• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ସମସ୍ୟା ବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସବୁ ପ୍ରସଙ୍ଗରେ କହିବେ, ହେଲେ ବେକାରୀ ସମସ୍ୟା ସଂପର୍କରେ ପଦୁଟିଏ କହିବେ ନାହିଁ । କାରଣ ସେ ହିଁ ଯୁବକମାନଙ୍କଠାରୁ ରୋଜଗାର ଛଡ଼ାଇ ନେଇଛନ୍ତି ବୋଲି ରାହୁଲ କହିଛନ୍ତି । 

ସାରା ଦେଶରେ ଏବେ ବେକାରୀ ସମସ୍ୟା ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ପ୍ରତି ବର୍ଷ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବେ, ହେଲେ ଏବେ ବେକାରୀ ସମସ୍ୟା ନେଇ ମୋଦି ପଦୁଟିଏ କହୁନାହାନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି । କାରଣ, କର୍ପୋରେଟ ଜଗତକୁ ସାହାଯ୍ୟ କରିବାକୁ ଯାଇ ମୋଦି କ୍ଷୁଦ୍ର ବେପାରକୁ ଧ୍ୱଂସ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । 

ମୋଦି ଯାହାସବୁ କରୁଛନ୍ତି, ତାହା କେବଳ ଦେଶର ସତକୁ ଲୁଚାଇବା ଲାଗି କରୁଛନ୍ତି । ମୋଦି ଦେଶର ପ୍ରତ୍ୟେକ ଯୁବକଙ୍କ ଫୋନରେ ପେଗାସସ୍ ସ୍ପାଏଓୟାର ଭର୍ତ୍ତି କରିସାରିଛନ୍ତି । ଯଦି ତୁମେ ସତ କହିବ, ତା ହେଲେ ତୁମ ମୋବାଇଲରେ ପେଗାସସ୍ ଥିବ ବୋଲି ରାହୁଲ କହିଛନ୍ତି । କେବଳ ସତ ଓ ଦେଶର ସ୍ୱରକୁ ଚପାଇବା ଲାଗି ପେଗାସସ୍‌କୁ ବ୍ୟବହାର କରାଯାଉଛି ବୋଲି ରାହୁଲ କହିଛନ୍ତି ।

ସେପଟେ ପେଗାସସ୍ ଗୁଇନ୍ଦାଗିରି ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଖବରକାଗଜରେ ପ୍ରକାଶିତ ତଥ୍ୟ ଯଦି ସତ ହୋଇଥାଏ, ତା ହେଲେ ଘଟଣାଟି ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସ୍ୱତନ୍ତ୍ର ତଦନ୍ତ ଦାବି ନେଇ ହୋଇଥିବା ଅନେକ ଗୁଡ଼ିଏ ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି ।

କୋର୍ଟରେ ଦାଖଲ କରିଥିବା ଆବେଦନ କପି କେନ୍ଦ୍ର ସରକାରଙ୍କୁ ଦେବା ଲାଗି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି । ଆସନ୍ତା ମଙ୍ଗଲବାର ଏହାର ପରବର୍ତ୍ତୀ ଶୁଣାଣି ହେବ । କୋର୍ଟ ସୂଚନା ଦେଇଛନ୍ତି ଶୁଣାଣି ବେଳେ କେନ୍ଦ୍ର ସରକାର ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି ।