• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିବା ଘଟଣାରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଅମିତ ଶାହ । ସିଧାସଳଖ ପାକିସ୍ତାନକୁ ଦେଲେ ଚେତାବନୀ । କହିଲେ ପାକିସ୍ତାନ ଯଦି ଏଭଳି କାର୍ଯ୍ୟରୁ ନିବୃତ୍ତ ନହୁଏ ତେବେ ତାକୁ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ସାମ୍ନା କରିବାକୁ ପଡ଼ିବ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗତିବିଧିକୁ ଯଦି ପାକିସ୍ତାନ ପ୍ରୋତ୍ସାହିତ କରିବ ଆଉ ସାଧାରଣ ଲୋକଙ୍କୁ ହତ୍ୟା କରିବ ତେବେ ଭାରତ ଚୁପ୍‌ ବସିବ ନାହିଁ । ଭାରତ ଏହାର କଡ଼ା ଜବାବ ଦେବ । ଆଉ ପାକିସ୍ତାନକୁ ତାହା ଭୋଗିବାକୁ ପଡ଼ିବ କହିଲେ ଶାହ ।

ଶାହ ଆହୁରି କହିଛନ୍ତି, ୨୦୧୬ରେ ଭାରତ ପକ୍ଷରୁ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏହା ପ୍ରମାଣ କରୁଛି ଯେ, ଆତଙ୍କବାଦୀ ଆକ୍ରମଣକୁ ଭାରତ କେବେ ବି ବରଦାସ୍ତ କରିବ ନାହିଁ । ଯଦି ପାକିସ୍ତାନ ନିୟମ ଉଲଂଘନ କରିବ ତେବେ ଭାରତ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ କରିବ । ଶାହ କହିଛନ୍ତି, ପିଏମ୍‌ ମୋଦି ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ତତ୍ୱାବଧାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଭାରତୀୟ ସୀମାରେ କେହି ବି, କିଛି ବି ବେଆଇନ୍‌ କାର୍ଯ୍ୟକଳାପ କରିପାରିବେ ନାହିଁ । ଆଗରୁ ସମୟ ଥିଲା କଥାବାର୍ତ୍ତାର, ହେଲେ ଏବେ କେବଳ ପ୍ରତିକ୍ରିୟାଶୀଳ ହେବାର ସମୟ । ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ହିନ୍ଦୁ ଏବଂ ସିଖ୍‌ମାନଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଉଛି । ଆତଙ୍କବାଦୀମାନେ ଏଭଳି ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିବା ପରେ ଭାରତୀୟ ସେନା ଅପରେସନ୍‌କୁ ଜୋରଦାର କରିଛି । ଆତଙ୍କବାଦୀମାନେ ମଧ୍ୟ ସେନା ଉପରେ ଆକ୍ରମଣ କରିଛନ୍ତି । ଘାଟିରେ ଏଭଳି କାଣ୍ଡ ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଘାଟିରେ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ କଡ଼ା ଜବାବ ଦେଇଛନ୍ତି । ଭାରତୀୟ ସେନା ଗୋଡ଼ାଇ ଗୋଡ଼ାଇ ଆତଙ୍କବାଦୀଙ୍କୁ ନିହତ କରିବା ଆଭିଯାନ ଆରମ୍ଭ କରିଛି ।

ଅନ୍ୟପଟେ ଦିଲ୍ଲୀ ତଥା ଅନ୍ୟ ରାଜ୍ୟରୁ କିଛି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କର ସିଧାସଳଖ ପାକିସ୍ତାନ ଲିଙ୍କ୍‌ ରହିଥିବା ଜେରା ବେଳେ ସେମାନେ ସ୍ୱୀକାର କରିଛନ୍ତି । ଯାହାଫଳରେ ଏବେ ପାକିସ୍ତାନର ଅସଲ ଚେହେରା ସାରା ବିଶ୍ୱ ଆଗରେ ଧରାପଡ଼ି ଯାଇଛି ।