• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କରୋନା କାରଣରୁ କେବଳ ବଡ଼ ବଡ଼ ସ୍କୁଲ ନୁହେଁ ଛୋଟ ପିଲାମାନଙ୍କର ବିକାଶ ପାଇଁ ଆରମ୍ଭ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସରକାରୀ ତଥା ବେସରକାରୀ ସ୍କୁଲ ଭଳି ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ୩ ରୁ ୬ ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହିତ ନିୟମିତ ଟିକାକରଣ ଓ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି । ଏହାସହ ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ପାଇଁ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ର ସୁବିଧା କରାଯାଇଛି । ପିଲାମାନେ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ ପାଉଛନ୍ତି । ଏହାଦ୍ୱାରା ପିଲାଙ୍କୁ ସ୍କୁଲ ଯିବା ପୂର୍ବରୁ କେବେଳ ଭଲ ଶିକ୍ଷା ନୁହେଁ ବରଂ ଭଲ ପୁଷ୍ଟିକର ଖାଦ୍ୟ ମିଳିପାରୁଛି ।

ଦିଲ୍ଲୀର ଏକ ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ପରମଜିତ କହିଛନ୍ତି ଯେ, ଗତ ବର୍ଷ କରୋନା ପରେ ହୋଇଥିବା ଲକ୍‌ଡାଉନ୍‌ ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ପିଲାଙ୍କ ପାଖରେ ପହଞ୍ଚାଇବାକୁ ଅନେକ ଅସୁବିଧା ହେଉଥିଲା । ତେଣୁ ଏବେ ପିଲାମାନଙ୍କୁ ଫୋନରେ ବିଭିନ୍ନ ସୁବିଧା ଦିଆଯାଉଛି । ସମସ୍ତ ଅଙ୍ଗନୱାଡି କର୍ମୀ ନିଜ ନିଜ ଅଞ୍ଚଳରେ ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ ଗଠନ କରିଛନ୍ତି । ସେହି ସମସ୍ତ ମହିଳାଙ୍କୁ ଏହି ଗ୍ରୁପ୍‌ରେ ସାମିଲ କରାଯାଇଛି ଯେଉଁମାନଙ୍କର ପିଲାମାନଙ୍କ ନାଁ ଅଙ୍ଗନବାଡ଼ି କେନ୍ଦ୍ରରେ ରେଜିଷ୍ଟର ରହିଛି । ଯେଉଁମାନଙ୍କର ବୟସ ୩ ରୁ ୬ ବର୍ଷ ମଧ୍ୟରେ ହେବ ।

ପରମଜିତ୍ ଆହୁରି କହିଛନ୍ତି ଯେ, ଏହି ଗ୍ରୁପ୍‌ ଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟକଳାପ ପୋଷ୍ଟ କରାଯାଉଛି । ଘର ଅଗଣାରେ ଖେଳରେ ଖେଳରେ ପିଲାଙ୍କୁ ପାଠ ପଢ଼ାଯିବା ସହ ଖାଇବାକୁ ମଧ୍ୟ ଦିଆଯାଉଛି । ଏଥିପାଇଁ ଦୁଇଟି ଭିନ୍ନ-ଭିନ୍ନ ଶ୍ରେଣୀ କରାଯାଇଛି । ଗୋଟିଏ ଶ୍ରେଣୀ ସାଧାରଣ ଫୋନ୍ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଅନ୍ୟ ଶ୍ରେଣୀଟି ସ୍ମାର୍ଟଫୋନ୍ ପାଇଁ ଉଦ୍ଧିଷ୍ଟ । ଏଥିରେ ପିଲାମାନଙ୍କୁ ବର୍ଣ୍ଣମାଳା ଜ୍ଞାନ ଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ ଶିକ୍ଷା ଦିଆଯାଏ । ସେହିଭଳି ପଜଲ୍ ଠାରୁ ଆରମ୍ଭ କରି କାହାଣୀ କହିବା ଏବଂ କାହାଣୀ ପ୍ରସ୍ତୁତ କରିବା ମଧ୍ୟ ପିଲାଙ୍କୁ ଶିଖାଯାଏ ।

ସେ ଆହୁରି କହିଛନ୍ତି ଯେ, ଦୈନିକ ଅନ୍‌ଲାଇନ୍ କ୍ଲାସ୍‌ରେ ନୂଆ ନୂଆ ଜ୍ଞାନ ଦିଆଯିବା ସହ ବିଭିନ୍ନ ଟାସ୍କ ମଧ୍ୟ ଦିଆଯାଏ । ଏମିତିକି ପ୍ରତି ମାସରେ ପିଲାମାନଙ୍କ ମାଆଙ୍କୁ ଅଙ୍ଗନବାଡ଼ି ଡକାଯାଏ ଏବଂ ସେମାନଙ୍କ ସହ ବୈଠକ ହୁଏ । ଏହି ସମୟରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରିବା ସହ ପିଲାମାନଙ୍କର ସାମଗ୍ରିକ ବିକାଶ ବିଷୟରେ ମଧ୍ୟ ଆଲୋଚନା କରାଯାଏ ।