• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୂଚନା ଦେଲେ ଗୁପ୍ତଚର ଏଜେନ୍ସି

  • ବିକାଶ ପଥରେ ଆଗଉଥିବା କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ପାକ୍

ଶ୍ରୀନଗର : ଭାରତର ଭୂସ୍ୱର୍ଗରେ ଶାନ୍ତି, ବିଳିବିଳେଇ ହେଉଛି ଶତ୍ରୁ ଦେଶ । ଜମ୍ମୁ କାଶ୍ମୀରରେ ୫ ଅଗଷ୍ଟ ୨୦୧୯ ପରର ପରିବର୍ତ୍ତିତ ପରିସ୍ଥିତିକୁ ଦେଖି ପାକିସ୍ତାନ ରକ୍ତଚାଉଳ ଚୋବାଉଛି । ବିକାଶ ପଥରେ ଆଗଉଥିବା କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଘଟାଇବାକୁ ପାକିସ୍ତାନ ପୁଣି ଥରେ ଷଡଯନ୍ତ୍ର କରୁଛି । ଗୁପ୍ତଚର ଏଜେନ୍ସିର ସୂଚନା ଅନୁସାରେ ଗତ କିଛି ମାସ ମଧ୍ୟରେ ଉତ୍ତର କାଶ୍ମୀରରେ ପାକିସ୍ତାନ ପଟରୁ ଅନେକ ସଂଖ୍ୟାରେ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ଫଳରେ ସ୍ଥାନୀୟ ଆତଙ୍କବାଦୀଙ୍କ ତୁଳନାରେ ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

LoC ସେପାରିରୁ ମେ ରୁ ଅଗଷ୍ଟ ମଧ୍ୟରେ ବହୁ ସଂଖ୍ୟକ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଆଗାମୀ ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଅନେକ ସମ୍ଭାବନା ରହିଛି । ଭାରତକୁ ଧୋକାରେ ପଶିଥିବା ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ, ସ୍ଥାନୀୟ ନେତା ତଥା ସରପଞ୍ଚ ଅଛନ୍ତି ବୋଲି କୁହାଯାଉଛି ।

ନ୍ୟୁଜ ୧୮ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୫ରୁ ଅଧିକ ବିଦେଶୀ ଆତଙ୍କବାଦୀ ଉତ୍ତର କାଶ୍ମୀରରେ ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ପଠାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଏ-ତାଇବା, ଜୈଶ୍-ଏ-ମହମ୍ମଦ ଏବଂ ଅଲ ବଦ୍ରର ଆତଙ୍କବାଦୀ ସାମିଲ ଅଛନ୍ତି। ଏହି ଆତଙ୍କବାଦୀମାନେ ପିଓକେର ଲିପା, ଜୁରା ଏବଂ ଅଠମୁକାନ ନିକଟସ୍ଥ ଲଞ୍ଚ ପ୍ୟାଡରୁ ଭାରତକୁ ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି ।

ଦକ୍ଷିଣ କାଶ୍ମୀର ପରେ ଆତଙ୍କଗଡ଼ରେ ପରିଣତ ହେଲା ଉତ୍ତର କାଶ୍ମୀର

୨୦୧୩ ପରେ ଦକ୍ଷିଣ କାଶ୍ମୀର ଆତଙ୍କ ଗଡ଼ରେ ପରିଣତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଆତଙ୍କୀଙ୍କ ଅନୁପ୍ରବେଶ ସହିତ ଉତ୍ତର କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି । ବାରାମୁଲ୍ଲା, ବାନ୍ଦିପୋରା ଏବଂ କୁପୱାଡ଼ାରେ ଆତଙ୍କବାଦୀମାନେ ଆଡ୍ଡା ଜମାଇ ବସିଛନ୍ତି ।

ସୁରକ୍ଷା ବାହିନୀର ସଫଳ ଅପରେସନ୍ ଯୋଗୁଁ ଚଳିତ ବର୍ଷ ଆରମ୍ଭରେ ବିଦେଶୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପ୍ରାୟ ଶେଷ ହୋଇଥିବା କହିଲେ ଚଳେ । କିନ୍ତୁ ମେ ପରେ ଆତଙ୍କୀଙ୍କ ଅନୁପ୍ରବେଶ ବଢ଼ିଥିବାର ଯୋଗୁଁ ଏହା ସୁରକ୍ଷା ବାହିନୀ ପାଇଁ ଆହ୍ୱାନ ସୃଷ୍ଟି କରିଛି । ତେବେ ଆଫଗାନିସ୍ତାନ ସ୍ଥିତି ସହିତ ଏହି ଅନୁପ୍ରବେଶର କୌଣସି ସମ୍ପର୍କ ନାହିଁ ବୋଲି ଗୁପ୍ତଚର ସଂସ୍ଥା କହନ୍ତି।