାଖରେ ଉପଲବ୍ଧ ଥିବା ଡକ୍ୟୁମେଣ୍ଟ୍ ‌ଆଧାରରେ ନିଷ୍ପତ୍ତି ଶୁଣାଇବାକୁ ଅନୁରୋଧ କରିଥିଲେ । ପରେ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ବର୍ତ୍ତମାନ ତାଙ୍କ ସପକ୍ଷରେ ନିଷ୍ପତ୍ତ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।