Advertisment

୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ଭିତରେ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

Rashtrapati Bhavan

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ଭିତରେ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥିବା ଥାଓ୍ୱରଚାନ୍ଦ ଗେହଲଟ୍‌ଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ମଙ୍ଗୁଭାଇ ଛଗନଭାଇ ପଟେଲ ମଧ୍ୟପ୍ରଦେଶ, ହରିବାବୁ କମ୍ଭଂପତି ମିଜୋରାମ୍ ଓ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ  ହିମାଚଳପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି।

Advertisment

ସେହିପରି ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ବଦଳି କରାଯାଇଛି। ମିଜୋରାମର ରାଜ୍ୟପାଳ ଥିବା ଶ୍ରୀଧରନ୍ ପିଲାଇଙ୍କୁ ଗୋଆ, ହରିୟାଣାର ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ଓ ତ୍ରିପୁରାର ରାଜ୍ୟପାଳ ଥିବା ରମେଶ ବୈସଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ଦ୍ରୈାପଦୀ ମୁର୍ମୁଙ୍କୁ କାର୍ଯ୍ୟକାଳ ସରିଥିବା ବେଳେ ତାଙ୍କୁ ଆଉ କୌଣସି ନୂଆ ନିଯୁକ୍ତି ଦିଆଯାଇନାହିଁ।

Advertisment

ଆସନ୍ତା ୮ ତାରିଖ ସକାଳ ସାଢ଼େ ୧୦ଟାରେ କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚା ଭିତରେ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦୋରରୁ ଦିଲ୍ଲୀ ମୁହାଁ ହୋଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ସେ ମଧ୍ୟପ୍ରଦେଶର ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। କେବଳ ଜ୍ୟୋତିରାଦିତ୍ୟ ନୁହନ୍ତି, ସର୍ବାନନ୍ଦ ସୋନୱାଲ, ଜନତା ଦଳ ନେତା ସିପି ସିଂ ପ୍ରମୁଖ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି। କ୍ୟାବିନେଟ୍‌ର ଏହି ସଂପ୍ରସାରଣରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ୱ ମିଳିପାରେ।

Advertisment
Advertisment