• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦିଲ୍ଲୀ ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଗିରଫ ହୋଇଛି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ । ସେ ଏକ ବିରାଟ ଆକ୍ରମଣ କରିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା ବୋଲି କୁହାଯାଇଛି । ୨୦୧୧ ଦିଲ୍ଲୀ ହାଇକୋର୍ଟ ବିସ୍ଫୋରଣ ପୂର୍ବରୁ ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା । ଏପରିକି ଇଣ୍ଡିଆ ଗେଟ୍ ଅଞ୍ଚଳ ତନ୍ନ ତନ୍ନ କରି ବୁଲିଥିଲା ବୋଲି ସ୍ପେଶାଲ ସେଲ୍ କହିଛି ।

ଜେରାବେଳେ ତାକୁ ୨୦୧୧ ହାଇକୋର୍ଟ ବ୍ଲାଷ୍ଟ ସଂପର୍କିତ ଗୋଟିଏ ଫଟୋ ଦେଖାଯାଇଥିଲା । ତାକୁ ଦେଖି ସେ କହିଥିଲା ଯେ, ୨୦୧୧ର ଏହି ବିସ୍ଫୋରଣ ପୂର୍ବରୁ ସେ ଦିଲ୍ଲୀର ବିଭିନ୍ନ ସ୍ଥାନ ବୁଲିକି ଦେଖିଥିଲା । ତେବେ ସେହି ବିସ୍ଫୋରଣରେ ତାର ସଂପୃକ୍ତି ନେଇ କିଛି ଠୋସ୍ ପ୍ରମାଣ ମିଲିପାରି ନାହିଁ । ଅଧିକ ତଦନ୍ତ ହେଲେ ଏସବୁ ଜଣାପଡ଼ିବ ବୋଲି କୁହାଯାଇଛି । 

ସେ ଆଇଟିଓରେ ଥିବା ପୁରୁଣା ପୋଲିସ ହେଡକ୍ୱାର୍ଟର, ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍ ମଧ୍ୟ ବୁଲି ଦେଖିଥିଲା । ଯଦିଓ ସେ ଅନେକ ସ୍ଥାନ ବୁଲିଥିଲା, ହେଲେ ସେମିତି କିଛି ଫଳପ୍ରଦ ହୋଇପାରିନଥିଲା ବୋଲି ମାନିଥିବା ନେଇ ପୋଲିସ କହିଛି । ସେ ଆଇଏସ୍‌ବିଟି ଅଞ୍ଚଳ ତନ୍ନ ତନ୍ନ କରି ବୁଲି ଦେଖିବା ପରେ ପାକିସ୍ତାନକୁ ଏ ସଂପର୍କରେ ତଥ୍ୟ ପଠାଇଥିଲା ବୋଲି ମାନିଥିବା ଦିଲ୍ଲୀ ପୋଲିସ କହିଛି । 

ଦିଲ୍ଲୀର କୌଣସି ଭିଆଇପି ଅଞ୍ଚଳକୁ ସେ ଟାର୍ଗେଟ କରିନଥିଲା । ଏସବୁ ଅଞ୍ଚଳରେ ଗହଳି କମ୍ ଲାଗୁଥିବାରୁ, ଭିଆଇପି ଅଞ୍ଚଳକୁ ଟାର୍ଗେଟ କରାଯାଉନଥିଲା ବୋଲି ଜେରା ବେଳେ ସେ କହିଥିବା ନେଇ ପୋଲିସ କହିଛି । ତେବେ ସେ କେଉଁ ସବୁ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା, ସେ ସଂପର୍କରେ ଏଯାଏ କିଛି ସୂଚନା ମିଲିନାହିଁ ।

ଏହି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ ପ୍ରଥମେ ବାଂଲାଦେଶ ଯାଇଥିଲା । ଏହାପରେ କୋଲକାତା ହୋଇ ଦିଲ୍ଲୀ ଯାଏ ଆସିଥିଲା ବୋଲି ମାନିଥିବା ପୋଲିସ କହିଛି । ସେ ଆଜମେର ସରିଫ୍ ଗସ୍ତ କରି ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲା ବୋଲି ପୋଲିସ କହିଛି । ଆଜମେର ସରିଫରେ ପହଞ୍ଚି ବିହାରୀ ଲୋକଙ୍କ ସହ ଚିହ୍ନା ହୋଇଥିଲା । ଏହାପରେ ସେ ବିହାର ଆସି ଜଣେ ସରପଞ୍ଚଙ୍କୁ ବିମୋହିତ କରି ନାଗରିକତ୍ୱ ପାଇଥିଲା ବୋଲି ପୋଲିସ କହିଛି ।